କଟକ ଦଳଗତ ବିଜେତା ସମସାଦ୍‌ ଓ ପୁଙ୍ଗା ଶ୍ରେଷ୍ଠ

ରାଜ୍ୟ ଦୌଡ଼କୁଦରେ ୧୨ କୀର୍ତ୍ତିମାନ

କଟକ: ବାରବାଟୀ ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ୬୫ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ କଟକ ୬୪୧ ପଏଣ୍ଟ ପାଇ ଦଳଗତ ବିଜେତା ଓ ସୁନ୍ଦରଗଡ଼ ୩୬୧ ପଏଣ୍ଟ ସହ ଉପ ବିଜେତା ହୋଇଛି। ପୁରୁଷ, ମହିଳା, ୨୦ ବର୍ଷରୁ କମ୍‌ ବାଳକ ଓ ବାଳିକାରେ କଟକ ଯଥାକ୍ରମେ ୧୧୮, ୮୮, ୯୭, ୧୧୯ ପଏଣ୍ଟ ପାଇ କଟକ ତାହାର ଆଧିପତ୍ୟ ବିସ୍ତାର କରିଥିଲା। ସେହିପରି ୧୮ ବର୍ଷରୁ କମ୍‌ ବାଳକ, ବାଳିକା, ୧୪ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼ ୫୭, ୧୦୭, ୪୫ ପଏଣ୍ଟ ସହ ଗ୍ରୁପ୍‌ ବିଜେତା ହୋଇଥିଲା। ୧୬ ବର୍ଷରୁ କମ୍‌ ବାଳକରେ ୪୩, ୧୪ ବର୍ଷରୁ କମ୍‌ ବାଳକରେ ୨୬ ପଏଣ୍ଟ ପାଇ କୋରାପୁଟ ଏହା ପଛକୁ ରହିଛି। ୧୬ ବର୍ଷରୁ କମ୍‌ ବାଳିକାରେ ମୟୁରଭଞ୍ଜ ୪୭ ପଏଣ୍ଟ ସହ ବିଜେତା ହୋଇଛି। ୫୦୦୦ ଏବଂ ୧୦,୦୦୦ ମିଟରରେ ଯଥାକ୍ରମେ ରାଜ୍ୟ ଓ ମିଟ୍‌ କୀର୍ତିମାନ କରିଥିବା ସମସାଦ ଆରା ବେଗମଙ୍କୁ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ଭାବେ ଶଶୀକାନ୍ତ ମହାପାତ୍ର ସ୍ମାରକୀ ଟ୍ରଫି ଏବଂ ପୁଙ୍ଗା ସୋରେନ୍‌ଙ୍କୁ ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍‌ ଭାବେ କାର୍ଲଲୁଇସ୍‌ ଆଥଲେଟିକ୍‌ ଆସୋସିଏସନ୍‌ (ଜୋଡ଼ା) ସମ୍ମାନ ପ୍ରଦାନ କରାଯାଇଥିଲା।

ତିନି ଦିନିଆ ଏହି ପ୍ରତିଯୋଗିତା କାଳରେ ମୋଟ ୧୨ଟି କୀର୍ତ୍ତିମାନ ସ୍ଥାପନ ହୋଇଛି। ଏଥି ମଧ୍ୟରେ ସମ୍‌ସାଦ ଆରା ବେଗମ୍‌ ଦୁଇଟି ଇଭେଣ୍ଟରେ କୀର୍ତ୍ତିମାନ କରିବା ସହ ୫୦୦୦ ମିଟରରେ ରାଜ୍ୟ କୀର୍ତ୍ତିମାନ (୧୮ ମିନିଟ୍‌ ୧୪.୯ ସେକେଣ୍ଡ୍‌) କରିଥିଲେ। ଶେଷ ଦିନରେ ମହିଳା ୧୦୦୦୦ ମିଟରରେ ସମ୍‌ସାଦ (୩୪ ମିନିଟ୍‌. ୯.୭ ସେକେଣ୍ଡ୍‌), ହାମର୍‌ ଥ୍ରୋରେ ଦିବ୍ୟା ସାନ୍ଦିଲ୍ୟ (୪୮.୩୨ ମିଟର୍‌), ୧୮ ବର୍ଷରୁ କମ୍‌ ବାଳିକା ହାମର ଥ୍ରୋରେ ସ୍ୱେତଲିନା ନାୟକ (୨୮.୩୭ ମିଟର୍‌), ୨୦ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ ସ୍ୱାଧୀନ କୁମାର ମାଝୀ (୧.୯୭ ମିଟର୍‌) ନୂଆ ମିଟ୍‌ କୀର୍ତ୍ତିମାନ କରିଥିଲେ।


ଶେଷ ଦିନରେ ଅନ୍ୟାନ୍ୟ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ୧୬ ବର୍ଷରୁ କମ୍‌ ବାଳକ ୨୦୦ ମିଟର ଦୌଡ଼ରେ ମହେନ୍ଦ୍ର ମୁଣ୍ଡା, ୨୦୦୦ମିଟର ଦୌଡ଼ରେ ଅଭି ସିସା, ହାମରରେ ମୋହିତ୍‌ ନାରାୟଣ ସାନ୍ଦିଲ୍ୟ, ପେଣ୍ଟାଥଲନ୍‌ରେ ସିଦ୍ଧାନ୍ତ ଭୂୟାଁ, ୧୮ ବର୍ଷରୁ କମ୍‌ ବାଳକ ୨୦୦ ମିଟର ଦୌଡ଼ରେ ବିଜୟ ଖାଲ୍‌କୋ, ୩୦୦୦ ମିଟର ଦୌଡ଼ରେ ରଶ୍ମିରଂଜନ ନାୟକ, ୨୦୦୦ ମିଟର ଷ୍ଟିପଲ୍‌ ଚେଜ୍‌ରେ ରାଜେନ୍‌ ଏକ୍କା, ୪୦୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌, ପୋଲ୍‌ ଭଲ୍ଟରେ ମୋହନ୍‌ ବେନିଆ, ହାମର୍‌ରେ ରାହୁଲ ନନ୍ଦୀ, ୨୦ ବର୍ଷରୁ କମ୍‌ ବାଳକ ୨୦୦ ମିଟର ଦୌଡ଼ରେ ପ୍ରସନ୍ନଜୀତ କୁଜୁର, ୧୦୦୦୦ ମିଟର ଦୌଡ଼ରେ ରମେଶ ମହାନ୍ତୋ, ୩୦୦୦ମିଟର ଷ୍ଟିପଲ୍‌ ଚେଜ୍‌ରେ ସୁକଲାଲ ମାରାଣ୍ଡି, ୪୦୦ ମିଟର ବାଧାଦୌଡ଼ରେ ପ୍ରସନ୍ନଜୀତ ଖାଖା, ପୋଲ୍‌ ଭଲ୍ଟରେ ପର୍ଶୁରାମ ସାମଲ, ହାମରରେ ଅଭିଷେକ ପଣ୍ଡା, ୧୪ ବର୍ଷରୁ କମ୍‌ ବାଳିକା ହାଇଜମ୍ପରେ ସବିତା ଟପ୍ପୋ, ୧୬ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ଦୌଡ଼ରେ ବୈଷ୍ଣବୀ ହାତୀ, ୨୦୦୦ ମିଟର ଦୌଡ଼ରେ ସୁସ୍ମିତା ମହାପାତ୍ର, ହାଇଜମ୍ପରେ ସଲ୍‌ମା ମାରାଣ୍ଡି, ପେଣ୍ଟାଥଲନ୍‌ରେ ଧନମତୀ ଖେସ୍‌, ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ଦୌଡ଼ରେ ସୁଖୀ ବାସ୍କି, ୩୦୦୦ ମିଟର ଦୌଡ଼ରେ ଶ୍ୱେତା କୁଜୁର, ୪୦୦ ମିଟର ବାଧାଦୌଡ଼ରେ ଜ୍ୟୋତ୍ସ୍ନା ସବର, ଟ୍ରିପଲଜମ୍ପରେ ବିଷ୍ଣୁପ୍ରିୟା ନାୟକ, ହେପ୍‌ଟାଥଲନ୍‌ରେ ସବିତା ହେମ୍ବ୍ରମ୍‌, ୨୦ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି ସାହୁ, ୩୦୦୦ ମିଟର ଦୌଡ଼ରେ ଅମ୍ବିକା ଡିଲା, ୩୦୦୦ ମିଟର ଷ୍ଟିପଲ୍‌ ଚେଜ୍‌ରେ ପ୍ରଭାତୀ ମାଝୀ, ୪୦୦ ମିଟର ବାଧାଦୌଡ଼ରେ ଅଞ୍ଜଳି ବାର୍ଲା, ଟ୍ରିପଲ୍‌ ଜମ୍ପରେ କର୍ମୀ ସିଂହ, ହାମରରେ ଉତ୍କଳିକା ପ୍ରିୟଦର୍ଶିନୀ, ହେପ୍‌ଟାଥଲନ୍‌ରେ ସଂଯୁକ୍ତା ମିଞ୍ଜ, ପୁରୁଷ ୨୦୦ ମିଟର ଦୌଡ଼ରେ ନିରଂଜନ ମହାନ୍ତି, ୧୦୦୦୦ ମିଟର ଦୌଡ଼ରେ ଯୋଗେନ୍ଦ୍ର ତିରିଆ, ୩୦୦୦ ମିଟର ଷ୍ଟିପଲ୍‌ ଚେଜ୍‌ରେ ଜୟକିଶାନ ଖନଙ୍ଗକେଲ୍‌, ୪୦୦ ମିଟର ବାଧାଦୌଡ଼ରେ ରଜତ କୁମାର ଭୈସଲ, ପୋଲ୍‌ ଭଲ୍ଟରେ ହର ଚରଣ ଦାଶ, ହାମରରେ ମଳୟ ରଂଜନ ପତି, ମହିଳା ୨୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ, ୩୦୦୦ମିଟର ଷ୍ଟିପଲ୍‌ ଚେଜ୍‌ରେ ବିଜୟଲକ୍ଷ୍ମୀ ପାତ୍ର, ୪୦୦ ମିଟର ବାଧାଦୌଡ଼ରେ ଜସ୍ମି କିସ୍କୁ, ଟ୍ରପିଲ ଜମ୍ପରେ ସୁରସ୍ମିତା ବଗର, ହେପ୍ଟାଥଲନ୍‌ରେ ଲତିକା ବାସରା ପ୍ରଥମ ସ୍ଥାନରେ ରହିଥିଲେ।

ଉଦ୍‌ଯାପନୀ ସମାରୋହରେ ଭାରତୀୟ ଦୌଡ଼କୁଦ ମହାସଂଘର ଯୁଗ୍ମ ସମ୍ପାଦକ ଅଧୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଓ ବିଜେତା-ଉପ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ବେସ୍‌ବଲ୍‌ ମହାସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ଦୌଡ଼କୁଦ ସଂଘର ସଭାପତି ଜଗମୋହନ ପଟ୍ଟନାୟକ ଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଏହି ସମାରୋହରେ ଅତିଥି ଭାବେ ଯୋଗଦେଇଥିଲେ।

 

ସମ୍ବନ୍ଧିତ ଖବର