ଗଲ୍‌ ଟେଷ୍ଟ୍‌ ଜିତିଲା ଶ୍ରୀଲଙ୍କା

କରୁଣାରତ୍ନେଙ୍କ ଶତକ: ନ୍ୟୁଜିଲାଣ୍ଡ୍‌ ୬ ୱିକେଟ୍‌ରେ ପରାସ୍ତ

ଗଲ୍‌: ଅଧିନାୟକ ଦିମୁତ କରୁଣାରତ୍ନେଙ୍କ ଦମ୍‌ଦାର ଶତକ ଓ ଲାହିରୁ ଥିରିମାନେଙ୍କ ଅର୍ଧଶତକ ସାଙ୍ଗକୁ ପ୍ରଥମ ୱିକେଟ୍‌ରେ ୧୬୧ ରନ୍ ଭାଗୀଦାରି ବ‌ଳରେ ଶ୍ରୀଲଙ୍କା ଗଲ୍‌ ଟେ‌ଷ୍ଟ୍‌କୁ ଜିତି ନେଇଛି। ଏହା ମଧ୍ୟ ଶ୍ରୀଲଙ୍କା ପାଇଁ ଚତୁର୍ଥ ପାଳିରେ ସର୍ବୋଚ୍ଚ ପ୍ରଥମ ୱିକେଟ୍‌ ଭାଗୀଦାରି ଭାବେ ଅନ୍ୟତମ ଶ୍ରେଷ୍ଠ। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଏହି ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ୬ ୱିକେଟ୍‌ରେ ପରାସ୍ତ ହୋଇଛି। କରୁଣାରତ୍ନେ ମଧ୍ୟ ମାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଟେଷ୍ଟ୍‌ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ପରଠୁ କରୁଣାରତ୍ନେ ଶ୍ରୀଲଙ୍କା ପାଇଁ କ୍ରମାଗତ ତୃତୀୟ ବିଜୟ ଆଣିଛନ୍ତି। ଆଉ ଏହି ବିଜୟ ସହ ଶ୍ରୀଲଙ୍କା ମଧ୍ୟ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଆରମ୍ଭରୁ ୬୦ ପଏଣ୍ଟ୍‌ ନିଜ ଖାତାରେ ଯୋଡ଼ିଦେଇଛି। ବିଶେଷକରି ସ୍ପିନରଙ୍କ ଆଧିପତ୍ୟ ମଧ୍ୟରେ ଏହି ଟେଷ୍ଟ୍‌ରେ ଘରୋଇ ଦଳ ହିଁ ବାଜି ମାରିନେଇଛି। ଶ୍ରୀଲଙ୍କା ନିକଟରେ ବିଜୟ ଲକ୍ଷ୍ୟ ୨୬୮ ରନ୍‌ ରହିଥିଲା ବେଳେ ଚତୁର୍ଥ ଦିବସ ଶେଷରେ ଦଳ ବିନା ୱିକେଟ୍‌ରେ ୧୩୩ ରନ୍‌ କରି ବିଜୟ ସୁଯୋଗ ପକ୍କା କରିଥିଲା। ଫଳରେ ପଞ୍ଚମ ତଥା ଅନ୍ତିମ ଦିବସରେ ହାତରେ ୧୦ ୱିକେଟ୍‌ ଥାଇ ଶ୍ରୀଲଙ୍କାକୁ ଆଉ ୧୩୫ ରନ୍‌ ଦରକାର ଥିଲା। ତେବେ କରୁଣାରତ୍ନେ ୧୨୨ (୬ ଚୌକା, ୧ ଛକା) ଓ ଥିରିମାନେ ୬୪ ( ୪‌ ଚୌକା) ପ୍ରଥମ ୱିକେଟ୍‌ରେ ୧୬୧ ରନ୍‌ ଯୋଡ଼ି ନ୍ୟୁଜିଲାଣ୍ଡ୍‌ ବୋଲରଙ୍କୁ ନିରାଶ କରିଥିଲେ। ଏହି ଦୁଇ ଜଣଙ୍କ ପରେ କୁସାଲ ମେଣ୍ଡିସ୍‌ (୧୦) ଓ କୁସାଲ ପେରେରା (୨୩) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍‌ (୨୮*) ଓ ଧନଞ୍ଜୟ ଡି’ସିଲ୍‌ଭା (୧୪*) ଅପରାଜିତ ରହି ଶ୍ରୀଲଙ୍କାକୁ ବିଜୟ ଭେଟି ଦେଇଥିଲେ। ଚତୁର୍ଥ ଦିବସରେ ୫୦ ଓଭରରେ ୧୩୩/୦ କରିଥିବା ଶ୍ରୀଲଙ୍କା ଶେଷ ଦିନ ଆଉ ୩୬.୧ ଓଭରରେ ଅବଶିଷ୍ଟ ୧୩୫ ରନ୍ ଯୋଡ଼ି ୪ ୱିକେଟ୍‌ ହରାଇଥିଲା। ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଟ୍ରେଣ୍ଟ ବୋଲ୍‌ଟ, ଟିମ୍‌ ସାଉଦି, ସୋମରଭିଲ୍ଲେ ଓ ଆଜାଜ୍‌ ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

ଚତୁର୍ଥ ପାଳି ଶତକ କ୍ଲବ୍‌ରେ କରୁଣାରତ୍ନେ
ଗଲ୍‌: କୌଣସି ଟେ‌ଷ୍ଟ୍‌ର ଚତୁର୍ଥ ପାଳିରେ ଶତକ ଜମାଇଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ କ୍ଲବ୍‌ରେ କରୁଣାରତ୍ନେ ସାମିଲ ହୋଇଛନ୍ତି। ଏକ୍ଷେତ୍ରରେ ସେ କୁସାଲ ମେଣ୍ଡିସ୍‌ (୧୦୨ ରନ୍‌, ଗତବର୍ଷ ପୋର୍ଟ ଅଫ୍‌ ସ୍ପେନ୍‌ରେ) ଏବଂ ସନତ ଜୟସୂରିଆଙ୍କ ପରେ ତୃତୀୟ ସିଂହଳୀ ହୋଇଛନ୍ତି। ଉଭୟ କୁସାଲ ଓ ସନତ୍‌ ଦୁଇ ଥର ଲେଖାଏଁ ଏଭଳି ସଫଳତା ହାତେଇ ସାରିଛନ୍ତି। ଦୁହେଁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଓ କାଣ୍ଡିରେ ଶତକ ଜମାଇଥିଲେ। ପୁଣି କରୁଣାରତ୍ନେ ପ୍ରଥମ ଥର ଲାଗି ଚତୁର୍ଥ ପାଳିରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ତାଙ୍କ ଚତୁର୍ଥ ପାଳି ସର୍ବାଧିକ ସ୍କୋର୍‌ ଥିଲା ୯୭ (୨୦୧୭ରେ ଭାରତ ବିପକ୍ଷ ଗଲ୍‌ ଟେ‌ଷ୍ଟରେ)।

।ଦଳ ବିଜୟରେ ଚତୁର୍ଥ ପାଳିରେ ଶତକ ହାସଲ କରିବାରେ କରୁଣାରତ୍ନେ ଚତୁର୍ଥ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ଅରବିନ୍ଦ ଡି ସିଲ୍‌ଭା (୧୯୯୮ରେ ଜିମ୍ବାୱେ ବିପକ୍ଷରେ, ମାହେଲା ଜୟବର୍ଧନେ (୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ) ଏବଂ କୁସାଲ ପେରେରା (ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ) ଶତକ ଜମାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ବିଜୟ ସମାନ ଗୋଟିଏ ୱିକେଟ୍‌ ବ୍ୟବଧାନରେ ମିଳିଥିଲା।

।ଚତୁର୍ଥ ପାଳିରେ ୨୬୮ରୁ ଅଧିକ ରନ୍‌ ପିଛା କରି ଶ୍ରୀଲଙ୍କା ୪ ଥର ଟେ‌ଷ୍ଟ୍‌ ଜିତିଛି। ଦୁଇବର୍ଷ ପୂର୍ବେ କଲମ୍ବୋରେ ଜିମ୍ବାୱେ ବିପକ୍ଷ ୩୯୧/୬ ସର୍ବୋଚ୍ଚ ରହିଛି। ଏହା ପଛକୁ ଗଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ରବିବାର ବିଜୟ (୨୬୮/୬) ଦ୍ବିତୀୟ ସର୍ବୋଚ୍ଚ ରହିଲା।

।ଟେ‌ଷ୍ଟ କ୍ରିକେଟ୍‌ ଇତିହାସରେ ଦଳ ବିଜୟରେ ଜଣେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଚତୁର୍ଥ ପାଳିରେ ଶତକ ଜମାଇବା ୩୦ ଥର ହୋଇସାରିଛି। ତେବେ କରୁଣାରତ୍ନେ ଏହି ତାଲିକାରେ ପ୍ରଥମ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଶେଷଥର ପାଇଁ ୨୦୧୫ରେ ପାଲିକଲ୍‌ରେ ଶ୍ରୀଲଙ୍କା ବିପକ୍ଷରେ ସନ୍‌ ମାସୁଦ୍‌ ଏହି ସଫଳତା ପାଇଥିଲେ। ହେଲେ ସଂଯୋଗବଶତଃ ଶେଷ ୧୦ ଶତକରେ କେବଳ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ଅବଦାନ ରହିଛି। ସେମାନେ ହେଲେ କରୁଣାରତ୍ନେ, ସନ୍‌ ମାସୁଦ୍‌, କ୍ରିସ୍‌ ରୋଜର୍ସ, ଗ୍ରେମ୍‌ ସ୍ମିଥ୍‌ (୪ ଥର), ଆଲିଷ୍ଟର କୁକ୍‌, ଆଣ୍ଡ୍ରିଉ ଷ୍ଟ୍ରସ୍‌ ଏବଂ ମାଥ୍ୟୁ ଡେଡେନ୍‌।

।୨୦୧୯ରେ ଏପର୍ଯ୍ୟନ୍ତ ଚତୁର୍ଥ ପାଳି ଶତକ ସଂଖ୍ୟା ୩ରେ ପହଞ୍ଚିଛି। ଏହାର ପୂର୍ବ ଶତକ ମଧ୍ୟ ଜଣେ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ଙ୍କ ନାମରେ ରହିଛି। କୁସାଲ ପେରେରା ଅବିସ୍ମରଣୀୟ ୧୫୩ ରନ୍‌ ପାଳି ଖେଳି ଡର୍ବାନ୍‌ରେ ଦଳକୁ ୧ ୱିକେଟ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ପୁଣି ଚଳିତ ବର୍ଷର ୩ଟିଯାକ ଚତୁର୍ଥ ପାଳି ଶତକ ହିଁ ଦଳ ବିଜୟରେ ସହାୟକ ହୋଇଛି। ଅନ୍ୟ ଶତକ ମାରିଥିଲେ ୱେଷ୍ଟଇଣ୍ଡିଜ୍‌ର ରସ୍ତନ ଚେଜ୍‌। ତାଙ୍କ ଅପରାଜିତ ୧୦୨ ରନ୍‌ ବଳରେ ‌ଇଣ୍ଡିଜ୍‌ଠୁ ଇଂଲଣ୍ଡ ହାରିଥିଲା।

।୧୬୧ ରନ୍‌ ବା ତା’ଠୁ ଅଧିକ ପ୍ରଥମ ୱିକେଟ୍‌ ଭାଗୀଦାରି ଏସିଆରେ କୌଣସି ଟେଷ୍ଟ୍‌ରେ ତୃତୀୟ ଥର ହୋଇଛି। ୧୯୭୮ରେ ଜିଓଫ ବୟକଟ୍‌ ଓ ମାଇକ୍‌ ବ୍ରିୟର୍ଲି ପାକିସ୍ତାନର ହାଇଦ୍ରାବାଦରେ କରିଥିବା ୧୮୫ ରନ୍‌ ଏବଂ ମୋହସିନ୍‌ ଖାନ୍‌ ଓ ସୋଏବ୍‌ ମହମ୍ମଦ ୧୯୮୪ରେ ଇଂଲଣ୍ଡ ବିପକ୍ଷରେ ଲାହୋରରେ କରିଥିବା ୧୭୩ ରନ୍‌ କରୁଣାରତ୍ନେ ଓ ଥିରିମାନେ (୧୬)ଙ୍କଠୁ ଉପରେ ରହିଛି।

।ଶ୍ରୀଲଙ୍କାରେ କ୍ରମାଗତ ୨୫ ଟେଷ୍ଟ୍‌ରୁ ଫଳାଫଳ ବାହାରିଛି। ୨୦୧୪ ଜୁଲାଇରେ ଶେଷ ଥର ପାଇଁ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର