‘ସଫଳତାର ଆଉ ଏକ ସୁନ୍ଦର ଫର୍ଦ’

କଟକ: ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସମାପନ ଉତ୍ସବରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। କଟକରେ ଆଉ ଏକ ଚମତ୍କାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଲା। ବିଜେତାଙ୍କୁ ଅନେକ ଅନେକ ଅଭିନନ୍ଦନ। ବିଭିନ୍ନ ଦେଶରୁ ଆସିଥିବା ଯୁବ କ୍ରୀଡ଼ା ତାରକାଙ୍କ ଖେଳୁଆଡ଼ ମନୋଭାବକୁ ମୁଁ ସାଲ୍ୟୁଟ କରୁଛି। ଆପଣମାନଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ବିଶ୍ବସ୍ତରୀୟ ଥିଲା। ଅଂଶଗ୍ରହଣକାରୀ ଦେଶର ପ୍ରତ୍ୟେକ ଖେଳାଳିଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ପ୍ରାଚୀନ ସହର କଟକ କଳା ସଂସ୍କୃତି, ବାରବାଟୀ ଓ କ୍ରିକେଟ୍ ପାଇଁ ପରିଚିତ। ଏହି ପ୍ରତିଯୋଗିତା ଆୟୋଜନ ପରେ କଟକ ତା’ ସମୃଦ୍ଧମୟ ଇତିହାସରେ ସଫଳତାର ଆଉ ଏକ ସୁନ୍ଦର ଫର୍ଦ ଯୋଡ଼ିଛି। ଫନି ଘୂର୍ଣ୍ଣିଝଡ଼ ପରେ ସହରକୁ ପୁଣି ଥରେ ସରସ ଓ ସୁନ୍ଦର କରି ଗଢ଼ି ତୋଳିବାରେ କଟକବାସୀ ଦେଖାଇଥିବା ଅଦମ୍ୟ ଉତ୍ସାହ ଓ ସାହସକୁ ମୁଁ ପ୍ରଶଂସା କରୁଛି। ମୁଖ୍ୟମନ୍ତ୍ରୀ ତାଙ୍କ ସୀମିତ ସମୟ ରହଣୀ ମଧ୍ୟରେ ପୁରୁଷ ଏକକ ଓ ମହିଳା ଏକକ ବିଭାଗରେ ପଦକ ପ୍ରଦାନ କରିଥିଲେ।

ଶରତ, ମନିକା ବ୍ରାଣ୍ଡ ଆମ୍ବାସାଡର
ଭାରତର ଦୁଇ ତାରକା ଖେଳାଳି ଶରତ କମଲ ଓ ମନିକା ବାତ୍ରା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ମେଲିସା ଟାପ୍ପର, ଇ˚ଲଣ୍ଡର ଆଲାନ କୁକ୍‌ ଓ ନାଇଜେରିଆର ସେସିଲିଆ ଅକପନ୍‌ଙ୍କୁ ଆମ୍ବାସାଡର ଭାବେ ଚୟନ କରାଯାଇଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ମହାସ˚ଘର ନୂତନ ଅଧ୍ୟକ୍ଷ ବିବେକ କୋହଲି ଘୋଷଣା କରିଛନ୍ତି। ଏହାବ୍ୟତୀତ ଭାରତର କନିଷ୍ଠ ଖେଳାଳି ଶ୍ରୀଜା ଆକୁଳାଙ୍କୁ ୨୧ତମ ସ˚ସ୍କରଣର ଫେୟାର ପ୍ଲେ ପୁରସ୍କାର ଦିଆଯାଇଛି। ଶ୍ରୀଜା ପ୍ରତିଯୋଗିତାରେ ମୋଟ ୨ଟି ପଦକରେ ଭାଗୀଦାରି ହୋଇଛନ୍ତି। ମିଶ୍ରିତ ଯୁଗଳରେ ଶରତଙ୍କ ସହ ମିଶି କା˚ସ୍ୟ ଏବ˚ ମହିଳା ଯୁଗଳରେ ମୌସୁମୀ ପଲ୍‌ଙ୍କୁ ସାଥୀକରି ରୌପ୍ୟ ପଦକ ହାସଲ କରିଥିଲେ।

ଭିତ୍ତିଭୂମିର ସଫଳ ବନିଯୋଗ ‌ହେଉଛି: ବିଶାଲ ଦେବ
ଖୁବ୍‌ କମ୍‌ ଦିନରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇଛି। ଏବେ ସଫଳତାର ସହ ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିବାରୁ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ। ଇଣ୍ଡୋର ଷ୍ଟାଡିୟମକୁ ନୂଆ ରୂପ ଦେବା ପାଇଁ ଯେଉଁ ପରିଶ୍ରମ କରାଯାଇଛି, ତାହା ଯେପରି ବୃଥା ନ ଯିବ ଏବ˚ ଭିତ୍ତିଭୂମିର ସଫଳ ବିନିଯୋଗ ପାଇଁ ଏଠାରେ ଅଧିକ ମେଗା ଇଭେଣ୍ଟ୍‌ କରାଯିବାକୁ ଯୋଜନା କରାଯାଉଛି। ପ୍ରଚଳିତ ଇଣ୍ଡୋର ଖେଳଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଆମେ ସବୁବେଳେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୮ଟି ହାଇ ପରଫର୍ମାନ୍ସ ସେଣ୍ଟର ରହିଛି। ସେଗୁଡ଼ିକୁ ଅପଗ୍ରେଡ୍‌ କରାଯିବ। ଆଗକୁ ଓଡ଼ିଶାରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଆୟୋଜନ ପାଇଁ ଆଲୋଚନା ଚାଲିଥିବା ବିଶାଲ ଦେବ ସୂଚନା ଦେଇଛନ୍ତି।

ଶେଷ ଦିନରେ ୪ ହଜାର ଦର୍ଶକ
ତେବେ ସବୁବେଳେ ଷ୍ଟାଡିୟମରେ ଦର୍ଶକଙ୍କ ସ˚ଖ୍ୟା ଉତ୍ସାହଜନକ ହେଉନଥିବା ବେଳେ ଶେଷ ଦିନରେ ପାଖାପାଖି ୪ ହଜାର କ୍ରୀଡ଼ା ପ୍ରଶ˚ସକ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅଧିକା˚ଶ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ରହିଥିଲେ। ସେମାନଙ୍କ ବ୍ୟତୀତ ସାଧାରଣ ଦର୍ଶକଙ୍କ ସ˚ଖ୍ୟା ମଧ୍ୟ ପୂର୍ବାପେକ୍ଷା ଅଧିକ ରହିଥିଲା। ଶେଷ ଦିନରେ ୯୦ ପ୍ରତିଶତ ଖେଳ ଭାରତୀୟଙ୍କର ଥିବାରୁ ଦର୍ଶକମାନେ ପ୍ରତ୍ୟେକ ପଏଣ୍ଟ୍‌ରେ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ। ଏଥି ସହିତ ଗ୍ୟାଲେରି ଭିତରୁ ଇଣ୍ଡିଆ…ଇଣ୍ଡିଆ… ନାରା ଦିଆଯାଉଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର