ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି:ପରିଚାଳନା କରିବେ ୩ ଭାରତୀୟ

ନୂଆଦିଲ୍ଲୀ: ଗୋଲ୍‌ଡ କୋଷ୍ଟରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ ଜଣ ଭାରତୀୟ ହକି ମ୍ୟାଚ୍‌ ପରିଚାଳନା କରିବେ। ଏହି ୩ ଭାରତୀୟ ଦାବିନ୍ଦର ଭାଟିଆ, ଦୀପକ ଯୋଶୀ ଓ ଦୁର୍ଗା ଦେବୀଙ୍କୁ ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ମନୋନୀତ କରିଛି। ସେମାନଙ୍କ ମଧ୍ୟରୁ ଦାବିନ୍ଦର ଜଣେ ବିଚାରକ ଭାବେ ନିଯୁକ୍ତ ହୋଇଥିଲା ବେଳେ ଦୀପକ ଓ ଦୁର୍ଗା ଅମ୍ପାୟାର ଭାବେ ମ୍ୟାଚ୍‌ ପରିଚାଳନା କରିବେ। ୫୬ ବର୍ଷ ବୟସ୍କ ଦାବିନ୍ଦର ନିକଟରେ ଏଫ୍‌ଆଇଏଚ୍‌ ବୈଷୟିକ ଅଧିକାରୀ ତୃତୀୟ ପର୍ଯ୍ୟାୟକୁ ପଦୋନ୍ନତି ପାଇଥିଲେ। ସେ ଜଣେ ପୂର୍ବତନ ହକି ଖେଳାଳି ଏବଂ ୧୯୮୧ ଏସିଆ କପ୍‌ ଓ ୧୯୮୨ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ଦଳ ସହ କାର୍ଯ୍ୟ କରିଥିଲେ। ହକି ଇଣ୍ଡିଆର ପ୍ରୟାସ ଓ ମୋର କଠିନ ପରିଶ୍ରମ ହିଁ ମୂଲ୍ୟ ଦେଇଛି ବୋଲି କହିଛନ୍ତିି ଦାବିନ୍ଦର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜଣେ ବିଚାରକ ଭାବେ ନିଯୁକ୍ତ ହୋଇଥିବାରୁ ଖୁବ୍‌ ଖୁସୀ ହୋଇପଡ଼ିଛନ୍ତି ଦାବିନ୍ଦର। ସେହିପରି କମ୍‌ ବୟସରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକି ମ୍ୟାଚ୍‌ ପରିଚାଳନା ଦାୟିତ୍ୱ ପାଇଥିବାରୁ ଦୀପକ ଓ ଦୁର୍ଗା ମଧ୍ୟ ନିଜ ନିଜ ପ୍ରଦର୍ଶନ ପାଇଁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଏହି କ୍ରୀଡ଼ା ଆସନ୍ତାବର୍ଷ ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର