ରାଜ୍ୟ ସନ୍ତରଣ:ଭୁବନେଶ୍ୱର ବିଜେତା, ସମ୍ବଲପୁର ଉପ ବିଜେତା 

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଏବଂ ବିଜୁ ପଟ୍ଟନାୟକ ସନ୍ତରଣଗାର ପରିଚାଳନା ସମିତିର ମିଳିତ ଅନୁକୂଲ୍ୟରେ ରବିବାରଠାରୁ ଆରମ୍ଭ ହୋଇଥିବା ୫୯ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡ଼ିୟମ ସନ୍ତରଣଗାରରେ ସୋମବାର ଉଦଯାପିତ ହୋଇଯାଇଛି।। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଭୁବନେଶ୍ୱର ସର୍ବାଧିକ ୩୭୫ ପଏଣ୍ଟ ପାଇ ଓଭରଅଲ୍‌ ବିଜେତା ହୋଇଛି। ଅନ୍ୟପକ୍ଷରେ ସମ୍ବଲପୁର (୩୬୩) ଦ୍ୱିତୀୟ ସ୍ଥାନରେ ରହି ଉପ ବିଜେତା ଆଖ୍ୟା ଅର୍ଜନ କରିଛି। ବିଭିନ୍ନ ବ୍ୟକ୍ତିଗତ ବର୍ଗ ପ୍ରତିଯୋଗିତାରୁ ବାଳକ ଗ୍ରୁପ୍‌୧ ଓ ପୁରୁଷରେ ସମ୍ବଲପୁରର ବିକାଶ ହରିପାଲ, ଗ୍ରୁପ୍‌-୨ରେ ଭୁବନେଶ୍ୱରର ଜଦୁୁ ବଡ଼େକ, ଗ୍ରୁପ୍‌-୩ରେ ସମ୍ବଲପୁରର ସୁଧୀର ହାଂସଦା, ଗ୍ରୁପ୍‌-୪ରେ ସମ୍ବଲପୁରର ସୋହନ ବାରିକ ବିଜେତା ହୋଇଥିଲେ। ସେହିଭଳି ବାଳିକା ବର୍ଗ ମଧ୍ୟରେ ଭୁବନେଶ୍ୱରର ସୋନିଆ ପଟେଲ ବାଳିକା ଗ୍ରୁପ୍‌-୧ ଏବଂ ମହିଳା ବର୍ଗର ଟ୍ରଫି ଜିତି ନେଇଥିଲେ। ବାଳିକା-୧ର ୧୦୦ ମିଟର ବଟରଫ୍ଲାଏରେ ଭୁବନେଶ୍ୱରର ପ୍ରତ୍ୟାଶା ରାଏ ଟ୍ରଫି ଜିତିଥିଲେ। ବାଳିକା ଗ୍ରୁପ୍‌-୩ ଏବଂ ଗ୍ରୁପ୍‌-୪ରେ ଯୁଗ୍ମ ବିଜେତା ଦେଖିବାକୁ ମିଳିଥିଲା। ଗ୍ରୁପ୍‌-୩ରେ ଭୁବନେଶ୍ୱରର ଭଦ୍ରା ଶତପଥୀ ଏବଂ ମାନ୍ୟତା ମିଶ୍ର ଯୁଗ୍ମ ବିଜେତା ହୋଇଥିଲେ। ସେହିଭଳି ଗ୍ରୁପ୍‌-୪ରେ କଟକର ପ୍ରୀତି ପ୍ରଜ୍ଞା ସାହୁ ଓ ଅନିଷ୍କା ଆରାଧନା ସାହୁ ଯୁଗ୍ମ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ବାଳିକା ଗ୍ରୁପ୍‌-୨ରେ କଟକର ପ୍ରୀତି ପ୍ରଜ୍ଞା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମେଡଲି ରିଲେରେ ସମ୍ବଲପୁର ଦଳଗତ ବିଜେତା ହୋଇଥିଲା। ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକାର ଉପକନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ ଜିଲ୍ଲାରୁ ୯୨ ବାଳିକାଙ୍କ ସହିତ ମୋଟ ୨୯୦ ଜଣ ଭାଗନେଇ ନୂଆ ରାଜ୍ୟ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ରାଜ୍ୟ ସଂଘ ସମ୍ପାଦିକା ତଥା ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏହାକୁ ରବିବାର ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର