ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ହୁଗୁଳା

ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କଲେ ହରିଆନା ଖେଳାଳି

ଭୁବନେଶ୍ୱର: ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ଖେଳ, ଖେଳାଳି ଓ ପ୍ରଶାସନରେ ବି ରହିଛି ଅନେକ ଗୁରୁତର ଅନିୟମିତତା। କେତେବେଳେ ରାଜ୍ୟ ପ୍ରତିଯୋଗିତା ଆୟୋଜନରେ ଅବ୍ୟବସ୍ଥା ତ କେତେବେଳେ ଖେଳାଳି ଚୟନରେ ପାତରଅନ୍ତରର ଅଭିଯୋଗ ଆସୁଛି। ହ୍ୟାଣ୍ଡ୍‌ବଲ୍‌ ଅଲିମ୍ପିକ୍ସ ଖେଳ ହୋଇଥିବାରୁ ଏହାର ପ୍ରତିନିଧିତ୍ୱ ଖେଳାଳିଙ୍କୁ କ୍ରୀଡ଼ା ବିଭାଗରୁ ପରିଚୟ ପତ୍ର ପ୍ରଦାନ ସହିତ ଭବିଷ୍ୟତରେ ନିଯୁକ୍ତି କ୍ଷେତ୍ରରେ ବି ସହାୟକ ହେଉଛି। ଏହାର ଦୁରୂପଯୋଗ କରି ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘ ପ୍ରଶାସକମାନେ ଏବେ ଖେଳର ବିକାଶ ବଦଳରେ ଏହାକୁ ବ୍ୟବସାୟରେ ପରିଣତ କରିଛନ୍ତି। ଏଭଳି ଅଭିସନ୍ଧିର ଗନ୍ଧ ଏବେ ପଦାକୁ ଆସିଛି।

ଗୁରୁବାରଠାରୁ ପଶ୍ଚିମବଙ୍ଗର ବର୍ଧମାନରେ ୨୨ତମ ସର୍ବଭାରତୀୟ ପୂର୍ବାଞ୍ଚଳ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ଭାଗ ନେଉଛି। ଏହା ପୂର୍ବରୁ ନଭେମ୍ବର ମାସ ଶେଷ ସପ୍ତାହରେ ଅବ୍ୟବସ୍ଥା ଭିତରେ ଭୁବନେଶ୍ୱରରେ ରାଜ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଉଭୟ ପ୍ରତିଯୋଗିତା ସମ୍ପର୍କରେ ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘ ଗଣମାଧ୍ୟମକୁ ଜଣାଇବାକୁ ପସନ୍ଦ କରିନଥିଲା। କାରଣ ଥିଲା ନିଜର ଗଫଲତି ଓ ଅନିୟମିତତା କାଳେ ପଦାରେ ପଡ଼ିଯିବ। ଗଣମାଧ୍ୟମ ପ୍ରଶ୍ନବାଣକୁ ଏଡ଼ାଇଯିବା କିନ୍ତୁ ସଂଘ ପାଇଁ ବୁମେରାଂ ହୋଇଥିଲା। ତଥାପି ନିଜ ଆଚରଣରେ ସୁଧାର ଆଣିବା ପରିବର୍ତେ ଏବେ ସଂଘ ନିଜ ମନମୁଖୀ କାରବାରକୁ ଅଧିକ ତୀବ୍ର କରିଛି। ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଓ ବାଳିକା ଦଳ ଏକାଧିକ ମ୍ୟାଚ୍‌ ଖେଳି ସାରିଛି। କିନ୍ତୁ ଏ ସମ୍ପର୍କରେ ରାଜ୍ୟ ସଂଘ ସମ୍ପାଦକ ବଳରାମ ମହାନ୍ତିଙ୍କୁ ଶନିବାର ପ୍ରଶ୍ନ ହେବାରୁ ସେ ମୋ ପାଖରେ ସୂଚନା ନାହିଁ ବୋଲି କହି ଏଡ଼ାଇ ଯାଇଥିଲେ। ଓଡ଼ିଶା ଦଳର ଖେଳାଳି ତାଲିକା ଦେବାକୁ ମଧ୍ୟ ସେ ମନା କରି ଦେଇଥିଲେ। ସବୁଠାରୁ ବଡ଼ କଥା ହେଲା ଓଡ଼ିଶା ବାଳକ ଦଳରୁ ବହୁ ହରିଆନା ଖେଳାଳି ଖେଳୁଥିବାର ସୂଚନା ‘ସମ୍ବାଦ’କୁ ମିଳିଛି। କିନ୍ତୁ ଶ୍ରୀ ମହାନ୍ତି ପୂର୍ବରୁ ଦେଇଥିବା ଏକ ସଫେଇରେ ରାଜ୍ୟ ବାହାର ଖେଳାଳି ଖେଳିବାରେ କିଛି ଅସୁବିଧା ନାହିଁ ବୋଲି କହିଥିଲେ। କିନ୍ତୁ ସେମାନଙ୍କୁ ସାମିଲ କରିବା ଫଳରେ ରାଜ୍ୟରୁ ବଞ୍ଚିତ ହେଉଥିବା ଖେଳାଳିଙ୍କ ସ୍ୱାର୍ଥ ପ୍ରଭାବିତ ହେଉଥିବା ପ୍ରସଙ୍ଗକୁ ସେ ମଧ୍ୟ ଏଡ଼ାଇ ଦେଇଥିଲେ।

ଆଉ ଏକ ବଡ଼ ବିଡ଼ମ୍ବନା ହେଉଛି ଓଡ଼ିଶା ଦଳ ବିନା ପ୍ରଶିକ୍ଷକ ଓ ପ୍ରବଂଧକରେ ଚଳିତ ବର୍ଧମାନ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଭାଗ ନେଉଛି। ଜଣେ ତ୍ରିପୁରା ଖେଳାଳି ଓଡ଼ିଶା ପିଲାଙ୍କୁ ଶିଖାଉଛନ୍ତି। ପୂର୍ବରୁ ଓଡ଼ିଶା ଖେଳାଳିଙ୍କୁ ବିନା ପ୍ରଶିକ୍ଷଣ ଶିବିରରେ ପଠାଇଥିବା ରାଜ୍ୟ ସଂଘ ଏବେ କେତେ ସାମର୍ଥ୍ୟ ତାହା ପ୍ରମାଣିତ ହେଉଛି। ସେହିଭଳି ଓଡ଼ିଶା ପୁରୁଷ ଦଳ ଦୁଇଟି ମ୍ୟାଚ୍‌ ଖେଳିବା ପରେ ଜଣେ ଗୋଲରକ୍ଷକଙ୍କୁ ଅନ୍ୟ ରାଜ୍ୟରୁ ନିଆଯାଇଛି। ‘ମୋ ପାଖକୁ ଆସନ୍ତୁ, ଟେଲିଫୋନରେ ମୁଁ କିଭଳି ଆପଣଙ୍କୁ ଜାଣିବି ଯେ ତଥ୍ୟ ଦେବି ବୋଲି କହିଥିଲେ ଶ୍ରୀ ମହାନ୍ତି। ସୂଚନାଯୋଗ୍ୟ, ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ମଧ୍ୟ ହରିଆନା ଖେଳାଳିଙ୍କୁ ଗଜପତି ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିବା ଦେଖିବାକୁ ମିଳିଥିଲା। ଗଜପତି ନକ୍‌ ଆଉଟ୍‌ ପହଞ୍ଚିବାରେ ବିଫଳ ହେବାରୁ ସେହି ଖେଳାଳି ମଧ୍ୟ ଭୁବନେଶ୍ୱରରୁ ଖେଳିଥିବାର ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ସମ୍ପର୍କରେ ମୁଁ ବିଚାର କରିବି ବୋଲି ସେ କହିଥିଲେ। କିନ୍ତୁ ସେ ଅଦ୍ୟାବଧି ନୀରବ ରହିଛନ୍ତି। ସବୁଠାରୁ ବଡ଼ ଅଭିଯୋଗ ଆସିଥିଲା ରାଜ୍ୟ ବାହାର ଖେଳାଳିଙ୍କୁ ଖେଳାଇଲେ ପ୍ରମାଣପତ୍ର ବିକ୍ରି କରି ମୋଟା ଅଙ୍କ ଅର୍ଜନ। ଏହା ଏକ ନିୟମିତ ବ୍ୟବସାୟ ପାଲଟିଛି। କିନ୍ତୁ ଏଭଳି ଅଭିଯୋଗକୁ ପ୍ରମାଣ କରିଦେଲେ ମୁଁ ଇସ୍ତଫା ଦେଇଦେବି ବୋଲି ଶ୍ରୀ ମହାନ୍ତି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ବିଭିନ୍ନ ଅନିୟମିତତା ଏବଂ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘ ସଭାପତି ଋତିକ ଅଧିକାରୀ ବାରମ୍ବାର ସାଧାରଣ ପରିଷଦ ବୈଠକ ଡାକିବାକୁ ପତ୍ର ଲେଖିବା ସତ୍ତ୍ୱେ ଶ୍ରୀ ମହାନ୍ତି ଏହାକୁ ଏଡ଼ାଇଯାଇଛନ୍ତି। ସାଧାରଣ ପରିଷଦ ବୈଠକର କିଛି ଆବଶ୍ୟକତା ନାହିଁ। ସଭାପତି କିଛି କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ପାଲଟା ଅଭିଯୋଗ କରିଥିଲେ। ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ତାଳମେଳ ନ ଥିବା ଏବଂ ମତାନ୍ତର ଥିବା ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଯାଇଥିଲା। ଫଳରେ ପ୍ରଶାସକଙ୍କ ମନମୁଖୀ କାରବାର ତଥା କୁଶାସନ ପାଇଁ ଏବେ ହ୍ୟାଣ୍ଡ୍‌ବଲ୍‌ ଶାସନ ହୁଗୁଳିଯାଇଛି ଏବଂ ରାଜ୍ୟ ଖେଳାଳିଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର