ଇଂଲଣ୍ଡ ଷ୍ଟୋକ୍ସଙ୍କ ଅନୁପସ୍ଥିତିକୁ ଅନୁଭବ କରୁନି

ସୁନୀଲ ଗାଭାସ୍କର

ଲର୍ଡସ ଟେଷ୍ଟ୍‌ରେ ପ୍ରତ୍ୟାବର୍ତନର ଦାୟିତ୍ୱ ଭାରତୀୟ ବୋଲର ପୁଣି ଥରେ ନିଜ ମୁଣ୍ଡକୁ ନେଇଛନ୍ତି। ଶନିବାର ସୂର୍ଯ୍ୟ କିରଣ ପ୍ରଖର  ହେବା ସହ ଭାରତୀୟ ବୋଲର ପବନରେ ବଲ୍‌କୁ ଘୂରାଇବାର ସୀମିତ ସୁଯୋଗ ପାଇଥିଲେ। ସେଥିପାଇଁ ଇଂଲଣ୍ଡ ପାଇଁ ବ୍ୟାଟିଂ ଅପେକ୍ଷାକୃତ ସହଜ ହୋଇଯାଇଥିଲା। ତଥାପି ଭାରତୀୟ ବୋଲର ଉପରେ ବଲ୍‌ ପକାଇ ପିଚ୍‌ରୁ ସୁଇଂ କାଢ଼ିବାକୁ ଚେଷ୍ଟା କରିଥିଲେ। ଏହା ମଧ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବାକୁ ଯଥେଷ୍ଟ ହୋଇଥିଲା।  ବଲ୍‌ ମାତ୍ରାଧିକ ଏପଟ ସେପଟ ହେଲେ କିମ୍ବା  ହଠାତ୍‌ ଘୂରିଲେ ଏହାକୁ ଟିଭିରେ ଦେଖିବାକୁ ଭଲ ଲାଗେ। ଆଶ୍ଚର୍ଯ୍ୟପ୍ରକଟ ଏବଂ  ପ୍ରଶଂସା ମିଳିଥାଏ, ବ୍ୟାଟ୍ସମ୍ୟାନ୍‌ କିନ୍ତୁ କ୍ରିଜ୍‌ରେ ଥାଏ। ଭାରତୀୟ ବୋଲର ଏସବୁ ନକରି ଶୃଙ୍ଖଳିତ ବୋଲିଂରେ ସଫଳ ହୋଇଥିଲେ। କୁକ୍‌ଙ୍କୁ ଈଶାନ୍ତ ଏକ ସୁନ୍ଦର ବଲ୍‌ ପକାଇଥିଲେ।  ସାମି ଆଉ ଏକ ଭୟଙ୍କର ବଲ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ଆଉଟ୍‌ କରି ଦେଇଥିଲେ।  ପାଣ୍ଡ୍ୟା ବି ଭଲ ବୋଲିଂ କରିଥିଲେ।  ପିଚ୍‌ ସିମ୍‌ ବୋଲିଂ ପାଇଁ ଅନୁକୂଳ ଥିଲା।  ପାଣ୍ଡ୍ୟା କିନ୍ତୁ ବଲ୍‌କୁ ଉପରେ ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ।  ଦୁର୍ଭାଗ୍ୟଜନକ ଭାବେ ପ୍ରଥମ ମ୍ୟାଚ୍‌କୁ ହାରିବା ପରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନିଜ ବ୍ୟାଟିଂକୁ ସୁଧାରିଲେନି। ବରଂ ବିଚରା ଧାଓ୍ଵନଙ୍କୁ ବଳି ପକାଇଦେଲେ। ସେମାନେ ମଧ୍ୟ କୁଲଦୀପ ଯାଦବଙ୍କୁ ଦଳରେ ନେଇଥିଲେ। କୁଲଦୀପ ଦିନିକିଆରେ ଯେଭଳି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ନିଜ ସ୍ପିନ୍‌ ଜାଲରେ ଛନ୍ଦିଥିଲେ, ଟେଷ୍ଟ୍‌ରେ ସେହି ସଫଳତା ଦୋହରାଇବେ ବୋଲି ଆଶା କରିଥିଲେ। ସେ ଏବେବି ତାହା କରିପାରନ୍ତି।  ସେଥିପାଇଁ ବ୍ୟାଟ୍ସମ୍ୟାନଙ୍କୁ ନିଜ କର୍ତବ୍ୟ ଠିକ୍‌ ଭାବେ କରିବାକୁ ହେବ। ଏକାଗ୍ରତା ସହ ନିଜ କ୍ରିକେଟ୍‌ କଳା କୌଶଳର ପରିଚୟ ଦେବାକୁ ହେବ। ଲାଲ୍‌ ବଲ୍‌ରେ ପର୍ଯ୍ୟାପ୍ତ ଅଭ୍ୟାସ ଏବଂ ପ୍ରସ୍ତୁତିର ଅଭାବ ସେମାନଙ୍କ ବ୍ୟାଟିଂରୁ ସ୍ପଷ୍ଟ ବାରି ହୋଇଯାଉଛି। ଜିିମି ଆଣ୍ଡରସନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍‌ ହେବ।  ସେ ଇଂଲିସ୍‌ ପରିବେଶକୁ ଠିକ୍‌ ଭାବେ ଉପଯୋଗ କରି ଭାରତୀୟ ବ୍ୟାଟିଂକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ। କ୍ରିସ୍‌ ଓକ୍ସ ଓ ସାମ୍‌ କରନ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଲେ।  ଏହା କେବଳ ନିଆଁ ନୁହେଁ ବରଫର ଖେଳ ଥିଲା, ଆଉ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯେମିତି ଥଣ୍ଡାରେ ଜମି ଗଲେ, ପାଦ ଚାଳନାକୁ ପୂରା ଭୁଲିଗଲେ।  ଇଂଲଣ୍ଡର ବିଶ୍ୱସ୍ତରୀୟ ବୋଲିଂ ବାହିନୀ ଆଗରେ ଅବଶ୍ୟ ଅନ୍ୟ ଯେ କୌଣସି ଦଳ ହୋଇଥିଲେ ବି ସଂଘର୍ଷ କରିଥାଆନ୍ତା। ଓକ୍ସ ଭଲ ବୋଲିଂ କରୁଥିବାରୁ ସେମାନେ ଷ୍ଟୋକ୍ସଙ୍କ ଅନୁପସ୍ଥିତିକୁ ଆଦୌ ଅନୁଭବ କରୁନାହାନ୍ତି। ଭାରତ ପାଇଁ ଏହି ଟେଷ୍ଟ୍‌ କାଠିକର ପାଠ ହେବ। ତେବେ ସେମାନେ ଯଦି ୨୦୦ରୁ ଅଧିକ ବିଜୟ ଲକ୍ଷ୍ୟ ଦିଅନ୍ତି,  ତାହାଲେ ଇଂଲଣ୍ଡ ପାଇଁ ଏହା ଆଦୌ ସହଜ ହେବନି। (ପିଏମଜି/ଇଏସପି)

ସମ୍ବନ୍ଧିତ ଖବର