ସୁବୋଧ ପୁଣି ରାଜ୍ୟ ଭଲିବଲ୍‌ ସଂଘ ସଭାପତି

କଟକ: ସୁବୋଧ ରାଉତରାୟ ପୁଣି ଥରେ ଓଡ଼ିଶା ଭଲିବଲ୍‌ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି। ପୂର୍ବତନ ସମ୍ପାଦକ ପ୍ରଦୀପ ମହାନ୍ତି ଏଥର ସଭାପତି ପଦ ପାଇଁ ଆଗ୍ରହ ଦେଖାଇଥିଲେ ବି ଭୋଟରମାନେ ସୁବୋଧଙ୍କୁ ଅଧିକ ପସନ୍ଦ କରିଥିଲେ। ଅନ୍ୟ ସବୁ ପଦବି ପାଇଁ ନିର୍ଦ୍ୱନ୍ଦରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇସାରିଥିଲା ବେଳେ ରବିବାର ସାଧାରଣ ପରିଷଦ ବୈଠକରେ ସଭାପତି ପାଇଁ ପ୍ରଦୀପ ମହାନ୍ତି ଓ ସୁବୋଧ ରାଉତରାୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୪୨ ଜଣଙ୍କ ମଧ୍ୟରୁ ୩୦ ଜଣ ଭୋଟ ଦେଇଥିଲା ବେଳେ ୨୯ ଭୋଟ୍‌ ସୁବୋଧଙ୍କ ସପକ୍ଷରେ ଯାଇଥିଲା। ଅବଶିଷ୍ଟ ଭୋଟ ନାକଚ ହୋଇଯାଇଥିଲା। ଖୋଦ ପ୍ରଦୀପ ମହାନ୍ତି ସ୍ୱାସ୍ଥ୍ୟଗତ କାରଣରୁ ଏହି ନିର୍ବାଚନରେ ଭାଗ ନେଇ ପାରିନଥିଲେ। ସୁବୋଧଙ୍କ ବ୍ୟତୀତ ଏହି ସଂଘରେ କାର୍ଯ୍ୟକାରୀ ସଭାପତି ଭାବେ ସଂଜୟ କୁମାର ଦାସ, ଉପସଭାପତି ସୟଦ ଆକମଲ ଅଲ୍ଲୀ, ଜନାର୍ଦନ ଦାଶ, ଭବାନୀ ପ୍ରସାଦ ନନ୍ଦ, କିଶୋର କୁମାର ବିଶ୍ୱାଳ, ଶିବପ୍ରସାଦ ତ୍ରିପାଠୀ, ଦୁଲାଲ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଭାବେ ଡକ୍ଟର ଗଗନେନ୍ଦୁ ଦାଶ, ଯୁଗ୍ମ ସମ୍ପାଦକ ଭାବେ ଆଦିତ୍ୟ କୁମାର ଆଚାର୍ଯ୍ୟ, ଜଗଦୀଶ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଭାବେ ମନୋରଂଜନ ମହାନ୍ତି ପୂର୍ବରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଏମାନେ ୪ ବର୍ଷ ପର୍ଯ୍ୟନ୍ତ ପଦବିରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର