ସୁନୀଲ ଗାଭାସ୍କର: ଆର୍‌ସିବିକୁ ଏବିଡି ଆଶୀର୍ବାଦ

ଯେତେବେଳେ ଆଇପିଏଲ୍‌ ସୂଚୀ ପ୍ରକାଶିତ ହେଲା ଅଧିକାଂଶ ଦଳ ଦେଖିଲେ ନିଜର ପ୍ରଥମ ମ୍ୟାଚ୍‌ କେଉଁଠି ଖେଳିବେ ଏବଂ ଦ୍ୱିତୀୟରେ କେଉଁ ପଡ଼ିଆ ତାଙ୍କ ପ୍ରିୟ ଓ ପସନ୍ଦର। କିନ୍ତୁ ଚତୁର ଅଧିନାୟକ ଓ ପ୍ରଶିକ୍ଷକମାନେ ଦେଖିଥିଲେ ସେମାନଙ୍କର ଶେଷ ଗୋଟିଏ ଦୁଇଟି ମ୍ୟାଚ୍‌ କେଉଁଠି ଏବଂ କାହା ବିପକ୍ଷରେ ଖେଳିବେ। ସେହି ତୁଳନାରେ କେଉଁ ସମୟରେ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିବାକୁ ହେବ ଏବଂ ନିଜ ପଡ଼ିଆରେ କେଉଁ ଖେଳାଳିଙ୍କୁ ନେଇ ଖେଳିବେ ତାହାର ଯୋଜନା ଭଲ ଭାବରେ କରିପାରିବେ। ପିଚ୍‌ ଅନୁସାରେ ନିଜ ସାମର୍ଥ୍ୟକୁ ନେଇ ଯୋଜନା କରିବେ। ଏପରିକି ନେଟ୍‌ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌) ଆଧାରରେ ପ୍ଳେ ଅଫ୍‌ ଯୋଗ୍ୟତା କଥା ଉଠିଲେ ମଧ୍ୟ ଏହାର ଧାରଣା ସେମାନେ ପାଇପାରିବେ। ପ୍ଲେ ଅଫ୍‌ ସୂଚୀର ଠିକ୍‌ ପୂର୍ବ ତଥା ଶେଷ ଲିଗ୍‌ ମ୍ୟାଚ୍‌କୁ ଘରୋଇ ପଡ଼ିଆରେ ଖେଳିବାର ଥିବାରୁ ଦିଲ୍ଲୀ ଏବଂ ଚେନ୍ନାଇ ଦଳର ଅଧିନାୟକ ଓ ପ୍ରଶିକ୍ଷକ ବେଶ୍‌ ପ୍ରସନ୍ନ ଥିଲେ। ଦିଲ୍ଲୀ କିନ୍ତୁ ନିଜର ଦୁର୍ବଳ ଦଳ ଚୟନ ପାଇଁ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ଘରୋଇ କ୍ରିକେଟ୍‌କୁ ଦେଖି ନ ଥିବା ପ୍ରଶିକ୍ଷକଙ୍କ ପାଇଁ ସମସ୍ୟା ହେଲା, ପ୍ଳେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବା ପରେ ହିଁ ଅଭିଷେକ ଶର୍ମାଙ୍କୁ ଖେଳାଇଥିଲେ। ବିଦେଶୀ ଖେଳାଳିଙ୍କ ବିଫଳତା ଭିତରେ ଏହି ଯୁବ ଖେଳାଳିଙ୍କ ଉପରେ ନଜର ପକାଇବାର ଥିଲା। ବାଙ୍ଗାଲୋର୍‌ ଦଳ କିନ୍ତୁ ଏବି ଡିଭିଲିୟର୍ସଙ୍କ ଆଶୀର୍ବାଦରୁ ଉତ୍ସାହକୁ ଫେରିଛି। ତାଙ୍କଠାରୁ ଆଉ ଏକ ଭଲ ପ୍ରଦର୍ଶନ ସହିତ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛି ଆର୍‌ସିବି। ରାଜସ୍ଥାନ ଦଳରେ ମଧ୍ୟ ଦୁଇ ଜଣ ବଡ଼ ତାରକା ରହିଛନ୍ତି-ଜୋସ୍‌ ବଟଲର୍‌ ଓ ବେନ୍‌ ଷ୍ଟୋକ୍‌ସ। ଷ୍ଟୋକ୍‌ସ ଗତ ଋତୁ ଭଳି ପ୍ରଦର୍ଶନ ଦେଇପାରିନାହାନ୍ତି। ତାଙ୍କଠାରୁ ଯେଭଳି ସଙ୍କଳ୍ପବଦ୍ଧତା ମିଳିବା କଥା ମିଳିନାହିଁ। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଯେତେ ଅଧିକ ଖେଳୁଛନ୍ତି ସେତେ ଉନ୍ନତ ପ୍ରଦର୍ଶନ କରୁଛନ୍ତି। ସେ ଯଦି ନିଜ ବ୍ୟାଟିଂ ଉପରେ ଟିକିଏ ଏକାଗ୍ର ରହିଥାନ୍ତେ ତେବେ ତାଙ୍କ ଅଧିନାୟକଙ୍କୁ ସ୍ୱପ୍ନର ଅଲରାଉଣ୍ଡର୍‌ ମିଳିଯାଇଥାନ୍ତା। ଆରସିବି ନିକଟରୁ ସନ୍‌ରାଇଜର୍ସ ଅଳ୍ପକେ ହାରିଯାଇଥାଇ ପାରେ କିନ୍ତୁ ବଡ଼ ସ୍କୋର୍‌କୁ ଯେଉଁ ଉତ୍ସାହରେ ପିଛା କରିଥିଲେ ତାହା ରୋମାଞ୍ଚିତ କରିଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ପ୍ରତିଟି ମ୍ୟାଚ୍‌ରେ ଉନ୍ନତି କରି ଚାଲିଛନ୍ତି। ବାଙ୍ଗାଲୋର୍‌ରେ ଶକ୍ତିଶାଳୀ ବ୍ୟାଟିଂ ବ୍ୟତୀତ କିଛି ପ୍ରାଚୀନ ସଟ୍‌ ତାଙ୍କ ପରିଚୟର ପ୍ରମାଣ ଛାଡ଼ିଥିଲା। ଘରୋଇ ମ୍ୟାଚ୍‌କୁ ଜିତି ସେମାନେ ନିଶ୍ଚିତ ପଏଣ୍ଟ୍‌ ଟେବୁଲ୍‌ର ଶୀର୍ଷରେ ରହିବାକୁ ଚାହିଁବେ। ଦୀନେଶ କାର୍ତିକ ଏବଂ ନାଇଟ୍‌ ରାଇଡର୍ସଙ୍କ ପାଇଁ ଶନିବାର ଲୟ ଜାରି ରଖିବାକୁ ହେବ। ଗତ ମ୍ୟାଚ୍‌ରେ ୪ ଓ୍ଵିକେଟ୍‌ ଦଖଲ କରିବା ସହିତ ମିତ୍ତବ୍ୟୟୀ ବୋଲିଂ କରି କୁଲଦୀପ ଯାଦବ ଆତ୍ମବିଶ୍ୱାସକୁ ଫେରିଛନ୍ତି। ଦଳ ପାଇଁ ଏହା ବଡ଼ କଥା। ନିଜ ଘରୋଇ ପଡ଼ିଆ ଇଡେନ୍‌ରେ ପ୍ଲେ ଅଫ୍‌ ଖେଳିବା ଲାଗି ଏବେ କେକେଆର୍‌କୁ ଭଲ ଖେଳିବାକୁ ପଡ଼ିବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର