ଓଡ଼ିଶାରେ ହେବ ରାଜ୍ୟଗୋଷ୍ଠୀ ଟିଟି

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାରେ ଆଉ ଏକ ଫର୍ଦ ଯୋଡ଼ି ହେବ। ମର୍ଜାଦାଜନକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ (ଟିଟି) ପ୍ରତିଯୋଗିତା ଏଠାରେ ଆୟୋଜିତ ହେବ। କଟକର ଜବାହର ଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ୮୦ତମ ଜାତୀୟ ଟେବୁଲ ଟେନିସ୍‌ ପ୍ରତିଯୋଗିତାର ବୁଧବାର ଉଦ୍‌ଯାପନୀ ଉତ୍ସବ ଅବସରରେ ଭାରତୀୟ ଟେବୁଲ ଟେନିସ୍‌ ସଂଘର ମହାସଚିବ ଏମ୍‌ପି ସିଂହ ଏହି ସୂଚନା ଦେଇଛନ୍ତି। ରାଜ୍ୟଗୋଷ୍ଠୀ ଟିଟି ଚଳିତ ବର୍ଷ ଜୁଲାଇରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବାର ଥିଲା। ସଫଳତାର ସହ ଜାତୀୟ ଟିଟି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ପୁରସ୍କାର ସ୍ବରୂପ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ଓଡ଼ିଶା ଟିଟି ସଂଘକୁ ମିଳିବାର ଆଶା ରହିଛି। ପ୍ରତିଯୋଗିତା କଟକ କିମ୍ବା ଭୁବନେଶ୍ବର ଆୟୋଜିତ ହେବ ସେନେଇ କିଛି ନିଷ୍ପତି ନିଆଯାଇନାହିଁ। ତେଣୁ ଏହାର ଆୟୋଜନ ନେଇ ଔପଚାରିକ ଘୋଷଣା ବାକି ରହିଛି। ତେବେ ଖୁବ୍‌ ଶୀଘ୍ର ସ୍ପଷ୍ଟ କରାଯିବ ବୋଲି ଏମ୍‌ପି ସିଂହ କହିଛନ୍ତି। ବାସ୍ତବ ରୂପ ନେଲେ ଏହା ଓଡ଼ିଶା ଇତିହାସରେ ସବୁଠୁ ବଡ଼ ଆନ୍ତର୍ଜାତିକ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆୟୋଜନ ହେବ।

ସମ୍ବନ୍ଧିତ ଖବର