ଆଜିଠୁ ଓଡ଼ିଶା-ୟୁପି ସିକେ ନାୟୁଡୁ ମ୍ୟାଚ୍‌

ସମ୍ବଲପୁର: ୨୩ ବର୍ଷରୁ କମ୍‌ ଅନ୍ତଃରାଜ୍ୟ କ୍ରିକେଟ୍‌ ପ୍ରତିଯୋଗିତା ସିକେ ନାୟୁଡୁ ଟ୍ରଫିର ପ୍ଲେଟ୍‌ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିବା ଓଡ଼ିଶା ନିଜ ତୃତୀୟ ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ଭେଟିବାକୁ ଯାଉଛି। ଯଦି ଓଡ଼ିଶା ଦଳ ଚଳିତ ଋତୁରେ ଉନ୍ନତ ପ୍ରଦର୍ଶନ କରି ଏଲିଟ୍‌ ଗ୍ରୁପ୍‌କୁ ଯିବା ପାଇଁ ଲକ୍ଷ୍ୟ ରଖିଥିବ ତାହେଲେ ଏହା ତା’ ପାଇଁ ଶେଷ ସୁଯୋଗ ହେବ। ବର୍ତମାନ ପର୍ଯ୍ୟନ୍ତ ପଏଣ୍ଟ ତାଲିକାର ସବା ତଳେ ରହିଥିବା ଓଡ଼ିଶାକୁ ଏହି ମ୍ୟାଚ୍‌ ନିଶ୍ଚିତ ଜିତିବାକୁ ହେବ। ତେଣୁ ଗୁରୁବାରଠାରୁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଥିବା ଏହି ମ୍ୟାଚ୍‌ ଘରୋଇ ଦଳ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ।

ଗତ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ପଡ଼ୋଶୀ ଛତିଶଗଡ଼ଠାରୁ ପ୍ରଥମ ପାଳି ପଛୁଆ ରହି ୧ ପଏଣ୍ଟ ପାଇଥିଲା। ଉକ୍ତ ମ୍ୟାଚ୍‌ର ଦ୍ୱିତୀୟ ପାଳିରେ ଓଡ଼ିଆ ତାରକା ରାଜେଶ ଧୂପର ଏବଂ ଦେବାଶିଷ ସାମନ୍ତରାୟ ଶତକ ହାସଲ କରିଥିଲେ। ସେହିପରି ସମ୍ବଲପୁର ଦ୍ରୁତ ବୋଲର୍‌ ଦେବବ୍ରତ ପ୍ରଧାନ ଏବଂ ଅଭିଜ୍ଞ ସ୍ପିନର୍‌ ଶୁଭମ ନାୟକ ୨ଟି ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଗତ ୧୫ରୁ ୧୮ ପର୍ଯ୍ୟନ୍ତ ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମଧ୍ୟ ପ୍ରଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ଦେବବ୍ରତ ଦଳରୁ ବାଦ ପଡ଼ିଥିଲେ। ହେଲେ ସେହି ମ୍ୟାଚ୍‌ରେ ୫ଟି ଓ୍ଵିକେଟ୍‌ ନେଇ ଶୁଭମ ରଣଜୀ ଡାକରା ପାଇଥିଲେ। ଦେବବ୍ରତଙ୍କ ବଦଳରେ ନୂଆ ବଲ୍‌ ପକାଇଥିବା ଆଶୁତୋଷ ଦାସଙ୍କୁ ବି ୩ ଓ୍ଵିକେଟ୍‌ ସଫଳତା ମିଳିଥିଲା। ମଧ୍ୟ ପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁ ସେନାପତି ଦ୍ୱିତୀୟ ପାଳିରେ ୧୬୨ ରନ୍‌ର ବଡ଼ ସ୍କୋର କରିଥିଲେ। ଅଧିନାୟକ ଦେବେନ୍ଦ୍ର କୁଅଁର ୫୯, ସଂଦୀପ ପଟ୍ଟନାୟକ ୪୫, ରାଜେଶ ଧୂପର ୪୬ ରନ୍‌ କରିଥିଲେ।

ଇତି ମଧ୍ୟରେ ଶୁଭ୍ରାଂଶୁ, ସଂଦୀପ ଏବଂ ଶୁଭମ୍‌ ରଣଜୀ ଦଳରେ ସାମିଲ ହୋଇଥିବାରୁ ଓଡ଼ିଶାର ଯୁବ ଦଳ ଏବେ ଅଧିକ ଦୁର୍ବଳ ହୋଇଛି। ଦଳ ଏଥର ପ୍ରାୟ ଅଧଡଜନ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇବ। ଏହାର ବ୍ୟାଟିଂ ମୁଖ୍ୟତଃ ଓ୍ଵିକେଟ୍‌ ରକ୍ଷକ ଓପନର ରାଜେଶ ଧୂପର ଏବଂ ଅଧିନାୟକ ଦେବେନ୍ଦ୍ର କୁଅଁରଙ୍କ ଉପରେ ନିର୍ଭର କରିବ। ଏହାଛଡ଼ା ଗତ ମ୍ୟାଚ୍‌ରେ ସ୍ଥାନ ପାଇ ନଥିବା ବିଶ୍ୱଜିତ ଭୂୟାଁ, ନିର୍ନିମେଶ ଜେନା, ଅଭିଜିତ ଘାନା, ପପ୍ପୁ ରାୟ ଏବଂ ଦେବବ୍ରତ ପ୍ରଧାନଙ୍କ ଖେଳିବା ସମ୍ଭାବନା ରହିଛି। ସମ୍ବଲପୁରରେ ଖେଳ ହେଉ ଥିବାରୁ ସ୍ଥାନୀୟ ତାରକା ଦେବବ୍ରତଙ୍କ ଉପରେ ସଭିଙ୍କ ନଜର ରହିବ। ସମ୍ବଲପୁର ପିଚ୍‌ ଉଭୟ ବୋଲର୍‌ ଓ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସୁହାଇବ ବୋଲି କୁହାଯାଉଛି। ବୁଧବାର ଉଭୟ ଦଳ ସକାଳ ୮ଟାରୁ ୧୨ ପର୍ଯ୍ୟନ୍ତ ଅଭ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର