ସୁନୀତା ଜାତୀୟ ଅଧିନାୟିକା

ଏସୀୟ ଚାମ୍ପିଅନ୍‌ସ୍‌ ଟ୍ରଫି ମହିଳା ଦଳରେ ଓଡ଼ିଶାରୁ ୫

ନୂଆଦିଲ୍ଲୀ: ଓଡ଼ିଆ ଝିଅ ସୁନୀତା ଲାକ୍ରା ଭାରତୀୟ ମହିଳା ହକି ଦଳର ନୂଆ ଅଧିନାୟିକା ମନୋନୀତ ହୋଇଛନ୍ତି। ଅଧିନାୟିକା ରାଣୀ ରାମ୍‌ପଲ୍‌ଙ୍କୁ ବିଶ୍ରାମ ଦିଆଯାଇଥିବାରୁ ୨୭ ବର୍ଷ ବୟସ୍କା ସୁନ୍ଦରଗଡ଼ ଝିଅ ସୁନୀତାଙ୍କୁ ଆଗାମୀ ଏସୀୟ ଚାମ୍ପିଅନ୍‌ସ୍‌ ଟ୍ରଫି ପାଇଁ ନେତୃତ୍ୱ ଭାର ଅର୍ପଣ କରାଯାଇଛି। ବୁଧବାର ହକି ଇଣ୍ଡିଆ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ପାଇଁ ଚୂଡାନ୍ତ ୧୮ ଜଣିଆ ଦଳ ଘୋଷଣା କରିଥିଲା ବେଳେ ଅଭିଜ୍ଞ ରକ୍ଷଣଭାଗ ଖେଳାଳି ସୁନୀତାଙ୍କ ଉପରେ ସୁନା କଳସ ଢାଳିଛି। ସମ୍ମାନଜନକ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ଚଳିତ ମାସ ୧୩ ତାରିଖରୁ କୋରିଆରେ ଅନୁଷ୍ଠିତ ହେବ। ତେବେ ସୁନୀତାଙ୍କ ନେତୃତ୍ୱରେ ଘୋଷିତ ଦଳରେ ଓଡ଼ିଶାରୁ ଅନ୍ୟ ୪ ଝିଅ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌ ଓ ଅନୁପା ବାର୍ଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜକ ଅଷ୍ଟ୍ରେଲିଆ ନିକଟରୁ ଖୁବ୍‌ କମ୍‌ ବ୍ୟବଧାନରେ ଆମେ ସେମିଫାଇନାଲ୍‌ ହାରିଯିବା ଖୁବ୍‌ ଦୁଃଖ ଦେଇଥିଲା। କାରଣ ଆମେ ପଦକ ଜିତିବାର ଦୃଢ଼ ଆଶା ରଖିଥିଲୁ ବୋଲି ଅଧିନାୟିକା ଭାବେ ମନୋନୀତ ହେବା ପରେ କହିଛନ୍ତି ସୁନୀତା। ତେବେ ଆଗାମୀ ଏସୀୟ ଚାମ୍ପିଅନ୍‌ସ ଟ୍ରଫିରେ ଶାରୀରିକ ସନ୍ତୁଳନ ଏବଂ ଗତି ଉପରେ ଅଧିକ ଦୃଷ୍ଟି ଦେବୁ ବୋଲି ସୁନୀତା କହିଛନ୍ତି। ଦଳରେ ଯଥେଷ୍ଟ ଦକ୍ଷ ଯୁବ ତାରକା ରହିଛନ୍ତି। ଏସୀୟ ଚାମ୍ପିଅନ୍‌ସ ଟ୍ରଫିରେ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ସୁନୀତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ଘୋଷିତ ଦଳରେ ଗୋଲ୍‌ରକ୍ଷିକା ସବିତା ଉପଅଧିନାୟିକା ମନୋନୀତ ହୋଇଛନ୍ତି। ଭାରତୀୟ ଦଳ ଏସୀୟ ଚାମ୍ପିଅନ୍‌ସ ଟ୍ରଫିର ଗତ ସଂସ୍କରଣ ତଥା ୨୦୧୬ରେ ଚୀନ୍‌କୁ ଫାଇନାଲ୍‌ରେ ପରାସ୍ତ କରି ବିଜେତା ହୋଇଥିଲା। ଏହାପରେ ମଧ୍ୟ ଦଳ ସଫଳତା ବଜାୟ ରଖିଥିଲା। ଭାରତୀୟ ଦଳ ୨୦୧୭ରେ ସମାନ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌କୁ ପରାସ୍ତ କରି ଏସିଆ କପ୍‌ ଜିତି ନେଇଥିଲା। ଚଳିତ ବର୍ଷ ଏସୀୟ ଚାମ୍ପିଅନ୍‌ସ ଟ୍ରଫିରେ ପୂର୍ବ ବିଜେତା ଭାରତୀୟ ଦଳ ୧୩ ତାରିଖ ଦିନ ଜାପାନ ସହ ଖେଳି ଅଭିଯାନ ଆରମ୍ଭ କରିବ।

ଦଳ: ସବିତା ଓ ସ୍ୱାତୀ (ଗୋଲ୍‌ରକ୍ଷକ), ଦୀପିକା, ସୁନୀତା ଲାକ୍ରା (ଅଧିନାୟିକା), ଦୀପ୍‌ଗ୍ରେସ୍‌ ଏକ୍କା, ଗୁର୍‌ଜିତ୍‌ ଗୌର, ସୁମନ ଦେବୀ ଥୋଡାମ୍‌ (ରକ୍ଷଣଭାଗ), ମୋନିକା, ନମିତା ଟପ୍ପୋ, ନିକ୍କି ପ୍ରଧାନ, ନେହା ଗୋୟଲ, ଲିଲିମା ମିଞ୍ଜ୍‌, ନଭ୍‌ଜୋତ୍‌ କୌର, ଉଦିତା (ମଧ୍ୟଭାଗ), ବନ୍ଦନା କାଟାରିୟା, ଲାଲ୍‌ରେମ୍‌ସିଆମି, ନଭ୍‌ନୀତ୍‌ କୌର, ଅନୁପା ବାର୍ଲା (ପୂରୋଭାଗ)। ପ୍ରଶିକ୍ଷକ ବଦଳିବାର ପ୍ରଭାବ ପଡ଼ିବ ନାହିଁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେବା ସତ୍ତ୍ୱେ ହାରିଯିବା ଆମକୁ ବହୁତ ବାଧିଥିଲା। କାରଣ ପଦକ ପର୍ଯ୍ୟାୟକୁ ଯିବା ଲାଗି ଏହା ଆମ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ଏସିଆନ୍‌ ଚମ୍ପିଅନ୍ସ ଟ୍ରଫି ଲାଗି ଆମେ କିନ୍ତୁ ଆହୁରି ଭଲ ପ୍ରସ୍ତୁତି କରିଛୁ। ପ୍ରଶିକ୍ଷଣ ଶିବିରରେ ଶାରୀରିକ ସୁସ୍ଥତା ଏବଂ ଗତି ଉପରେ ଅଧିକ ଧ୍ୟାନ ଦେଇଛୁ। ଆକ୍ରମଣରେ ଉନ୍ନତି ଏବଂ ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରିବା ଦିଗରେ ମଧ୍ୟ ପରିଶ୍ରମ କରିଛୁ। ଅଭିଜ୍ଞ ଏବଂ ଉଦୀୟମାନ ଖେଳାଳିଙ୍କୁ ନେଇ ଆମ ଦଳ ବେଶ୍‌ ସନ୍ତୁଳିତ। ଆମେ ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବୁ। ଶେଷ ମୁହୂର୍ତରେ ପ୍ରଶିକ୍ଷକ ବଦଳି ଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। କାରଣ ନୂଆ ପ୍ରଶିକ୍ଷକ ଜୋଏଡ୍‌ ମାରିନଙ୍କ ସହ ଆମେ ପୂର୍ବରୁ କାମ କରି ସାରିଛୁ। ମୋର ଏହି ସଫଳତା ଲାଗି ମୁଁ ପୂରା ଦଳକୁ ଶ୍ରେୟ ଦେବି। ସୁନ୍ଦରଗଡ଼ ଜିଲ୍ଲାର ଫରସାଡିପା କେସ୍‌ରାମାଲ ଗାଁ ବାସିନ୍ଦା ଆଲବିସ୍‌ ବାସ୍ରା ଏବଂ ଶାନ୍ତିଲତା ବାସ୍ରାଙ୍କ ଝିଅ ସୁନୀତା ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ବାହରି ଭାରତୀୟ ଦଳର ଅଧିନାୟକ ପଦ ମଣ୍ଡନ କରିବା ପର୍ଯ୍ୟନ୍ତ ଅନେକ ସଫଳତା ସିଡ଼ି ନିଜ ଏକନିଷ୍ଠା ଏବଂ ପରିଶ୍ରମ ପାଇଁ ପାଇଛନ୍ତି।

ମହିଳା ହକି ଦଳର ମେରୁଦଣ୍ଡ
୨୦୦୯ ମସିହାରୁ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରେ ସୁନୀତା ଭାରତୀୟ ମହିଳା ହକି ଦଳ ରକ୍ଷଣଭାଗର ମେରୁଦଣ୍ଡ ହୋଇ ରହି ଆସିଛନ୍ତି। ସପ୍ତଦଶ ଏସୀୟ କ୍ରୀଡ଼ା, ୨୦୧୬ ରିଓ ଅଲିମ୍ପିକ୍ସ, ଚତୁର୍ଥ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି, କାନାଡାରେ ଖେଳା ଯାଇଥିବା ମହିଳା ହକି ଲିଗ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ନିଜ ଚମକ ଦେଖାଇ ସାରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ମାସରେ ଆୟୋଜିତ ହୋଇଥିବା କୋରିଆ ବିପକ୍ଷ ଶୃଙ୍ଖଳାରେ ସେ ଭାରତୀୟ ଦଳର ଉପ ଅଧିନାୟିକା ଥିଲେ। ନିୟମିତ ଅଧିନାୟିକା ରାଣୀ ରାମପାଲ ଆହତ ହେବା ପରେ ଏସିଆନ୍ସ ଚାମ୍ପିଅନ୍ସ ଟ୍ରଫିରେ ସେ ଅଧିନାୟିକା ପଦକୁ ପଦୋନ୍ନତି ପାଇଛନ୍ତି। ସୁନୀତା ଗତବର୍ଷ ମେ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏହା ପୂର୍ବରୁ ୨୦୧୫ର ହକ୍‌ ବେ କପ୍‌ରେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ୫୦ତମ ମ୍ୟାଚ୍‌ ଖେଳିଥିଲେ। ସେ ମଧ୍ୟ ଗତବର୍ଷ ଗିଫୁଠାରେ ଆୟୋଜିତ ଏସିଆନ୍‌ କପ୍‌ରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟା ଥିଲେ।

ଦ୍ୱିତୀୟ ବାର ବିଜେତା ପାଇଁ ଖେଳିବ ଭାରତ
ସିଙ୍ଗାପୁରରେ ୨୦୧୬ରେ ଆୟୋଜିତ ଏସିଆନ୍‌ ମହିଳା ଚାମ୍ପିଅନ୍ସ ଟ୍ରଫିର ଗତ ସଂସ୍କରଣରେ ଭାରତ ୨-୧ ଗୋଲ୍‌ରେ ଚୀନକୁ ହରାଇ ବିଜେତା ହୋଇଥିଲା। ଏସିଆ ମହାଦେଶର ୬ଟି ଶ୍ରେଷ୍ଠ ମହିଳା ହକି ଦଳକୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ପୂର୍ବରୁ ଖେଳା ଯାଇଥିବା ଚାରିଟି ସଂସ୍କରଣରେ ଦକ୍ଷିଣ କୋରିଆ ଦୁଇ ଥର ଏବଂ ଜାପାନ ଓ ଭାରତ ଥରେ ଲେଖାଏଁ ବିଜେତା ହୋଇଛନ୍ତି। ଭାରତ ବୁସାନରେ ଆୟୋଜିତ ପ୍ରଥମ ସଂସ୍କରଣରେ ତୃତୀୟ, ଚୀନର ଅର୍ଡସରେ ଆୟୋଜିତ ଦ୍ୱିତୀୟ ସଂସ୍କରଣରେ ତୃତୀୟ ଏବଂ ଜାପାନର କାକାମିଗରାରେ ଖେଳା ଯାଇଥିବା ତୃତୀୟ ସଂସ୍କରଣରେ ଉପ ବିଜେତା ହୋଇଥିଲା।

ତୃତୀୟ ଓଡ଼ିଆ
ଜାତୀୟ ମହିଳା ହକି ଦଳର ଅଧିନାୟିକା ହେବାରେ ସୁନୀତା ତୃତୀୟ ଓଡ଼ିଆ ହୋଇଛନ୍ତି। ତାଙ୍କ ପୂର୍ବରୁ ଜ୍ୟୋତି ସୁନୀତା କୁଲୁ ଏବଂ ସୁଭଦ୍ରା ପ୍ରଧାନ ଭାରତୀୟ ମହିଳା ହକି ଦଳର ଅଧିନାୟିକା ପଦ ଅଲକୃତ କରି ସାରିଛନ୍ତି। ୧୯୯୬ ମସିହାରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ଜ୍ୟୋତି ସୁନୀତା ଭାରତୀୟ ଦଳର ସଫଳ ନେତୃତ୍ୱ ନେବା ସହ ୨୦୦୭ ମସିହାରେ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ସେ ମଧ୍ୟ ୨୦୦୨ ଚାମ୍ପିଅନ୍ସ ଚ୍ୟାଲେଞ୍ଜ ହକିରେ କାଂସ୍ୟ, ୨୦୦୨ରେ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ, ୨୦୧୪ରେ ନୂଆଦିଲ୍ଲୀ ଏସିଆ କପ୍‌ରେ ସ୍ୱର୍ଣ୍ଣ ଓ ୨୦୦୬ ଏସୀୟ କ୍ରୀଡ଼ାରେ କାଂସ୍ୟ ଜିତିଥିବା ଭାରତୀୟ ଦଳର ସଦସ୍ୟା ଥିଲେ। ଅନ୍ୟ ପକ୍ଷରେ ୨୦୦୩ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ସୁଭଦ୍ରା ୨୦୦୭ରେ କୌଣସି ୟୁରୋପୀୟ କ୍ଲବ୍‌ରେ ଖେଳିବାରେ ପ୍ରଥମ ଭାରତୀୟ ମହିଳା ହକି ଖେଳାଳି ହୋଇଥିଲେ। ୨୦୦୬ ମେଲବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୦୩ ଆଫ୍ରୋ-ଏସୀୟ କପ୍‌ରେ ସ୍ୱର୍ଣ୍ଣ, ୨୦୦୪ ନୂଆଦିଲ୍ଲୀ ଏସୀୟ କପ୍‌ରେ ସ୍ୱର୍ଣ୍ଣ, ୨୦୦୯ ବ୍ୟାଂକକ୍‌ ଏସୀୟ କପ୍‌ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟା ଥିଲେ। ତାଙ୍କ ନେତୃତ୍ୱରେ ମଧ୍ୟ ଭାରତୀୟ ମହିଳା ହକି ଦଳ ବହୁ ଐତିହାସିକ ସଫଳତା ପାଇଥିଲା। ସୁନୀତା ମଧ୍ୟ ରାଜ୍ୟ ପାଇଁ ସେହି ଗୌରବ ଆଣିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର