ଜର୍ମାନିରେ ସ୍ୱର୍ଣ୍ଣ-ରୌପ୍ୟ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ୱର: ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ଅନ୍ତର୍ଜତୀୟ ସଫଳତା ଲମ୍ବି ଲମ୍ବି ଚାଲିଛି। ଶ୍ରୀୟଙ୍କା ଜର୍ମାନିର ହାନୋଭର୍‌ରେ ଚାଲିଥିବା ଅନ୍ତର୍ଜାତୀୟ ବଂଧୁକଚାଳନା ପ୍ରତିଯୋଗିତାରେ ଶୁକ୍ରବାର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ୧୦ ମିଟର୍‌ ଏୟାର ରାଇଫଲ୍‌ ମହିଳା ବର୍ଗରେ ଶ୍ରୀୟଙ୍କା ଯୋଗ୍ୟତା ପର୍ଯ୍ୟାୟରେ ପ୍ରଶଂସନୀୟ ଭାବେ ୮୨୮.୪ ପଏଣ୍ଟ୍‌ ସ୍କୋର କରିଥିଲେ। ଏହି ବ୍ୟକ୍ତିଗତ ଫାଇନାଲ୍‌ରେ ଜଣେ ଜର୍ମାନି ପ୍ରତିଯୋଗୀଙ୍କ ସହ ସ୍କୋର୍‌ ଟାଇ ହେବା ପରେ ସୁଟ୍‌ ଅଫ୍‌ରେ ସେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ ମହିଳା ଦଳଗତ ବର୍ଗରେ ଲଜ୍ଜା ଗୋସ୍ୱାମୀ, ବିନିତା ଭରଦ୍ୱାଜଙ୍କୁ ସାଥୀ କରି ଶ୍ରୀୟଙ୍କା ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପଦକ ଜିତିସାରିଥିବା ଶ୍ରୀୟଙ୍କା ଏପ୍ରିଲ୍‌ ମାସରେ ଦକ୍ଷିଣ କୋରିଆର ଚାଙ୍ଗ୍‌ଓ୍ଵନ୍‌ରେ ଆଇଏସ୍‌ଏସ୍‌ ବିଶ୍ୱକପ୍‌ରେ ଖେଳିଥିଲେ। ଚଳିତ ମାସ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଜର୍ମାନିର ମ୍ୟୁନିକ୍‌ରେ ହେବାକୁ ଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ମଧ୍ୟ ସେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର