ହେୟଜ୍ଞାନ କଲେ ଫଳ ଭୋଗିବାକୁ ପଡ଼ିବ, ସୁୂନୀଲ ଗାଭାସ୍କର

ଏସିଆ କପ୍ ଫାଇନାଲରେ ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ ବୋଲି ଅନେକ ଲୋକ ଆଶା କରି ନଥିଲେ। ହେଲେ ମୋ ମତରେ ବାଂଲାଦେଶ ଫାଇନାଲ୍ ଖେଳିବାର ହକ୍‌ଦାର ଥିଲା। ଭାରତ ଯଦି ସେମାନଙ୍କୁ ହେୟ ଜ୍ଞାନ କରେ, ତାହାଲେ ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ପାକିସ୍ତାନ ଯେଭଳି ଭାବେ ପ୍ରତ୍ୟାବର୍ତନ କଲା, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ହେଲେ ପାକିସ୍ତାନ ବିପକ୍ଷ ବାସ୍ତବିକ ସେମିଫାଇନାଲରେ ସକାରାତ୍ମକ କ୍ରିକେଟ୍ ଖେଳି ବାଂଲାଦେଶ ସଫଳ ହେଲା। ମାସ୍ରଫ ମୋର୍ତାଜାଙ୍କ ନେତୃତ୍ବ ଅତି ଉଚ୍ଚକୋଟୀର। ମୁସଫିକର ରହିମ ଏବଂ ମହମ୍ମଦ ମିଥୁନ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ମେହଦି ହାସନଙ୍କ ଭଳି ସ୍ପିନରଙ୍କ ହାତରେ ପାଳି ଆରମ୍ଭ କରି ମୋର୍ତାଜା ଅଧିନାୟକ ଭାବେ ନିଜ ପରିପକ୍ବତାର ପରିପ୍ରକାଶ କରିଥିଲେ। ଫଖର ଜମନଙ୍କୁ ଆଉଟ୍ କରି ମେହଦି ମଧ୍ୟ ନିଜ ଅଧିନାୟକଙ୍କ ନିଷ୍ପତ୍ତିକୁ ସାର୍ଥକ କରିଥିଲେ।

ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନ ଭାରତକୁ ଦୃଢ଼ ଏବଂ ଦ୍ରୁତ ଆରମ୍ଭ ଦେଉଛନ୍ତି। ବିବିଧତା ଭରା ସଟ୍ ଖେଳି ଉଭୟ ଦର୍ଶକଙ୍କର ମଧ୍ୟ ଭରପୁର ମନୋରଞ୍ଜନ କରୁଛନ୍ତି। ଭାରତୀୟ ସ୍ପିନରମାନେ ମଧ୍ୟ ଧିମା ପିଚ୍‌ରୁ ପୂରା ଫାଇଦା ଉଠାଉଛନ୍ତି। ମଧ୍ୟକ୍ରମରେ ‌‌େସମାନେ ପ୍ରତିପକ୍ଷକୁ ଭାଗୀଦାରି ଗଢ଼ିବାକୁ ଦେଉନାହାନ୍ତି। ଯଶ୍‌ପ୍ରୀତ ବୁମରା ଜବରଦସ୍ତ ବୋଲିଂ କରୁଛନ୍ତି। ଜାଦେଜା ଏବଂ ଚହଲଙ୍କୁ ତାଙ୍କଠାରୁ ଅନେକ କିଛି ଶିଖିବାର ଅଛି। ସେମାନେ ଯେମିତି ନୋ’ ବଲ୍ ନ କରନ୍ତି, ତା ଉପରେ ଧ୍ୟାନ ଦେବା ଜରୁରୀ। ଭାରତ ମଧ୍ୟ କ୍ଷେତ୍ରରକ୍ଷଣରେ ସମସ୍ତଙ୍କୁ ପ୍ରଭାବିତ କରିଛି। ଏବେ ସେମାନଙ୍କୁ ଆଉ ମାତ୍ର ଗୋଟିଏ ଦିନ ଏହି ଧାରା ବଜାୟ ରଖିବାକୁ ହେବ। ଏହା ‌ହେଲେ ଏସିଆ କପ୍ ପୁଣି ଥରେ ସେମାନଙ୍କ ଥଳିରେ ଥିବ। (ପିଏମଜି/ଇଏସପି)

ସମ୍ବନ୍ଧିତ ଖବର