ରାଜ୍ୟ ଉପକନିଷ୍ଠ ସଫ୍ଟବଲ୍‌ରେ କିଟ୍‌କୁ ଦ୍ୱିମୁକୁଟ

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ଖେଳ ପଡିଆରେ ରାଜ୍ୟ ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଓଡିଶା ସଫ୍ଟବଲ ସଂଘ ଓ ଅସୁରେଶ୍ୱର ଦୌଡ଼କୁଦ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ହୋଇ ଦ୍ୱିମୁକୁଟ ହାସଲ କରିଛି। ବାଳକରେ କିଟ୍‌ ୬-୪ ରନ୍‌ରେ ରାୟଗଡ଼ାକୁ ପରାସ୍ତ କରିଥିଲା। ଏହି ବିଭାଗରେ ରାଉରକେଲା ତୃତୀୟ ସ୍ଥାନରେ ରହିଥିଲା। ସେହିପରି ବାଳିକା ଫାଇନାଲ୍‌ରେ କିଟ୍‌ ୬-୩ ରନ୍‌ରେ ସୁନ୍ଦରଗଡ଼କୁ ହରାଇଥିଲା। ଏଥିରେ ମଧ୍ୟ ରାଉରକେଲା ତୃତୀୟ ସ୍ଥାନରେ ରହିଥିଲା। ଉଦ୍‌ଯାପନୀ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ପୂର୍ବତନ ସଭାପତି ବିଜୟ କୁମାର ବଳ, ଶିଶିର କୁମାର ମିଶ୍ର, ବ୍ଲକ୍‌ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଅଶୋକ କୁମାର ଓଝା, ଯୁବ ବିଜେଡି ସଭାପତି ମିହିର କୁମାର ମିଶ୍ର, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ଆତ୍ମାର ପୂର୍ବତନ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ମନୋଜ କୁମାର ବେହେରା, ସରୋଜ କୁମାର ବାରିକ, ଅନନ୍ତ ରାମ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ୧୪ ଜିଲ୍ଳାରୁ ୩୨୦ ପ୍ରତିଯୋଗୀ ଭାଗନେଇଥିଲେ।

ସମ୍ବନ୍ଧିତ ଖବର