ଉଗ୍ର ଉତ୍ସବ ପାଳନ ବନ୍ଦ ହେଉ : ସୁନୀଲ ଗାଭାସ୍କର

ପଏଣ୍ଟ ଟେବୁଲରେ ଅଦଳ ବଦଳ ଲାଗି ରହିବା ସହ ଚଳିତ ଆଇପିଏଲ୍‌ରେ ସୃଷ୍ଟି ହୋଇଥିବା ଆଲୋଡ଼ନ ଅବ୍ୟାହତ ରହିଛି। ସେହିଭଳି ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଭିଯାନ ନୂଆ ମୋଡ଼ ନେଇଛି କି ନାହିଁ? ସେହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ହେଲେ ଆମକୁ ମନେ ରଖିବାକୁ ହେବ ଯେ ମୁମ୍ବାଇ ସବୁବେଳେ ମନ୍ଥର ଆରମ୍ଭ କରିଥାଏ ଏବଂ ହଠାତ୍‌ ବିଜୟ ଧାରାକୁ ଫେରି ଟ୍ରଫି କରାୟତ କରି ନେଇଥାଏ। ଯାହାର ଏକାଧିକ ଉଦାହରଣ ବି ରହିଛି। ଶନିବାର ଅଧିନାୟକ ରୋହିତ ଶର୍ମା ଯେଭଳି ଭାବେ ଦାୟିତ୍ୱବାନ ବ୍ୟାଟିଂ କରି ମୁମ୍ବାଇକୁ ବିଜୟ ଉପହାର ଦେଲେ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ମୁଁ କହିବି ସୀମିତ ଓଭରରେ ତାଙ୍କ ସଫଳତା ଅବର୍ଣ୍ଣନୀୟ। ଏଣୁ ସେ ଯେତେ ଅଧିକ ଓଭର ବ୍ୟାଟିଂ ପାଇବେ ମୁମ୍ବାଇ ପାଇଁ ସେତେ ଭଲ। ପାଲଟା ପ୍ରତିଦ୍ୱନ୍ଦ୍ୱିତାରେ ଚେନ୍ନାଇ ହୁଏତ ଗତଥରର ବିଜେତା ମୁମ୍ବାଇଠାରୁ ପରାଜିତ ହୋଇଥାଇପାରେ। ହେଲେ ପ୍ରତ୍ୟାବର୍ତନର ସବୁ ଶକ୍ତି ଏହି ଦଳ ପାଖରେ ରହିଛି। ସେମାନେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଭେଟିବାର ଅଛି। ମୁମ୍ବାଇ ଭଳି ଦିଲ୍ଲୀ ମଧ୍ୟ ଅଧିନାୟକ ଶ୍ରେୟସ୍‌ ଆୟରଙ୍କ ଜବରଦସ୍ତ ପାଳି ବଳରେ ବିଜୟ ଧାରାକୁ ଫେରିଛି। ଶ୍ରେୟସଙ୍କ ପାଇଁ ଦିଲ୍ଲୀ ଚଳିତ ଋତୁରେ ପ୍ରଥମ ଥର ପାଇଁ ୨୦୦ରୁ ଅଧିକ ରନ୍‌ କରିଥିଲା। ତାହାଲେ ସେମାନେ ମଧ୍ୟ କ’ଣ ମୁମ୍ବାଇ ଭଳି ନିଜ ଅଭିଯାନରେ ନାଟକୀୟ ପରିବର୍ତନ ଆଣିପାରିବେ। ସେମାନଙ୍କ ପାଖରେ ଭଲ ବୋଲର ଅଛନ୍ତି, ଶ୍ରେୟସ୍‌ ଜବରଦସ୍ତ ଫର୍ମରେ ଥିବାରୁ ଏହା ସମ୍ଭବ ମଧ୍ୟ। ରିକି ପଣ୍ଟିଂଙ୍କ ମାର୍ଗଦର୍ଶନରେ ସେମାନେ ଆଗକୁ ବଢ଼ି ପାରିବେ। ବ୍ୟାଟ୍ସମ୍ୟାନଙ୍କୁ ଖରାପ ବ୍ୟବହାର କରି ଦୁଇ ଜଣ ଯୁବ ଭାରତୀୟ ବୋଲର ଚେତାବନୀ ପାଇବା ଦେଖି ଖୁସି ଲାଗୁଛି। କାରଣ ଏହା ଏକ ରୋଗ। ମହାମାରୀରେ ପରିଣତ ହେବା ପୂର୍ବରୁ ଏହାକୁ ରୋକିବା ନିହାତି ଅପରିହାର୍ଯ୍ୟ। ସମ୍ଭବତଃ ସେମାନେ ନିଜ ଆଦର୍ଶ ଖେଳାଳିଙ୍କୁ ଟେଲିଭିଜନ ପରଦାରେ ଏଭଳି କରୁଥିବାର ଦେଖି ନିଜେ ମଧ୍ୟ ଏହାକୁ କାମରେ ଲଗାଇଥିଲେ। ମୋ ମତରେ ସମସ୍ତେ ପ୍ରତିପକ୍ଷକୁ ସମ୍ମାନ ଦେବା ଦରକାର। ଅର୍ଧଶତକ ଅର୍ଜନ କିମ୍ବା ଓ୍ଵିକେଟ୍‌ ହାସଲ ପରେ ଆଜି କାଲି କା କ୍ରିକେଟର୍‌ କାହିଁକି ଏତେ ରାଗି ଯାଉଛନ୍ତି? ମୁଁ ବୁଝି ପାରୁ ନାହିଁ। ସେମାନଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଅନେକ କିଛି ଶିଖିବା ଦରକାର। ବିଜୟ ଛକା ମରିବା ପରେ ମାହି ଯେମିତି ଚୁପ୍‌ ଚାପ୍‌ ଭାବେ ପ୍ୟାଭିଲିୟନ ଫେରନ୍ତି ତାହା ହିଁ ଅସଲ ନାୟକର ପରିଚୟ। ଖେଳ ପାଇଁ ଭଲ ପାଇବା ରହୁ ହେଲେ ପଡ଼ିଆ ଭିତରେ ଉଗ୍ର ଉତ୍ସବ ପାଳନ ବନ୍ଦ ହେଉ। କାରଣ ଆଇସିସି ଏବେ ଖେଳାଳିଙ୍କ ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରି ଦେଲାଣି। (ପିଏମଜି/ଇଏସପି)

ମୁମ୍ବାଇ ଓ ଦିଲ୍ଲୀ ବିଜୟ ରୋମାଞ୍ଚ ବଢ଼ାଇଛି : ହର୍ଷ ଭୋଗଲେ

ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଯେଉଁ ଚମକପ୍ରଦ ବିଜୟ ହାସଲ କଲା ତାହା ଆଇପିଏଲ୍‌-୧୧ର ଦ୍ୱିତୀୟାର୍ଧକୁ ଉତ୍କଣ୍ଠାପୂର୍ଣ୍ଣ କରି ଦେଇଛି। ମୁମ୍ବାଇ ସଂପ୍ରତି ପଏଣ୍ଟ ତାଲିକାର ଯେଉଁ ସ୍ଥାନରେ ରହିଛି ସେମାନଙ୍କ ଦକ୍ଷତା ତା’ଠାରୁ ଯଥେଷ୍ଟ ଅଧିକ ବୋଲି ମୁଁ ଦୃଢ଼ତାର ସହ କହିବି। ଚେନ୍ନାଇ ବିପକ୍ଷରେ ମୁମ୍ବାଇ ବୋଲରଙ୍କୁ ବାଦ୍‌ ଦେଇ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ ଖେଳାଇଥିଲା। ଏହା ଅବଶ୍ୟ ଏହି ଦଳର ଅସୁରକ୍ଷାର ଭାବାନକୁ ଦର୍ଶାଉଛି। ଜେପି ଡୁମିନି ଜଣେ ଚମତ୍କାର ଖେଳାଳି। ହେଲେ ସେ ଖେଳିଲେ ବେନ କଟିଂଙ୍କୁ ନବମ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିବ। ମୋ ମତରେ ଆଦାମ ମିଲନେଙ୍କ ରୂପରେ ଜଣେ ଅତିରିକ୍ତ ବୋଲର ଖେଳାଇବା ମୁମ୍ବାଇ ପାଇଁ ଭଲ। ମୁମ୍ବାଇର ଦୁଇଟି ଯାକ ବିଜୟରେ ଅଧିନାୟକ ରୋହିତ ଶର୍ମା ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏହା ମଧ୍ୟ ବିସ୍ମୟକର ଯେ ଜଣେ ଶ୍ରେଷ୍ଠ ମ୍ୟାଚ୍‌ ବିଜୟୀ ମାତ୍ର ଦୁଇଥର ସଫଳ ହୋଇଛନ୍ତି। ଚେନ୍ନାଇ ବିପକ୍ଷରେ ଏକ ଛୋଟିଆ ପାଳି ଖେଳିଥିଲେ ମଧ୍ୟ ଏହା ହାର୍ଦିକ ପାଣ୍ଡ୍ୟାଙ୍କ ମନୋବଳକୁ ଯଥେଷ୍ଟ ବଢ଼ାଇଥିବ। ତାଙ୍କୁ ମୁମ୍ବାଇ ଆହୁରି ଉପରେ ଖେଳାଇବା କଥା। ଆଗକୁ ସେ ପଞ୍ଚମ ସ୍ଥାନରେ ଖେଳିବାକୁ ଆସିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସର ପ୍ରତୀକ୍ଷିତ ବିଜୟ ପରେ ପଏଣ୍ଟ ଟେବୁଲ ଉନ୍ମୁକ୍ତ ହୋଇ ଯାଇଛି। ଟେବୁଲ ତଳେ ଥିବା ଦଳଗୁଡ଼ିକ ଏମିତି ଆଉ ଦୁଇ ତିନିଟି ବିଜୟ ହାସଲ କଲେ ଆଇପିଏଲ-୧୧ର ଦ୍ୱିତୀୟାର୍ଧ ବେଶ୍‌ ରୋମାଞ୍ଚକର ହୋଇଯିବ। (ଟିସିଏମ୍‌)

ସମ୍ବନ୍ଧିତ ଖବର