ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ୫ ରନରେ ପରାସ୍ତ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆପିଏଲ ୨୦୧୮ର ଏକ ରୋମାଞ୍ଚକର ଲିଗ ମ୍ୟାଚରେ ହାଇଦ୍ରାବାଦ ବାଙ୍ଗାଲୋରକୁ ୫ ରନରେ ପରାସ୍ତ କରିଛି । ବାଙ୍ଗାଲୋର ତରଫରୁ ଅଧିନାୟକ ବିରାଟ କୋହଲି ୩୦ ବଲରେ ୩୯ ରନ କରିଥିଲେ ମଧ୍ୟ କଲିନ ଡିଗ୍ରାଣ୍ଡହୋମ ୨୯ ବଲରେ ୩୩ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଉପଯୁକ୍ତ ସହଯୋଗ ଦେଇପାରିନଥିଲେ । ହାଇଦ୍ରାବାଦ ତରଫରୁ ସକିବୁଲ ହସନ ୩୬ ରନ ଦେଇ ୨ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ୧୪୭ ରନର ଲକ୍ଷ୍ୟ ରଖିଥିଲା । ହାଇଦ୍ରାବାଦ ପ୍ରଥମରୁ ଆଲେକ୍ସ ହେଲ୍ସ ଓ ଶିଖର ଧୱନଙ୍କ ଓ୍ିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ କେନ ୱିଲିୟମ୍ସ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଇନିଂସକୁ ସମ୍ଭାଳିଥିଲେ । ସେ ୩୯ ବଲରେ ୫୬ ରନ ସଂଗ୍ରହ କରି ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ସକିବୁଲ ହସନ ମଧ୍ୟ ୩୨ ବଲରେ ୩୫ ରନ ସଂଗ୍ରହ କରି ସାଉଥିଙ୍କ ବଲରେ ଆଉଟ ହୋଇଥିଲେ । ଏହା ପୂର୍ବରୁ ବାଙ୍ଗାଲୋର ଦଳ ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଅପରିବର୍ତ୍ତିତ ରହିଥିବାବେଳେ ବାଙ୍ଗାଲୋର ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୮ ବିଜୟ ଓ ୨ ପରାଜୟ ସହ ୧୬ ପଏଣ୍ଟ ପାଇ ନିଜ ସ୍ଥିତିକୁ ସୁଦୃଢ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗାଲୋର ଦଳ ୧୦ଟି ମ୍ୟାଚ ଖେଳି ମାତ୍ର ୩ଟିରେ ଜିତିଥିବାବେଳେ ୭ଟି ମ୍ୟାଚରେ ପରାଜୟ ବରଣ କରି ମାତ୍ର ୬ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର