ବଡ଼ ଲଢ଼େଇରୁ ଅଭିଯାନ

ପ୍ରି-କ୍ୱାର୍ଟର ପରୀକ୍ଷା ଆଜିଠାରୁ

କାଜାନ/ସୋଚି: ମୋଟ ୩୨ ଦଳରୁ ଛଣା ହୋଇଗଲେ ୧୬ ଶ୍ରେଷ୍ଠ ଦଳ। ଏଣିକି ମିଳିବନି ଦ୍ୱିତୀୟ ସୁଯୋଗ। ‘କର ବା ମର’ ପର୍ଯ୍ୟାୟରେ ପହଞ୍ଚିଛି ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣ। ଶନିବାର ସଂଧ୍ୟା ୭.୩୦ରେ ଦୁଇ ପୂର୍ବ ବିଜେତା ଫ୍ରାନ୍‌ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ୍‌। ଏହା ପରେ ମଧ୍ୟରାତି ୧୧.୩୦ରେ ଖେଳିବେ ପର୍ତୁଗାଲ୍‌ ଓ ଉରୁଗୁଏ। ପ୍ରିକ୍ୱାର୍ଟର ଫାଇନାଲର ପ୍ରଥମ ମୁକାବିଲା ହିଁ ରୋମାଞ୍ଚଭରା ଫୁଟ୍‌ବଲ୍‌ ଦେଖାଇବ ବୋଲି ପ୍ରତିଶ୍ରୁତି ରଖିଛି।

ଗ୍ରୁପ୍‌ ପର୍ଯ୍ୟାୟରେ ବହୁ ପ୍ରତିବଂଧକ ଦେଇ ଆସିଛି ଆର୍ଜେଣ୍ଟିନା। ବୟସ୍କ ଖେଳାଳିଙ୍କ ସମସ୍ୟା ଭିତରେ କ୍ରୋଏସିଆ ନିକଟରୁ ପରାଜିତ ହୋଇ ଆଶଙ୍କାରେ ପଡ଼ିଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ନାଇଜେରିଆକୁ ହରାଇ ଆଗକୁ ବଢ଼ିଛି ଏହି ଦଳ। ପ୍ରଥମ ମ୍ୟାଚ୍‌ରେ ଆଇସଲାଣ୍ଡ୍‌ ସହିତ ପଏଣ୍ଟ୍‌ ବାଣ୍ଟିଥିଲା। ଅନ୍ୟପକ୍ଷରେ ୧୯୯୮ ବିଜେତା ଫ୍ରାନ୍‌ସ ଅଷ୍ଟ୍ରେଲିଆ ଏବଂ ପେରୁକୁ ହରାଇ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଶେଷ ଲିଗ୍‌ରେ ଡେନ୍‌ମାର୍କ ସହିତ ଗୋଲଶୂନ୍ୟ ଅମୀମାଂସିତ ରଖିଥିଲା। ଅପରାଜିତ ରହି ଆସିଛି ଏହି ଦଳ। କିନ୍ତୁ ଅଧିକ ଗୋଲ୍‌ ଦେଇନଥିବାରୁ ଆଶଙ୍କାରେ ରହିଛି। ଡିଏଗୋ ମାରାଡୋନାଙ୍କ ଚିତ୍କାର ଓ ସମାଲୋଚନା ପରେ ୨୦୧୪ ଉପ ବିଜେତା ଆର୍ଜେଣ୍ଟିନା ନାଇଜେରିଆ ବିପକ୍ଷ ବିଜୟରେ ମେସିଙ୍କଠାରୁ ପ୍ରଥମ ଗୋଲ୍‌ ପାଇଥିଲା। ଦିଦିଏର୍‌ ଦେଶଚାମ୍ପ୍‌ସଙ୍କ ଫ୍ରାନ୍‌ସ ଦଳ କିନ୍ତୁ ପ୍ରାକ୍‌ ବିଶ୍ୱକପ୍‌ ଦାବିଦାର ରହିଛି। ଏହି ଲଢ଼େଇରେ ମେସିଙ୍କ ପାଦ ଗୋଲ୍‌ କଥା କହିଲେ ହିଁ ଆର୍ଜେଣ୍ଟିନା ଚମକିବ ଏବଂ ଫ୍ରାନସ ପାଇଁ ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କୁ ବି ଗର୍ଜିବାକୁ ପଡ଼ିବ। ପ୍ରତିଯୋଗିତାର ଅସଲ ତଥା ନୂଆ ଲଢ଼େଇ ଏବେଠାରୁ ଆରମ୍ଭ ହେବ। ଆମ ସମ୍ମୁଖରେ ପାହାଡ଼ ଚଢ଼ିବାକୁ ରହିଛି ବୋଲି କହିଛନ୍ତି ଫ୍ରାନ୍‌ସ ପ୍ରଶିକ୍ଷକ ଦିଦିଏର୍‌ ଦେଶଚାମ୍ପସ। ଅନ୍ୟପକ୍ଷରେ ୫ ଥର ବାଲନ୍‌ ଡି’ଓର୍‌ ପୁରସ୍କାର ପାଇଥିବା ଲିଓନେଲ୍‌ ମେସିିଙ୍କ ଉପରେ ରହିବ ସମ୍ପୂର୍ଣ୍ଣ ଆର୍ଜେଣ୍ଟିନା ଦଳର ଭାଗ୍ୟ। ସେହିଭଳି ୧୪୫ ନିୟୁତ ୟୁରୋ ମୂଲ୍ୟ ପାଇଁ ଚର୍ଚିତ ଥିବା ସ୍ୱଳ୍ପ ବୟସ ତାରକା କାଲିଏନ୍‌ ଏମ୍‌ବାପେ ଏବଂ ଓଲିଭର୍‌ ଗିରୋଡଙ୍କ ଉପରେ ଭରସା ରଖିଛି ଫ୍ରାନ୍‌ସ। ବିଶ୍ୱକପ୍‌ର ପ୍ରଥମାର୍ଧ ଶେଷ ହେବା ପରେ ଏବେ ପର୍ତୁଗାଲ୍‌-ଉରୁଗୁଏ ମୁକାବିଲା ଦ୍ୱିତୀୟାର୍ଧର କାହାଣୀକୁ ଗତିଶୀଳ କରିବ। ଦକ୍ଷିଣ ଆମେରିକୀୟ ଏବଂ ୟୁରୋପୀୟ ବିଜେତାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଏହି ମୁକାବିଲା ମଧ୍ୟ କ୍ରିିଷ୍ଟିଆନୋ ରୋନାଲ୍‌ଡୋ ଓ ଲୁଇସ୍‌ ସୁଆରେଜଙ୍କ ବ୍ୟକ୍ତିଗତ ମୁକାବିଲାର ଝଲକ ରଖିବ। ସୁଆରେଜଙ୍କ ସହିତ ରହିଛନ୍ତି ଏଡିନ୍‌ସନ୍‌ କାଭାନି। ଏହି ସବୁ ବଡ଼ ତାରକାଙ୍କ ଛୋଟିଆ ଭୁଲ ବି ସେମାନଙ୍କୁ ଗଭୀର ଦୁଃଖ ଭିତରକୁ ଠେଲିଦେବ। ସେହିଭଳି ପଡ଼ିଆ ବାହାରେ ସବଠୁ ଅଭିଜ୍ଞ ଦୁଇ ପ୍ରଶିକ୍ଷକ ଓସ୍କାର ତାବାରେଜ ଏବଂ ଫର୍ନାଣ୍ଡୋ ସାଣ୍ଟୋସ୍‌ଙ୍କ କୌଶଳ କେତେ ସଫଳ ରୂପାୟନ ହେବ ଦେଖିବେ ଦର୍ଶକ। ପର୍ତୁଗାଲ୍‌ କ୍ରମେ ଶକ୍ତିଶାଳୀ ଲାଗୁଛି ମ୍ୟାଚ ଆଗେଇବା ସହିତ।

ସମ୍ବନ୍ଧିତ ଖବର