ରାହୁଲ-ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଶୁଭମନ-ଶଙ୍କର

ମୁମ୍ବାଇ: ‘କଫି ୱିଥ୍ କରଣ’ ଟେଲିଭିଜନ୍ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସ୍ଥାନରେ ତାମିଲନାଡୁ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଏବଂ ପଞ୍ଜାବର ପ୍ରତିଭାବାନ ଯୁବ ତାରକା ଶୁଭମନ ଗିଲ୍‌ ଭାରତୀୟ କ୍ରିକେଟ୍ ଦଳକୁ ଡାକରା ପାଇଛନ୍ତି। ଶଙ୍କର ମଙ୍ଗଳବାର ଆଡିଲେଡ୍‌ରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଦଳରେ ସାମିଲ ହେବେ। ଗିଲ୍ କିନ୍ତୁ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଖେଳିବେ ନାହିଁ। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ଠିକ୍ ପୂର୍ବରୁ ଭାରତୀୟ ଦଳ ସହ ଯୋଗଦେବେ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଯାଇ ସେଠାରେ ୫ ଦିନିକିଆ ଏବଂ ୩ ଟ୍ବେଣ୍ଟି-୨୦ ଖେଳିବ। ଶୃଙ୍ଖଳା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବ। ଶଙ୍କର ବିବାଦୀୟ ପାଣ୍ଡ୍ୟାଙ୍କ ସ୍ଥାନ ନେବା ପକ୍କା ଥିଲେ ମଧ୍ୟ ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ବାଛିବାକୁ ଚୟନକର୍ତା ଚିନ୍ତା କରୁଥିଲେ। ହେଲେ ମୟଙ୍କ ସଂପ୍ରତି ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ଶୁଭମନଙ୍କ ମୁଣ୍ଡରେ ସୁନା କଳସ ଢାଳିଥିଲେ। ଶଙ୍କର ୨୦୧୭ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଭୁବନେଶ୍ବର କୁମାରଙ୍କ ବଦଳ ଖେଳାଳି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ହେଲେ ଚୂଡ଼ାନ୍ତ ଦଳରେ ସାମିଲ ହେବାର ସୌଭାଗ୍ୟ ଲାଭ କରି ନଥିଲେ। ୨୦୧୮ ନିଦାହାସ ଟ୍ରଫିରେ କିନ୍ତୁ ‌ସେ ସେହି ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳ ଜୀବନ ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ସେ କିନ୍ତୁ ଦିନିକିଆ ପଦାର୍ପଣ କରି ନାହାନ୍ତି। ଅନ୍ୟପକ୍ଷରେ ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁଭମନ୍ ହେଉଛନ୍ତି ଜଣେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ । ପ୍ରଥମ ଥର ପାଇଁ ସେ ଜାତୀୟ ଦଳକୁ ଡାକରା ପାଇଛନ୍ତି। ଗତବର୍ଷ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ଶୁଭମନ ଉପଅଧିନାୟକ ଥିଲେ। ଏଥିରେ ସେ ୧୦୪.୫୦ ହାରରେ ୪୧୮ ରନ୍ କରି ଚର୍ଚାର ପରିସରକୁ ଆସିଥିଲେ। ଶୁଭମନ ମଧ୍ୟ ସେହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚଳିତ ବର୍ଷର ରଣଜୀ ଟ୍ରଫି ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ଶୁଭମନ ୧୦ ପାଳିରୁ ୯୮.୭୫ ହାରରେ ୭୯୦ ରନ୍ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର