ଶ୍ରୀଜେସ୍‌ ଅଧିନାୟକ ପଦକୁ ଫେରିଲେ:ରାଣୀ ମହିଳା ଦଳର ନେତୃତ୍ୱ ବଜାୟ ରଖିଲେ

ନୂଆଦିଲ୍ଲୀ: ତାରକା ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ପୁଣି ଥରେ ଭାରତୀୟ ହକି ଦଳର ଅଧିନାୟକ ପଦକୁ ଫେରିଛନ୍ତି। ମନ୍‌ପ୍ରୀତ୍‌ ସିଂହଙ୍କ ସ୍ଥାନରେ ହକି ଇଣ୍ଡିଆ ଶୁକ୍ରବାର ତାଙ୍କୁ ନେତୃତ୍ୱ ଭାର ସମର୍ପଣ କରିଛି। ସେହିପରି ରାଣୀ ରାମ୍‌ପଲ୍‌ ମହିଳା ଦଳର ନେତୃତ୍ୱ ବଜାୟ ରଖିଥିବା ହକି ଇଣ୍ଡିଆ ଶୁକ୍ରବାର ସ୍ପଷ୍ଟ କରିଛି। ଉଭୟ ଶ୍ରୀଜେସ୍‌ ଓ ରାଣୀ ୨୦୧୮ ଶେଷ ପର୍ଯ୍ୟନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରାଯାଇଛି। ଗତବର୍ଷ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ବେଳେ ଆଣ୍ଠୁରେ ଆଘାତ ଯୋଗୁଁ ଶ୍ରୀଜେସ୍‌ଙ୍କ ବଦଳରେ ମନ୍‌ପ୍ରୀତ୍‌ ଦଳର ଅଧିନାୟକ ମନୋନୀତ ହୋଇଥିଲେ। ମନ୍‌ପ୍ରୀତ୍‌ ମଧ୍ୟ ଭାରତକୁ ଏସିଆ କପ୍‌ (ଢାକା) ବିଜେତା କରାଇଥିଲା ବେଳେ ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ସରେ କାଂସ୍ୟ ଭେଟି ଦେଇଥିଲେ।

ଅନ୍ୟପକ୍ଷରେ ଶ୍ରୀଜେସ୍‌ଙ୍କ ନେତୃତ୍ୱରେ ଭାରତ ୨୦୧୬ ଚାମ୍ପିଅନ୍‌ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିଲା। ସର୍ଦାର ସିଂହଙ୍କଠୁ ନେତୃତ୍ୱ ଭାର ନେଇଥିବା ଶ୍ରୀଜେସ୍‌ ରିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ତେବେ ଆହତରୁ ମୁକୁଳିବା ପରେ ଚଳିତ ବର୍ଷ ଜାନୁଆରିରେ ସେ ନ୍ୟୁଜିଲାଣ୍ଡ୍‌ରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତା ଜରିଆରେ ଜାତୀୟ ଦଳକୁ ଫେରିଥିଲେ। ସେ ଭଲ ପ୍ରଦର୍ଶନ କରିଚାଲିଥିବାରୁ ପୁଣି ଥରେ ହକି ଇଣ୍ଡିଆ ତାଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଥିଲା। ତେଣୁ ଚଳିତ ବର୍ଷ ଶେଷ ସୁଦ୍ଧା ଦଳର ସନ୍ତୁଳନ ରକ୍ଷା ପାଇଁ ସମସ୍ତ ପ୍ରତିଯୋଗିତା ପାଇଁ ଉଭୟ ପୁରୁଷ ଓ ମହିଳା ଦଳରେ ଜଣେ ଲେଖାଏଁ ଅଧିନାୟକ ହିଁ ରହିବେ ବୋଲି ହକି ଇଣ୍ଡିଆ ମହାସଚିବ ମୁସ୍ତାକ୍‌ ଅହମ୍ମଦ କହିଛନ୍ତି।

ସମ୍ବନ୍ଧିତ ଖବର