ଲୁଝ୍‌ନିକି କମ୍ପିଲା, ମନ୍ତ୍ରମୁଗ୍ଧ ମାହୋଲ୍‌ରେ ଫୁଟ୍‌ବଲ୍‌ ମହାକୁମ୍ଭର ଶୁଭାରମ୍ଭ

ମସ୍କୋ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା। ସାରା ବିଶ୍ୱକୁ ଫୁଟବଲ୍‌ ଜ୍ୱର ଗ୍ରାସିଲା। ମନ୍ତ୍ରମୁଗ୍ଧ ମାହୋଲ ଏବଂ ୮୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ମସ୍କୋର ଲୁଝ୍‌ନିକି ଷ୍ଟାଡିୟମରେ ଫୁଟ୍‌ବଲ୍‌ ମହାକୁମ୍ଭର ମହାଆରମ୍ଭ ହେଲା। ୩୨ ଦଳକୁ ନେଇ ମାସାଧିକ କାଳ ଚାଲିବାକୁ ଥିବା ଫୁଟ୍‌ବଲ୍‌ ବିଶ୍ୱଯୁଦ୍ଧର ଶୁଭ ଆରମ୍ଭ ଗୁରୁବାର ରାତିରେ ରୁଷିଆ-ସାଉଦି ଆରବ ଲଢ଼େଇରୁ ହେଲା। ମ୍ୟାଚ୍‌ ଆରମ୍ଭର ଅଧଘଣ୍ଟାଏ ପୂର୍ବରୁ ହୋଇଥିବା ଉଦଘାଟନୀ ଉତ୍ସବ କିନ୍ତୁ ଲୁଝ୍‌ନିକି ଦର୍ଶକଙ୍କ ସହ ଟେଲିଭିଜନ ପରଦାରେ ଏହାକୁ ଦେଖୁଥିବା କୋଟି କୋଟି ଫୁଟ୍‌ବଲ୍‌ ପ୍ରେମୀଙ୍କ ମନ କିଣିନେଲା। ବ୍ରିଟିସ୍‌ ଗାୟକ ରୋବି ଓ୍ଵିଲିୟମ୍ସ ଏବଂ ରୁଷିଆ ଗାୟିକା ଆଇଦା ଗାରିଫୁଲିନାଙ୍କ ସୁମଧୁର ସ୍ୱର ସହ ମତୁଆଲା ଦର୍ଶକଙ୍କ ରଡ଼ିରେ ଲୁଝିନିକି ଆଜି ଏକ ପ୍ରକାର କମ୍ପି ଉଠିଥିଲା। ଗୁରୁବାର ରାତିରେ ସର୍ବପ୍ରଥମେ ସ୍ପେନ୍‌ର ପୂର୍ବତନ ଅଧିନାୟକ ତଥା ଗୋଲ୍‌ ରକ୍ଷକ ଇକର କାସିଲାସ୍‌ ଓ ମଡେଲ ନତାଲିଆ ବୋଡିଓନୋଭା ବିଶ୍ୱକପ୍‌ ଟ୍ରଫି ନେଇ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥିଲେ। ଏହାର କିଛି କ୍ଷଣ ପରେ ବ୍ରାଜିଲର ମହାନ ଖେଳାଳି ରୋନାଲଡୋ ଆସିଥିଲେ। ସାଥୀରେ ଆଣିଥିବା ବଲ୍‌କୁ ସେ ମାସ୍କଟ ଆଡ଼କୁ ବଢ଼ାଇ ଦେଇଥିଲେ। ଯାହାକୁ ତାଙ୍କ ସାଥୀରେ ଆସିଥିବା ଭାଗ୍ୟଶାଳୀ ବାଳକ କିକ୍‌ ମାରି ପାରମ୍ପରିକ ଶୈଳୀରେ ଉଦଘାଟନୀ ଉତ୍ସବର ଆରମ୍ଭ କରିଥିଲେ।

ପ୍ରଥମେ ପ୍ରଦର୍ଶିତ ହୋଇଥିଲା ଏଭ ଭିଡିଓ। ଏଥିରେ ବିଶ୍ୱକପ୍‌ ଆୟୋଜନ କରୁଥିବା ୧୧ ସହର ଏବଂ ୧୨ ଷ୍ଟାଡିୟମର ଚିତ୍ର ଦେଖାଯାଇଥିଲା। ରଙ୍ଗାରଙ୍ଗ ପରିବେଶରେ ବ୍ରିଟିସ୍‌ ଗାୟକ ରୋବି ଓ୍ଵିଲିୟମ୍ସ ‘ଆଇ ନୋ’ ଗୀତରୁ ଉଦଘାଟନୀ ସମାରୋହର ସାଂସ୍କୃତିକ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ। ଏହା ପରେ ରୁଷୀୟ ଗାୟିକା ଆଇଦା ଗାରିଫୁଲିନା ସଂଗୀତ ପରିବେଷଣ କରିଥିଲେ। ଫୁଟ୍‌ବଲ୍‌ ଭଳି ଦେଖା ଯାଉଥିବା ମଞ୍ଚରେ ଉଭୟଙ୍କ ଯୁଗଳବନ୍ଦୀରେ କିନ୍ତୁ ଦର୍ଶକ ଝୁମି ଯାଇଥିଲେ। ସେହିଭଳି ସ୍ଥାନୀୟ କଳାକାରଙ୍କ ଦ୍ୱାରା ରୁଷିଆର ମହନୀୟ ସଂସ୍କୃତିର ନିଖୁଣ ଭାବେ ପରିବେଷଣକୁ ସେମାନେ ମନଭରି ଉପଭୋଗ କରିଥିଲେ। ସେମାନେ ଯେମିତି ପୂରା ବିଭୋର ହୋଇ ଯାଇଥିଲେ। ଏହି ଅବସରରେ ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରୁଥିବା ୩୨ ଦେଶର ପତାକା ସହ ୩୨ ଯୋଡ଼ା ପୁରୁଷ-ମହିଳା ମାର୍ଚପାଷ୍ଟ କରିଥିଲେ। ରୋବି ଏବଂ ଆଇଦାଙ୍କ କାର୍ଯ୍ୟକ୍ରମ ସରିବା ପରେ ମ୍ୟାଚ୍‌ର ଆନୁଷ୍ଠାନିକ ବଲ୍‌ ନେଇ ମଡେଲ ଭିକ୍ଟୋରିଆ ଲୋପରିୟା ପଡ଼ିଆକୁ ଓହ୍ଲାଇଥିଲେ।

ଏହା ପରେ ରୋନାଲ୍‌ଡୋ ମାସ୍କଟ ଜାବୀଭାକା ସହ କିଛି ସମୟ ଫୁଟ୍‌ବଲ୍‌ ଖେଳିଥିଲେ। ଉତ୍ସବରେ ବିଶ୍ୱ ଫୁଟବଲ୍‌ ମହାସଂଘ ବା ଫିଫାର ବରିଷ୍ଠ ଅଧିକାରୀଙ୍କ ସହ ଆର୍ମେନିଆ, ଆଜାରବାଇଜାନ, ବେଲାଋଷ, ବୋଲିଭିଆ, ଉତ୍ତର କୋରିଆ, କାଜାକିସ୍ତାନ, କିର୍ଗିଜସ୍ତାନ, ଲେବାନନ୍‌, ମଲଡୋଭା, ପାନାମା ଓ ସାଉଦି ଆରବ ଭଳି ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସବୁଦଳକୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱକପ୍‌ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର