ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ଆରମ୍ଭ 

ଭୁବନେଶ୍ୱର,: ପ୍ରଥମ ଥର ଲାଗି ଭାରତରେ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ବୁଧବାରଠୁ ଓଡ଼ିଶାରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଜୁନ୍‌ ୧ ତାରିଖରେ ଉଦ୍‌ଯାପିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଦୌଡ଼କୁଦ, କିଟ୍‌ ଷ୍ଟାଡିୟମରେ ତୀରନ୍ଦାଜୀ ଓ ହକି ଏବଂ କଟକର ସତ୍ୟବ୍ରତ ଷ୍ଟାଡିୟମରେ ଫୁଟ୍‌ବଲ୍‌, କବାଡ଼ି, ଖୋଖୋ ଓ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହୋଇଥିବା ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ର୍ରହଣ କରିଛନ୍ତି। ପ୍ରଥମ ଦିନ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠରେ ଉଭୟ ବାଳକ ଓ ବାଳିକାର ୧୦୦ ମିଟର ହିଟ୍‌ ସାଙ୍ଗକୁ ୧୫୦୦ ମିଟର ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି। ୧୫୦୦ ମିଟର ବରିଷ୍ଠ ବାଳକରେ କୋରାପୁଟର ବସନ୍ତ ପୂଜାରୀ (୪:୨୨.୯) ପ୍ରଥମ, ମୟୂରଭଞ୍ଜର ସନ୍ତୋଷ କୁମାର ଗଗ୍ରାଇ (୪:୨୧.୧) ଦ୍ୱିତୀୟ ଓ ନବରଙ୍ଗପୁରର ରେଜେନ୍ଦ୍ର ମାଝୀ (୪:୩୦.୦) ତୃତୀୟ ସ୍ଥାନ ପାଇଥିଲେ। ବରିଷ୍ଠ ବାଳିକାରେ ସମ୍ବଲପୁରର ହୀରା ମାଝି (୫:୦୩.୨) ପ୍ରଥମ, ସୁନ୍ଦରଗଡ଼ର ସାଲୋ ଓରାମ (୫:୧୯.୦) ଦ୍ୱିତୀୟ ଏବଂ ଖୋର୍ଧାର ପ୍ରଭାତୀ ମାଝୀ (୫:୩୦.୦) ତୃତୀୟରେ ରହିଥିଲେ। କନିଷ୍ଠ ବାଳକରେ ମୟୂରଭଞ୍ଜର କିଷନ୍‌ ସୋରେନ୍‌ (୪:୨୬.୬), କୋରାପୁଟର ଘାସୀରାମ ବୋରା (୪:୨୭.୯) ଓ ବାଲେଶ୍ୱରର ଦୁଖୀରାମ ମୁର୍ମୁ (୪:୨୯.୦) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବାଳିକାରେ ଝାରସୁଗୁଡ଼ାର ନୀଳିମା ମୁଣ୍ଡା (୫:୨୫.୮), ଖୋର୍ଧାର ସୁଚିତା ତିର୍କି (୫:୨୮.୯) ଓ ମୟୂରଭଞ୍ଜର ବବିତା ନାୟକ (୫:୩୪.୬) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ପାଇଥିଲେ। ଉପକନିଷ୍ଠ ବାଳକରେ ମୟୂରଭଞ୍ଜର ପଙ୍କଜ ସୋରେନ (୪:୨୨.୦), ମାଲକାନାଗିରିର ରାଜୁ ଗଡ଼ନାୟକ (୪:୪୩.୫) ଓ ପୁରୀର ଲକ୍ଷ୍ମଣ ପୂର୍ତ୍ତି (୪:୪୯.୫) ଏବଂ ଉପକନିଷ୍ଠ ବାଳିକାରେ ମୟୂରଭଞ୍ଜର ଦିବ୍ୟରାଣୀ ନାୟକ (୫:୫୩.୬), ସମ୍ବଲପୁରର ପୂଜା ମୁଣ୍ଡା (୫:୫୪.୬) ଓ କେନ୍ଦ୍ରାପଡ଼ାର ଗୀତା ଟୁଡ଼ୁ (୫:୫୮.୦) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଥିଲେ।

ସମ୍ବନ୍ଧିତ ଖବର