ଇଂଲଣ୍ଡ ଦିନିକିଆ ଦଳକୁ ଫେରିଲେ ଷ୍ଟୋକ୍‌ସ

ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଇଂଲଣ୍ଡ ଦଳ ଘୋଷିତ

ଲଣ୍ଡନ : ଜୁଲାଇ ୩ ତାରିଖରୁ ଭାରତ ବିପକ୍ଷ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ ଇଂଲଣ୍ଡ କ୍ରିକେଟ୍‌ ଦଳ। ଏହି ୭୦ ଦିନିଆ ଲମ୍ବା ଗସ୍ତ ସୂଚୀ ମଧ୍ୟରେ ଉଭୟ ଦଳ ୩ ଲେଖାଏଁ ଟେ୍ଵଣ୍ଟି-୨୦ ଓ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ସାଙ୍ଗକୁ ୫ ଟିକିଆ ଟେଷ୍ଟ ଶୃଙ୍ଖଳା ଖେଳିବେ। ଟେ୍ଵଣ୍ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଗସ୍ତ ସୂଚୀରେ ଦିନିକିଆ ଶୃଙ୍ଖଳା ଜୁଲାଇ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଜୁଲାଇ ୧୨ , ୧୪ ଓ ୧୭ ତାରିଖରେ ଖେଳାଯିବାକୁ ଥିବା ତିନିଟି ଦିନିକିଆ ମ୍ୟାଚ୍‌ ପାଇଁ ଶୁକ୍ରବାର ଘରୋଇ ଇଂଲଣ୍ଡ ତା’ର ୧୪ ଜଣିଆ ଦଳ ଘୋଷଣା କରିଛି। ଆଉ ଭାରତ ବିପକ୍ଷ ଏହି ଶୃଙ୍ଖଳା ପାଇଁ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସଙ୍କ ପ୍ରତ୍ୟାବର୍ତନ ଘଟିଛି। ୨୭ ବର୍ଷ ବୟସ୍କ ଷ୍ଟୋକ୍‌ସ ଗତ ଜୁନ୍‌ ମାସରୁ ଜାତୀୟ ଦଳ ପାଇଁ ଖେଳିନାହାନ୍ତି। ଜୁନ୍‌ରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଳେ ସେ ଆହତ ହୋଇଥିଲେ। ଏବେ ସେ ସୁସ୍ଥ ହୋଇଯାଇଛନ୍ତି ଏବଂ ଜୁଲାଇ ୫ ତାରିଖରେ ଡୁରାମ୍‌ ପାଇଁ ୟର୍କସାୟାର ବିପକ୍ଷ ଟେ୍ଵଣ୍ଟି-୨୦ ଖେଳି ନିଜର ଶାରୀରିକ ସାମର୍ଥ୍ୟର ପ୍ରମାଣ ଦେବେ। ଏହି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ମଧ୍ୟ ଷ୍ଟୋକ୍‌ସଙ୍କୁ ଜୁଲାଇ ୮ ତାରିଖରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ପାଇଁ ଜାତୀୟ ଦଳକୁ ଫେରିବାର ବାଟ ଖୋଲିଦେବ। ଷ୍ଟୋକ୍‌ସଙ୍କ ପ୍ରତ୍ୟାବର୍ତନ ବ୍ୟତୀତ ଇଂଲଣ୍ଡ ଆଣ୍ଡ୍‌ େଓ୍ଵଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ମଧ୍ୟ ଆହତ ଦ୍ରୁତ ବୋଲର କ୍ରିସ୍‌ ଓ୍ଵକ୍‌ସ ଦଳକୁ ଫେରିବାର ଆଶା ବାନ୍ଧିଛି। ଓ୍ଵକ୍‌ସ ମଧ୍ୟ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଳେ ଆହତ ହୋଇଥିଳେ। ତେବେ ସେ ପୂରା ସୁସ୍ଥ ହେଲେ ଭାରତ ବିପକ୍ଷ ତୃୀତୀୟ ଦିନିକିଆ ପାଇଁ ଦଳରେ ସାମିଲ ହୋଇପାରନ୍ତି ବୋଲି ଇସିବି କହିଛନ୍ତି।

ଇଂଲଣ୍ଡ ଦଳ: ଇଅନ୍‌ ମୋର୍ଗାନ୍‌ (ଅଧିନାୟକ), ମୋଇନ୍‌ ଅଲ୍ଲୀ, ଜନି ବେୟାରଷ୍ଟୋ, ଜାକ୍‌ ବାଲ୍‌, ଜୋସ୍‌ ବଟ୍ଟଲର୍‌, ଟମ୍‌ କୁରାନ୍‌, ଆଲକ୍ସ ହେଲ୍‌ସ, ଲିଆମ୍‌ ପ୍ଲଙ୍କେଟ୍‌, ଆଦିଲ୍‌ ରସିଦ୍‌, ଜୋ ରୁଟ୍‌, ଜାସନ୍‌ ରୟ, ବେନ୍‌ ଷ୍ଟୋକ୍‌ସ, ଡେଭିଡ୍‌ ଓ୍ଵିଲି ଓ ମାର୍କ ଉଡ୍‌।

ସମ୍ବନ୍ଧିତ ଖବର