ଉପକନିଷ୍ଠ ଜାତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ

ଓଡ଼ିଶା ବାଳକ ଅପରାଜେୟ, ବାଳିକା ହାରିଲେ

ଭୁବନେଶ୍ୱର: ଓଡ଼ିଶା ବଲ୍‌ ବ୍ୟାଡ୍‌ମିଣ୍ଟ୍‌ନ ସଂଘ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ସ୍ଥାନୀୟ କିଟ୍‌ ପରିସରରେ ଚାଲିଥିବା ୩୭ତମ ଜାତୀୟ ଉପକନିଷ୍ଠ ବଲ୍‌ ବ୍ୟାଡ୍‌ମିଣ୍ଟ୍‌ନ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଆୟୋଜକ ଓଡ଼ିଶା ବାଳକ ଦଳ ଦମ୍‌ଦାର ପ୍ରଦର୍ଶନ କରି ଅପରାଜେୟ ରହିଥିଲା ବେଳେ ବାଳିକା ଦଳ ପରାଜୟର ସାମ୍‌ନା କରିଛି। ବାଳକ ବର୍ଗରେ ଓଡ଼ିଶା ୩୫-୨୮, ୩୫-୨୦ରେ ଚଣ୍ଡୀଗଡ଼କୁ, ୩୫-୯, ୩୫-୧୮ରେ ମଧ୍ରପ୍ରଦେଶକୁ, ୩୫-୨୧, ୩୫-୨୨ରେ ମୁମ୍ବାଇକୁ ଏବଂ ୩୫-୧୮ ଓ ୩୫-୨୨ରେ ରାଜସ୍ଥାନକୁ ପରାସ୍ତ କରି ଲଗାତର ଚତୁର୍ଥ ବିଜୟ ହାସଲ କରିଛି। ହେଲେ ଦ୍ୱିତୀୟ ଦିବସରେ ଓଡ଼ିଶା ବାଳିକା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ବାଳିକା ଦଳ ୩୧-୩୫, ୨୬-୩୫ରେ ବିହାରଠୁ ହାରିବା ପରେ ୧୩-୩୫ ଓ ୧୨-୩୫ରେ ଆନ୍ଧ୍ରପ୍ରଦେଶ ନିକଟରୁ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିବସରେ ଆନ୍ଧ୍ର ପ୍ରଦେଶ ବାଳକ ଦଳ ୪ ବିଜୟ ହାସଲ କରିଥିଲା ବେଳେ ବିହାର, ପୁଡୁଚେରୀ ଓ କେରଳ ୩ ଲେଖାଏଁ ବିଜୟ ପାଇଛନ୍ତି। ସେହିପରି ବାଳିକାରେ ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ କର୍ଣ୍ଣାଟକ ୨ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି।

ପ୍ରାୟ ୧୫ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି ଜାତୀୟ ପ୍ରତିଯୋଗିତାକୁ ମଙ୍ଗଳବାର ଶିଶୁ ଓ ମହିଳା କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଥିଲା ବେଳେ ଭାରତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ ସଂଘର ସାଧାରଣ ସଂପାଦକ ଓ୍ଵାଇ ରାଜା ରାଓ, ଓଡ଼ିଶା ରାଜ୍ୟ ସଂପାଦକ ସୁକାନ୍ତ ଦାଶ, କିଟ୍‌ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର