ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌: ବିବିଏ ବାଳିକା ବିଜେତା

କଟକ: ଓଡ଼ିଶା ବାସ୍କେଟବଲ୍‌ ସଂଘ ପକ୍ଷରୁ ଜବାହରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲୁଥିବା ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ଦିନ ବାଳକ ବିଭାଗ ଫାଇନାଲ୍‌ରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ୬୯-୩୫ ପଏଣ୍ଟ୍‌ରେ ଭୁବନେଶ୍ୱର ଦୌଡ଼କୁଦ ସଂଘକୁ ହରାଇ ବିଜେତା ହୋଇଥିଲା ବେଳେ ବାଳିକା ବିଭାଗରେ ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ସଂଘ (ବିବିଏ) ୫୪-୨୫ରେ ଟ୍ରଟର୍ସକୁ ହରାଇ ବିଜେତା ହୋଇଛି। ସେମି ଫାଇନାଲ୍‌ରେ ଆର୍‌ଏସ୍‌ପି ୯୨-୭୮ରେ ଭଦ୍ରକକୁ ଏବଂ ବିଏଏ ୯୫-୭୭ରେ ଗଞ୍ଜାମକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଉଦ୍‌ଯାପନୀ ସମାରୋହରେ କ୍ରୀଡ଼ା ବିଭାଗ ସହକାରୀ ନିର୍ଦେଶକ ସନାତନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଚିଭର ସ୍ପୋର୍ଟ୍ସ ଓୟାରର ପରିଚାଳନା ନିର୍ଦେଶକ କମଳେଶ ଅଗ୍ରଓ୍ଵାଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ, ସଂଗଠନ ସମ୍ପାଦକ ମୋହନ ରାଓ, ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ଉପ ସଭାପତି କାମେଶ୍ୱର ରାଓ, କୋଷାଧ୍ୟକ୍ଷ ପିକେ ବେହେରା ଓ ପୂର୍ବତନ ଖେଳାଳି ସାଜନ ମୋଦି ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର