ଲାହୋରରେ ମ୍ୟାଚ୍‌ ଖେଳିବାକୁ ମନା କଲେ ଶ୍ରୀଲଙ୍କା କ୍ରିକେଟର, ପାକିସ୍ତାନକୁ ଧକ୍କା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଲାଗି ପାକିସ୍ତାନ ଏକ ନିରାପଦ ସ୍ଥାନ ବୋଲି ଯେଉଁ ଦାବି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କରୁଥିଲା, ତାହାକୁ ଲାଗିଛି ବଡ଼ ଧକ୍କା। କାରଣ ଶ୍ରୀଲଙ୍କା କ୍ରିକେଟ ଦଳର ଖେଳାଳିମାନେ ପାକିସ୍ତାନର ଲାହୋର୍‌ରେ ମ୍ୟାଚ ଖେଳିବାକୁ ମନା କରିଦେଇଛନ୍ତି।

୨୦୦୯ ମସିହାରେ ଲାହୋରରେ କର୍ଣ୍ଣେଲ ଗଦାଫି ଷ୍ଟାଡିୟମ ବାହାରେ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବା ବନ୍ଦ ହୋଇଯାଇଥିଲା।

ମିଳିଥିବା ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା କ୍ରିକେଟ ସହ ଚୁକ୍ତିବଦ୍ଧ ୪୦ଜଣ ଖେଳାଳି ଶନିବାର କ୍ରିକେଟ ବୋର୍ଡଙ୍କୁ ପତ୍ର ଲେଖି ଲାହୋର ଯିବା ଲାଗି ଅନିଚ୍ଛା ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା କ୍ରିକେଟ ଦଳ ପାକିସ୍ତାନ ସହ ଦୁବାଇରେ ସିରିଜ୍‌ ଖେଳୁଛନ୍ତି।

ଏହି ଘଟଣା କ୍ରିକେଟ ମହଲରେ ଚର୍ଚ୍ଚାର ସୂତ୍ରପାତ କରିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ କହିଛି ଯେ, ଆମେ ଖେଳାଳିଙ୍କ ସହ ଏ ନେଇ ଯଥାଶୀଘ୍ର କଥା ହେବୁ। ସିରିଜ ମଝିରୁ ଓହରି ଯିବାକୁ ଆମେ ଚାହୁଁ ନାହୁଁ। ଆଇସିସି ମଧ୍ୟ ଆମ ଖେଳାଳିଙ୍କ ସହ ଆଲୋଚନା କରିବ ଓ ବର୍ତ୍ତମାନ ଲାହୋରସ୍ଥିତି କିଭଳି ତାହା ଅବଗତ କରାଇବ।

ଉଲ୍ଲେଖଯୋଗ୍ୟ କି, ଶ୍ରୀଲଙ୍କା ପାକିସ୍ତାନ ସହ ଲାହୋରରେ ଅକ୍ଟୋବର ୨୯ରେ ଟି-୨୦ ମ୍ୟାଚ୍‌ ଖେଳିବାକୁ ଯାଇଥାଆନ୍ତା।ଏହି ଘଟଣା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି।

ସମ୍ବନ୍ଧିତ ଖବର