ରାଜ୍ୟ ବିଦ୍ୟାଳୟ ଚେସ୍‌

ଯଶସ୍ୱିନୀ, ଅଂଶୁମାନ ବିଜେତା

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଚେସ୍‌ (୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା) ପ୍ରତିଯୋଗିତାରେ ଦୁଇ କଟକ ଖେଳାଳି ଯଶସ୍ୱିନୀ ଷଡ଼ଙ୍ଗୀ ଓ ଅଂଶୁମାନ ସାମଲ ବିଜେତା ହୋଇଛନ୍ତି। ଯଶସ୍ୱିନୀ ୬ ରାଉଣ୍ଡ୍‌ରୁ ପୂରା ୬ ପଏଣ୍ଟ୍‌ ପାଇ ବାଳିକା ବର୍ଗରେ ପ୍ରଥମ ସ୍ଥାନ ପାଇଥିଲା ବେଳେ ଅଂଶୁମାନ ୭ ରାଉଣ୍ଡ୍‌ରୁ ୬.୫ ପଏଣ୍ଟ୍‌ ପାଇ ବାଳକ ବର୍ଗ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ବାଳିକା ବର୍ଗରେ ଭୁବନେଶ୍ୱରର ଉମା ଦଳପତି, ଦିଗିଜ୍‌ ସୋରେନ୍‌ ଓ ଝାରସୁଗୁଡ଼ାର ବିଧି ସୀତାନୀ (ପ୍ରତ୍ୟେକ ୫) ପଏଣ୍ଟ୍‌ ଲେଖାଏଁ ସହ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ପାଇଥିଲା ବେଳେ ଝାରସୁଗୁଡ଼ାର ଜ୍ୟୋତି କାଲୋ (୪.୫) ପଞ୍ଚମରେ ରହିଥିଲେ। ସେହିପରି ବାଳକ ବର୍ଗରେ ୪ ଭୁବନେଶ୍ୱର ପ୍ରତିଯୋଗୀ ମନୀନ୍ଦ୍ର କାର୍ଜୀ (୬), ବିନୋଦ କହଁର, ଅଭିଷେକ ନାୟକ ଓ ବୁବୁଲା ଭୋଇ (ପ୍ରତ୍ୟେକ ୫.୫) ଦ୍ୱିତୀୟରୁ ପଞ୍ଚମ ସ୍ଥାନ ପାଇଥିଲେ। ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଘ ଦ୍ୱାରା ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୧୭ ଜିଲ୍ଲାରୁ ମୋଟ ୬୩ ବାଳକ ଓ ୪୦ ବାଳିକା ଅଂଶ ଗ୍ରହଣ କରିଥିଲେ। ପ୍ରତି ବର୍ଗରୁ ଶ୍ରେଷ୍ଠ ୫ ଲେଖାଏଁ ଖେଳାଳି ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବଲାରସେନ୍‌ ପାତ୍ର ଓ ପ୍ରଦ୍ୟୁମ୍ନ ନନ୍ଦଙ୍କ ସହଯୋଗରେ ଦେବାଶିଷ ପାଣିଗ୍ରାହୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଶାରୀରିକ ଶିକ୍ଷା ସହକାରୀ ନିର୍ଦେଶକ ଲକ୍ଷ୍ମୀ ଦେବୀ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସୁପ୍ରିୟା ମଲ୍ଲିକ, ନୟାଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ନୟାଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ତ୍ରିନାଥ ସାହୁ ଓ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର