ଭୁବନେଶ୍ବର: ରାଜ୍ୟ ସଚିବାଳୟ ବ୍ୟାଡ୍ମିଣ୍ଟନ୍ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସାଇ ଆଞ୍ଚଳିକ ବ୍ୟାଡ୍ମିଣ୍ଟନ୍ ଏକାଡେମିରେ ଆୟୋଜିତ ରାଜ୍ୟ ମାନ୍ୟତା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ର କ୍ରିଷ୍ଣିକା ବିରୋକ ଦ୍ବିମୁକୁଟ ହାସଲ କରିଛନ୍ତି। କ୍ରିଷ୍ଣିକା ମହିଳା ଏକକରେ ସମ୍ବଲପୁରର ପ୍ରଶଂସା ଦାସଙ୍କୁ ୨-୦ (୨୧-୧୫, ୨୧-୧୧)ରେ ପରାସ୍ତ କରି ଟ୍ରଫି ହାତେଇଥିଲା ବେଳେ ନିଜ ଜିଲ୍ଲାର ଆକାଂକ୍ଷା କୁରେଙ୍କୁ ସାଥୀ କରି ମହିଳା ଯୁଗଳରେ ସମ୍ବଲପୁର ଯୋଡ଼ି ନନ୍ଦିନୀ କୁମାରୀ-ୟଶଶ୍ରୀ ସାମଲଙ୍କୁ ୨-୦ (୨୧-୧୬, ୨୧-୧୧)ରେ ପରାସ୍ତ କରି ଦ୍ବିତୀୟ ଟ୍ରଫି ହାସଲ କରିଥିଲେ। ସେହିପରି ପୁରୁଷ ଯୁଗଳରେ କଟକ ଯୋଡ଼ି ଅଜିତ୍ କୁମାର ମହାନ୍ତି-ପ୍ରମୋଦ କୁମାର ରଣାଙ୍କୁ ୨-୦ (୨୧-୧୩, ୨୬-୨୪)ରେ ପରାସ୍ତ କରି ଭୁବନେଶ୍ବର ଯୋଡ଼ି ଜ୍ଞାନ ଚାନ୍ଦ-ମାନସ ରଞ୍ଜନ ରାଉତରାୟ ଟ୍ରଫି କରାୟତ କରିଛନ୍ତି। ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍ ବାଳକ ଏକକରେ ଅନୁଗୁଳର ଆୟୂଷ ଦାଶଙ୍କୁ ୨-୧ (୨୧-୧୬, ୧୨-୨୧, ୨୧-୧୨) ପରାସ୍ତ କରି ସମ୍ବଲପୁରର ନନ୍ଦିଶ ପୋଦ୍ଦାର, ୧୯ ବର୍ଷରୁ କମ୍ ବାଳକ ଏକକରେ ସମ୍ବଲପୁରର ନନ୍ଦିଶ ପୋଦ୍ଦାରଙ୍କୁ ୨-୧ (୧୫-୨୧, ୨୧-୧୩, ୨୧-୯)ରେ ପରାସ୍ତ କରି ମୟୂରଭଞ୍ଜର ଆୟୂଷ ପଟ୍ଟନାୟକ ଏବଂ ୧୭ ବର୍ଷରୁ କମ୍ ବାଳକ ଯୁଗଳରେ ଭୁବନେଶ୍ବର ଯୋଡ଼ି ୟଶ୍ରାଜ ବିଶ୍ବାଳ-ପ୍ରିୟାଂଶୁ ମହାନ୍ତିଙ୍କୁ ୨-୧ (୨୧-୧୯, ୧୪-୨୧, ୨୧-୧୪)ରେ ପରାସ୍ତ କରି ସମ୍ବଲପୁର ଯୋଡ଼ି ମହମ୍ମଦ ସାହିଲ୍-ଚୟନ ସାହାରିଆ ଟ୍ରଫି ହାସଲ କରିଛନ୍ତି। ସମ୍ବଲପୁରର ଅନିର୍ବାଣ ସାମନ୍ତ ଓ ଭୁବନେଶ୍ବରର ହର୍ଷିତା ରାଉତଙ୍କୁ ପ୍ରତିଯୋଗିତାର ଉଦୀୟମାନ ଖେଳାଳି ପୁରସ୍କାର ମିଳିଥିଲା। ଅବସରପ୍ରାପ୍ତ ଏୟାର ମାର୍ସାଲ ଜ୍ୟୋତି ନାରାୟଣ ବର୍ମା, କାର୍ଯ୍ୟକାରୀ ସଭାପତି ଉମାଶଙ୍କର ମହାପାତ୍ର, ଆୟୋଜକ ସଂଘର ସାଧାରଣ ସଂପାଦକ ଚିତ୍ତରଞ୍ଜନ ରାଉତ, ଉପସଭାପତି ବିଶ୍ବଜିତ୍ ମହାନ୍ତି, ଆୟୋଜନ ସମିତିର ଅଧ୍ୟକ୍ଷ ପ୍ରିୟଦର୍ଶୀ ମହାପାତ୍ର, ଯୁଗ୍ମ ସଂପାଦକ ତପନ କୁମାର ପଟ୍ଟନାୟକ ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ନିର୍ଦେଶକ ଶଶାଙ୍କ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ବରେଶନାଥ ପ୍ରଧାନ, କାର୍ଯ୍ୟନିର୍ବାହୀ ସଦସ୍ୟ ନିଶାକର ଖଟୁଆ, ମୁଖ୍ୟ ରେଫରି ମନୋଜ କୁମାର ସାବତ ଉପସ୍ଥିତ ଥିଲେ।
ରାଜ୍ୟ ମାନ୍ୟତା ବ୍ୟାଡ୍ମିଣ୍ଟନ୍: କ୍ରିଷ୍ଣିକାଙ୍କୁ ଦ୍ବିମୁକୁଟ
/sambad/media/post_attachments/wp-content/uploads/2019/02/Untitled-7-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)