ଶୁଭ୍ରାଂଶୁ ଓଡ଼ିଶା ରଣଜୀ ଅଧିନାୟକ, ଅଙ୍କିତ ନୂଆ ମୂହଁ

କଟକ: ଆସନ୍ତା ରଣଜୀ ଋତୁ ପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଶୁଭ୍ରା˚ଶୁ ସେନାପତିଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ୧୬ ଜଣଙ୍କୁ ସ୍ଥାନ ଦିଆଯାଇଛି। ଦଳରେ ଅଙ୍କିତ ଯାଦବ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି। ପୂର୍ବରୁ ଅଙ୍କିତ ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳରେ ଖେଳି ଆସୁଥିଲେ। ଭାରତୀୟ ରେଳବାଇରେ କାର୍ଯ୍ୟରତ ଅଙ୍କିତ ୨୦୧୩ରୁ ଓଡ଼ିଶା ପାଇଁ ଖେଳି ଆସୁଛନ୍ତି। ଝାରସୁଗୁଡ଼ା ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବା ଏହି କ୍ରିକେଟର ଏବେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିବା ଅପେକ୍ଷାରେ ଅଛନ୍ତି।

ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦଳ ଘୋଷଣା ହୋଇଥିଲା ବେଳେ ବାହାରକୁ ଯାଉଥିବା ଦଳ ସହିତ ଜଣେ ଅତିରିକ୍ତ ଵିକେଟ ରକ୍ଷକଙ୍କ ଆବଶ୍ୟକତା ରହୁଛି। ସେଥିପାଇଁ ରାଜେଶ ଧୂପର ଓ ସୁଜିତ ଲେଙ୍କାଙ୍କୁ ଦଳରେ ନିଆଯାଇଛି। ଏହାବ୍ୟତୀତ ଯଦି କେହି ଆହତ ହୁଅନ୍ତି, ତାହେଲେ ତୁରନ୍ତ ବଦଳ ଖେଳାଳି ଆବଶ୍ୟକତା ପୂରଣ ହୋଇପାରିବ ବୋଲି କୁହାଯାଇଛି। ଦଳରେ ଗତ ବର୍ଷ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି। ଏଥରର ରଣଜୀ ଯାତ୍ରା ସୁବିଧାଜନକ ଥିଲେ ବି ସହଜ ହେବନି। ତେଣୁ ଆରମ୍ଭରୁ କୌଣସି ନୂଆ ଖେଳାଳିଙ୍କୁ ନେଇ ପରୀକ୍ଷା କରିବାକୁ ଚୟନକର୍ତ୍ତାମାନେ ଉଚିତ୍‌ ମଣିନାହାନ୍ତି। ରଣଜୀ ମୁକାବିଲାରେ ଓଡ଼ିଶାର ପ୍ରଥମ ଲଢେଇ ଛତିଶଗଡ଼ ସହିତ ୯ ତାରିଖରୁ ଆରମ୍ଭ ହେବ। ଏହାପରେ ଡ୍ରିମ୍ସରେ ଦ୍ବିତୀୟ ମ୍ୟାଚ୍‌ ସର୍ଭିସେସ୍‌ ବିପକ୍ଷରେ ୧୭ ତାରିଖରୁ ଖେଳାଯିବ। ଏହି ଦୁଇ ମ୍ୟାଚ୍‌ ବାଦ୍‌ ୨୫ ତାରିଖରୁ ଉତ୍ତରାଖଣ୍ତ, ଜାନୁଆରି ୩ରୁ ତ୍ରିପୁରା, ଜାନୁଆରି ୧୧ରୁ ହରିୟାଣା, ଜାନୁଆରି ୧୯ରୁ ଜମ୍ମୁ କାଶ୍ମୀର, ଜାନୁଆରି ୨୭ରୁ ଆସାମ, ଫେବ୍ରୁଆରି ୪ରୁ ମହାରାଷ୍ଟ୍ର, ଫେବ୍ରୁଆରି ୧୨ରୁ ଝାଡ଼ଖଣ୍ତ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଗତ ଋତୁରେ ଓଡ଼ିଶା ଖେଳିଥିବା ୯ ଲିଗ୍‌ ମ୍ୟାଚ୍‌ରେ ୪ ବିଜୟ, ୩ ପରାଜୟ ଓ ୨ ଅମୀମା˚ସିତ ସହ ମୋଟ ୨୬ ପଏଣ୍ଟରେ ଏଲିଟ୍‌ ଗ୍ରୁପ୍‌ ସି’ର ଚତୁର୍ଥ ସ୍ଥାନରେ ରହିଥିଲା।

ନକ୍‌ଆଉଟ ଯୋଗ୍ୟତା ପାଇଁ ଭଲ ସୁଯୋଗ ଅଛି: ଶୁଭ୍ରା˚ଶୁ
ଆମେ ଏଥର ଭଲ ଗ୍ରୁପ୍‌ରେ ସ୍ଥାନ ପାଇଛୁ। ତେଣୁ ଦଳ ପାଖରେ ନକ୍‌ଆଉଟକୁ ଯୋଗ୍ୟତା ଅର୍ଜନ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତଥାପି ପ୍ରତ୍ୟେକ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ସବୁ ମ୍ୟାଚ୍‌ରେ ଶତ ପ୍ରତିଶତ ଉଦ୍ୟମ କରିଲେ ମ୍ୟାଚ୍‌ ଆମ କବ୍‌ଜାକୁ ଆସିପାରିବ। ଏଥିପାଇଁ ଯଦିଓ ଆମ ପାଖରେ ପର୍ଯ୍ୟାପ୍ତ ସମୟ ନଥିଲା, ତଥାପି ଭଲ ପ୍ରସ୍ତୁତି କରିଛୁ। ଅଧିକ ଦିନ ପର୍ଯ୍ୟନ୍ତ ଧଳା ବଲ୍‌ରେ ଖେଳି ଆସିଥିଲୁ। ବିଜୟ ହଜାରେ, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପରେ ଏବେ ନାଲି ବଲ୍‌ ପାଇଁ ଯେତିକି ସମୟ ଦରକାର ତାହା ଆମ ପାଖରେ ନଥିଲା। ତଥାପି ଯେଉଁ ଦଳ ଅଛି ଓ ଯେଉଁ ଗ୍ରୁପ୍‌ରେ ଆମେ ଅଛୁ, ଆମକୁ ଯୋଗ୍ୟତା ଅର୍ଜନ କରିବା ସହଜ ହୋଇପାରେ। ଏଥିସହିତ ଘରୋଇ ପରିବେଶରେ ୫ଟି ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏହାର ଫାଇଦା ମଧ୍ୟ ଉଠାଇବାକୁ ଚେଷ୍ଟା କରିବୁ।

ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା, ରାଜେଶ ଧୂପର, ଅଙ୍କିତ ଯାଦବ, ପପୁ ରାଏ।

ସମ୍ବନ୍ଧିତ ଖବର