ବିଶ୍ୱକପ୍‌ ଲାଗି ହକି ଷ୍ଟାଡିୟମ୍‌ କାର୍ଯ୍ୟ ତ୍ୱରାନ୍ଵିତ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ହକି ବିଶ୍ୱକପ୍‌ ଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ହକି କମ୍ପ୍ଲେକ୍ସ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଜୁନ୍‌ ମାସ ସୁଦ୍ଧା ଷ୍ଟାଡିୟମ୍‌ କାର୍ଯ୍ୟ ଶେଷ ହୋଇଯିବ ବୋଲି ଧାର୍ଯ୍ୟ କରାଯାଇଛି। ଯୋଜନା ଅନୁସାରେ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୯,୦୦୦ରୁ ୧୬,୦୦୦କୁ ବୃଦ୍ଧି କରାଯାଇଛି। ମୁଖ୍ୟ ଷ୍ଟାଡିିୟମ୍‌ ଏବଂ ଅଭ୍ୟାସ ପଡ଼ିଆର ଟର୍ଫକୁ କଢ଼ାଯାଇ ନୂଆ ଟର୍ଫ ବିଛାଯାଉଛି। ପୁରୁଣା ଟର୍ଫ ଗୁଡ଼ିକ ସୁନ୍ଦରଗଡ଼, ଜୁଜୁମୋରା ଓ ସମ୍ବଲପୁରରେ ବିଛାଯିବ। ପୂର୍ବରୁ ଷ୍ଟାଡିୟମ୍‌ର ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ଗ୍ୟାଲେରି ରହିଥିବା ବେଳେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ଗ୍ୟାଲେରି ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ମଧ୍ୟ ଜୁନ୍‌ ମାସ ମଧ୍ୟରେ ଶେଷ ହେବାକୁ ଧାର୍ଯ୍ୟ ହୋଇଛି। ଫ୍ଲଡ୍‌ଲାଇଟ୍‌ କାର୍ଯ୍ୟ ମଧ୍ୟ ଉନ୍ନତିକରଣ କରାଯିବ। ପୁନଃନିର୍ମାଣ କରାଯାଉଥିବା ସନ୍ତରଣାଗାର କାର୍ଯ୍ୟ ଶେଷ ହୋଇଯାଇଛି। ବିଶ୍ୱ କପ୍‌ ସମୟରେ କଳିଙ୍ଗ ଷ୍ଟାଡିୟମ୍‌କୁ ଗମନାଗମନ ବ୍ୟବସ୍ଥା ସୁଧାରିବା ଲାଗି ମଧ୍ୟ ରାସ୍ତା ସବୁକୁ ଓସାରିଆ କରାଯାଉଛି। ପାର୍କିଂ ସ୍ଥାନ ମଧ୍ୟ ବିକଶିତ କରାଯାଉଛି। ଫ୍ୟାନ୍‌ ଜୋନ୍‌ରେ କାଫେଟେରିଆ, ଫୁଡ୍‌ କୋର୍ଟ ଏବଂ ସୋଭେନିର୍‌ ସେଣ୍ଟର୍‌ ରହିବ। ଓଡ଼ିଶା ହକି ବିଶ୍ୱକପ୍‌ ସହ ପ୍ରଶଂସକଙ୍କୁ ଯୋଡ଼ି ରଖିବା ଲାଗି ମଧ୍ୟ ସମ୍ପୂର୍ଣ୍ଣ ଷ୍ଟାଡିୟମ୍‌କୁ ଓ୍ଵାଇ ଫାଇ ସଂଯୋଗରେ ରଖାଯିବ। ପ୍ରତିଯୋଗିତା ପୂର୍ବରୁ ଟ୍ରାଫିକ୍‌ ନିର୍ଦେଶାବଳି ପ୍ରସାରିତ ହେବ ଏବଂ ଲୋକମାନେ ସେହି ଅନୁସାରେ ଯୋଜନା କରିପାରିବେ। ଟ୍ରାଫିକ୍‌ ନିୟଂତ୍ରଣକୁ ସୁଗମ ଏବଂ ପଦଚାରିଙ୍କୁ ବିନା ବାଧାରେ ଗମନାଗମନ ଲାଗି ମଧ୍ୟ ଷ୍ଟାଡିୟମ୍‌ ନିକଟରେ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ହେବ।

ସମ୍ବନ୍ଧିତ ଖବର