ସୁନ୍ଦରଗଡ଼ର ସୁନା ପୁଅ :କଳିଙ୍ଗ ଷ୍ଟାଡିୟମ୍‌ରେ ପତ୍ନୀ ମୀରା ଓ ପୁଅ ଜ‌େୟସ ସହ ଦିଲ୍ଲୀପ ତିର୍କି

ଆଜି ଆସିବେ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା

ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କି ୧୯୭୭ ମସିହା ନଭେମ୍ବର ମାସ ୨୫ ତାରିଖରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ହକି ଦଳରେ ‘ଦିଲୀପ ତିର୍କି’ ଏକ ବହୁ ପ୍ରଚାରିତ ନାମ। ଦଳରେ ଖେଳିବା ବେଳେ ସେ ‘ଫୁଲ୍‌ ବ୍ୟାକ୍’ ପୋଜିସନ୍ ନେଇ ଖେଳୁଥିଲେ। ନିଜ ‌‘ପେନାଲ୍‌ଟି କର୍ଣ୍ଣର୍‌’ ହିଟ୍‌ ପାଇଁ ଦିଲୀପ ବେଶ୍‌ ଜଣାଶୁଣା। ଏତଦ୍ ବ୍ୟତୀତ ବିଶ୍ବର କେତକ ପ୍ରମୁଖ ଡିଫେଣ୍ଡରଙ୍କ ମଧ୍ୟରେ ଦିଲୀପଙ୍କ ନାମ ଆସିଥାଏ। ପୂର୍ବତନ ହକି ଖେଳାଳି ତଥା ପିତା ଭିନ୍‌ସେଣ୍ଟ୍‌ ତିର୍କି ଓ ମାତା ରେଗିନା ତିର୍କିଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଦିଲୀପଙ୍କର ପିଲାଟି ଦିନରୁ ହକି ପ୍ରତି ବେଶ୍‌ ଆକର୍ଷଣ ଥିଲା। ତାଙ୍କ ଅନୁଜ ଯମଜ ଭାଇ ଅନୁପ ତିର୍କି ଏବଂ ଅଜିତ ତିର୍କି ରେଳବାଇ ପକ୍ଷରୁ ହକି ଖେଳୁଛନ୍ତି।
୧୯୯୫ ମସିହାରେ ଦିଲୀପ ନିଜ ପଦାର୍ପଣ ମ୍ୟାଚ୍ ଇଂଲଣ୍ଡ ବିରୋଧରେ ଖେଳିଥିଲେ। ଏତଦ୍ ବ୍ୟତୀତ ୧୯୯୬ ଆଟ୍‌ଲାଣ୍ଟ୍‌, ୨୦୦୦ ସିଡ୍‌ନି ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତରୁ ପ୍ରତିନିଧିତ୍ବ କରିଥିଲେ। ଏ ପର୍ଯ୍ୟନ୍ତ ମୋଟ ୪୧୨ଟି ଅନ୍ତର୍ଜାତିକ ହକି ମ୍ୟାଚ୍ ଖେଳିଥିବାର କୀର୍ତିମାନ ଦିଲୀପଙ୍କ ନାମରେ ରହିଛି। ଏକମାତ୍ର ଆଦିବାସୀ ଯୁବକ ହିସାବରେ ଭାରତକୁ ତିନି ତିନିଟି ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବାର ବିରଳ ସୌଭାଗ୍ୟ ଦିଲୀପଙ୍କୁ ମିଳିଛି। ୨୦୧୦ ମସିହା ମେ ମାସ ୨ ତାରିଖରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ‌ନେଇଥିଲେ। ଭାରତୀୟ ହକି ମହାସଂଘ ଦ୍ବାରା ତାଙ୍କୁ ପ୍ରଦାନ କରାଯାଇଥିବା ‘ଚୟନକର୍ତା’ ପଦବିକୁ ‌ସେ ପ୍ରତ୍ୟାଖ୍ୟାନ କରିଥିଲେ। ହକି ଖେଳରେ ଉତ୍କର୍ଷତା ପ୍ରଦର୍ଶନ କରି ସେ ସମଗ୍ର ବିଶ୍ବରେ ଭାରତ, ଓଡ଼ିଶା ଓ ସୁନ୍ଦରଗଡ଼ ମାଟିର ନାମ ଉଜ୍ବଳ କରିଛନ୍ତି। ଏଥିପାଇଁ ତାଙ୍କୁ ଅଜସ୍ର ସମ୍ମାନ ଓ ସମ୍ବର୍ଧନା ମିଳିଛି। ତନ୍ମଧ୍ୟରୁ ୧୯୯୬ରେ ଏକଲବ୍ୟ ପୁରସ୍କାର, ୨୦୦୨ରେ ଅର୍ଜୁନ ପୁରସ୍କାର ଏବଂ ୨୦୦୪ରେ ପଦ୍ମଶ୍ରୀ ଉପାଧି ଅନ୍ୟତମ। ଏହା ବାଦ୍ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ସୋକେସ ଓଡ଼ିଶା ପୁରସ୍କାର ଭଳି ବିଖ୍ୟାତ ସମ୍ମାନରେ ସେ ସମ୍ମାନିତ। ସେ ମଧ୍ୟ ହକିର କନିଷ୍ଠ ବିଶ୍ବ ଏକାଦଶ, ଏସୀୟ ଏକାଦଶ, ୱାଲ୍ଡ ଅଲ୍ ଷ୍ଟାର ଦଳ ଆଦିରେ ସ୍ଥାନ ପାଇଥି‌ଲେ। ୧୫ ଜୁଲାଇ ୨୦୧୦ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି।
ଭାରତର ସର୍ବାଧିକ ତଥା ବିଶ୍ବର ଦ୍ବିତୀୟ ସର୍ବାଧିକ ଅନ୍ତର୍ଜାତିକ ହକି ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଦିଲୀପ। ତାଙ୍କ ନେତୃତ୍ବରେ ଭାରତ ୧୯୯୫ରେ ସାଫ୍‌ ଗେମ୍ସ, ୧୯୯୭ରେ ୨୧ ବର୍ଷରୁ କମ୍‌ ଟେଷ୍ଟ୍‌ ଶୃଙ୍ଖଳା, ୧୯୯୭ ଚ୍ୟାଲେଞ୍ଜର୍ସ କପ୍, ୧୯୯୮ ଏସୀୟ କ୍ରୀଡ଼ା, ୧୯୯୯ ଏସିଆ କପ୍ (କାଂସ୍ୟ ପଦକ), ୨୦୦୦ ସୁଲ୍‌ତାନ ଆଜଲାନ୍ ଶାହ କପ୍‌ (କାଂସ୍ୟ), ୨୦୦୨ ଏସୀୟ କ୍ରୀଡ଼ା (ରୌପ୍ୟ), ୨୦୦୩ ଏସିଆ କପ୍, ୨୦୦୩ ଆଫ୍ରୋ-ଏସୀୟ କ୍ରୀଡ଼ାରେ ବିଜୟୀ ହୋଇଥିଲା। ୧୯୯୬ ମସିହାରେ ସେ ଏୟାର ଇଣ୍ଡିଆ (ଭୁବନେଶ୍ବର)ର ଡେପୁଟି ମ୍ୟା‌ନେଜର ଭାବେ ‌ନୁଯୁକ୍ତି ହୋଇଥିଲେ। ବିଜେଡି ପକ୍ଷରୁ ସେ ରାଜ୍ୟସଭାକୁ ଯାଇ ୨୦୧୨ ଏପ୍ରିଲ୍‌ ୪ରୁ ୨୦୧୮ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସଂସଦ‌ର ଉଚ୍ଚସଦନରେ କାର୍ଯ୍ୟ କରିଥିଲେ। ବର୍ତମାନ ଦିଲୀପ ତିର୍କି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଅଛନ୍ତି। ନିଜ ସମ୍ପୂର୍ଣ୍ଣ ଜୀବନରେ ସେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଏହା ଦ୍ବାରା ନିଜ ରାଜ୍ୟ ଓଡ଼ିଶା ତଥା ସୁନ୍ଦରଗଡ଼ ମାଟିର ମହକକୁ ସାରା ବିଶ୍ବରେ ଉପସ୍ଥାପିତ କରି ପାରିଛନ୍ତି।

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଚତୁର୍ଦଶ ହକି ବିଶ୍ବକପ୍ ଲାଗି ବୁଧବାରଠାରୁ ବିଭିନ୍ନ ଦଳ ଭୁବନେଶ୍ବର ଆସିବା ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ଓ ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ରାଜଧାନୀରେ ପାଦ ଥାପିବେ। ଆର୍ଜେଣ୍ଟିନା ଦଳ ସକାଳ ୯ଟା ୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଦଳୀୟ ହୋଟେଲକୁ ଯିବେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା‌ ରାତି ୯ଟାରେ ପହଞ୍ଚିବ। ଉଭୟ ଦଳ ଲାଗି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆର୍ଜେଣ୍ଟିନା ସଂପ୍ରତି ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଅଛି। ଏହି ଦଳ ୧୩ ଥର ବିଶ୍ବକପ୍ ଖେଳିଛି। ୨୦୧୪ରେ ଲାଟିନ୍ ଆମେରିକୀୟ ଦଳ ଆର୍ଜେଣ୍ଟିନା ଶ୍ରେଷ୍ଠ ପ୍ରଦଶର୍ନ କରି ତୃତୀୟ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା କଳିଙ୍ଗ ଷ୍ଟାଡିୟମରେ ଷଷ୍ଠ ଥର ପାଇଁ ବିଶ୍ବକପ୍ ଖେଳିବ। ୧୯୯୪ରେ ହାସଲ କରିଥିବା ଦଶମ ସ୍ଥାନ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ। ବୁଧବାର ପହଞ୍ଚିବା ପରେ ଆର୍ଜେଣ୍ଟିନା ଦଳ କଳିଙ୍ଗ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ହକି ବିଶ୍ବକପ୍‌ରେ ଆୟୋଜକ ଭାରତକୁ ମିଶାଇ ୧୬ ଦଳ ଅଂଶ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର