ଆଶ୍ଚର୍ଯ୍ୟଚକିତ କରିଛି ସନ୍‌ରାଇଜର୍ସ:ସୁନୀଲ ଗାଭାସ୍କର

ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଯେଭଳି ଜିତୁଛି ଏହାକୁ ଆଶ୍ଚର୍ଯ୍ୟ ଅବା ଅତି ଚମତ୍କାର କହିବାକୁ ହେବ। ପ୍ରତିପକ୍ଷ ଦଳକୁ ଓଭର ପ୍ରତି ଆବଶ୍ୟକ ରନ୍‌ ହାର ୬/୭ରୁ ତଳେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ହାଇଦ୍ରାବାଦ ଦୁଇ ଥର ଏଭଳି ଜିତିଛି।  ଏହା ପ୍ରାୟ ଅସମ୍ଭବ ଏବଂ ଦୁଇ ଥର ଏଭଳି ସଫଳତା ଅର୍ଜନ କରିବା ଫଳରେ ସନ୍‌ରାଇଜର୍ସର ବୋଲିଂ କେତେ ଶାଣୀତ ତାହା ପ୍ରମାଣିତ ହୋଇଛି। ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ହେଉଛି ଦଳର ଆତ୍ମବିଶ୍ୱାସ। ଦଳରେ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ମାର୍ଗଦର୍ଶକ ରହିଛନ୍ତି। ଯାହାଙ୍କ କଚଟି ଷ୍ଟ୍ରୋକ୍‌ ଜରିଆର ଭାରତ ଫଲୋଅନ୍‌ ଖେଳିଥିଲେ ମଧ୍ୟ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କୋଲ୍‌କାତାରେ ହରାଇଥିଲା। ଅବଶ୍ୟ ଏହି ସ୍ମରଣୀୟ ବିଜୟରେ ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକର ଏବଂ ହରଭଜନ ସିଂହଙ୍କ ଅବଦାନ ଥିଲା। ଲକ୍ଷ୍ମଣଙ୍କ ବ୍ୟାଟିଂ ଏବଂ ଦ୍ରାବିଡ଼ଙ୍କ ସହିତ ତାଙ୍କ ବଡ଼ ଭାଗୀଦାରି ହୋଇନଥିଲେ ଭାରତ ମ୍ୟାଚ୍‌ ସହିତ ଶୃଙ୍ଖଳା ବି ହାରିଯାଇଥାନ୍ତା।

ଏଭଳି ଜଣେ ଖେଳାଳିଙ୍କୁ ଡଗ୍‌ଆଉଟ୍‌ରେ ପାଇବା ନିଶ୍ଚିତ ସନ୍‌ରାଇଜର୍ସକୁ ଅସମ୍ଭବ ପରିସ୍ଥିତିରୁ ମ୍ୟାଚ୍‌ ବିଜୟ ଦେବାରେ କେହି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ଟମ୍‌ ମୁଡି ଏବଂ ସ୍ପିନ୍‌ ଯାଦୁକର ମୁଥୟା ମୁରଲୀଧରନଙ୍କୁ ସାମିଲ କରି ଏହି ୩ ଜଣ ଶାନ୍ତ ସ୍ୱଭାବର ଖେଳାଳି ଡଗ୍‌ ଆଉଟ୍‌ରେ ଥିଲେ ଦଳ ଘାବରାଇବାର କିଛି କାରଣ ନାହିଁ। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ମଧ୍ୟ ଆଉ ଜଣେ ଶାନ୍ତ ଚରିତ୍ରର ଖେଳାଳି। ଦାଢ଼ି ଜରିଆରେ ଏବେ ସେ ନିଜ ପିଲାଳିଆମି ମୁହଁ ଓ ଉତ୍ସାହକୁ ଛଦ୍ମବେଶରେ ରଖିଛନ୍ତି। ବୋଲରଙ୍କୁ ଠିକଣା ବ୍ୟବହାର କରିବା ଏବଂ ତାଙ୍କ  ସ୍ପଷ୍ଟ କ୍ଷେତ୍ରରକ୍ଷଣ ଅତି ଚମତ୍କାର। ସେ ଏବଂ ଦଳୀୟ ପରିଚାଳକ ଭଲ ଭାବରେ ଜାଣିଗଲେଣି ଦଳ ଯୋଗ୍ୟତା ଅର୍ଜନର ନିକଟତର ହୋଇଛି। ଏବେ ହାଲକା କି ଆତ୍ମପ୍ରସନ୍ନ ନ ହେବାକୁ ସେ ଖେଳାଳିଙ୍କୁ ସଜାଗ ରଖିଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍‌ସରେ ସଂଜୁ ସାମସନ୍‌ ଓ ବେନ୍‌ ଷ୍ଟୋକ୍‌ସଙ୍କ ଭଳି ପ୍ରଭାବ ବିସ୍ତାର କରିବା ଖେଳାଳି ରହିଛନ୍ତି। ଏମାନେ ମ୍ୟାଚ୍‌ର ମୋଡ଼ ପରିବର୍ତନ କରିଦେବା ଭଳି ଦକ୍ଷତା ରଖିଛନ୍ତି। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ନିଶ୍ଚିତ ଆଗରେ ରହିବ। ପଏଣ୍ଟ ଟେବୁଲ୍‌ର ଅନ୍ୟ ଦଳଗୁଡ଼ିକୁ ଦେଖିଲେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବୁଧବାର ରାତିରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ବିପକ୍ଷରେ ୨୦୫ ରନ୍‌କୁ ପଛରେ ପକାଇ ଚମକାଇ ଦେଇଛି। ଅମ୍ବାତି ରାୟୁଡୁ ପ୍ରତିଯୋଗିତା ଆରମ୍ଭରୁ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି ଏବଂ ମହେନ୍ଦ୍ର ସିଂହ ଧୋନି ଯେଭଳି ମ୍ୟାଚ୍‌ ଶେଷ କଲେ ତାହା ଅନୁକରଣୀୟ। ଆହତ ସମସ୍ୟାରୁ ମାତ୍ର ମାସକ ତଳେ ଆସିଥିବା କୋରି ଆଣ୍ଡରସନ୍‌ଙ୍କୁ ଶେଷ ଓଭର ବୋଲିଂ ଦେବା ବିରାଟ କୋହଲିଙ୍କ ପାଇଁ ଭୁଲ ନିଷ୍ପତି ଥିଲା। ଫଳରେ ଚେନ୍ନାଇ ପରାଜୟ ମୁହଁରୁ ଫେରି ବିଜୟୀ ହୋଇଥିଲା। ଭାରତ ପାଇଁ ଖେଳୁଥିବା ବେଳେ ଧୋନିଙ୍କଠାରୁ କୋହଲିଙ୍କୁ ଯେଉଁ ପରାମର୍ଶ ମିଳିଥାଏ ସେଥିରୁ ସେ ବଞ୍ଚିତ ହେଉଛନ୍ତି। ତାହା ହିଁ ବାଙ୍ଗାଲୋର୍‌ ପରାଜୟର କାରଣ ହୋଇଛି।

ମୁମ୍ବାଇକୁ ଟ୍ରଫି ବଜାୟ ରଖିବା ଲାଗି ଏବେଠୁ ପ୍ରତିଟି ମ୍ୟାଚ୍‌ ଜିତିବାକୁ ପଡ଼ିବ। ଦଳର ଯୁବ ଖେଳାଳିଙ୍କୁ ଜଣେ କେହି କହିବା ଆବଶ୍ୟକ ଯେ ଟେ୍ଵଣ୍ଟି-୨୦ କ୍ରିକେଟ୍‌ କେବଳ ପ୍ରତି ବଲ୍‌କୁ ପଡ଼ିଆ ବାହାରକୁ ପଠାଇବା ନୁହେଁ।  ଦଳର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମାଙ୍କୁ ଏବେ ଦାୟିତ୍ୱ ନେବାକୁ ପଡ଼ିବ ଅଧିକ ଓଭର ବ୍ୟାଟିଂ କରିବାକୁ।  ଏ ପର୍ଯ୍ୟନ୍ତ ଯାହା ଦେଖାଯାଇଛି ସେ ବଡ଼ ସ୍କୋର୍‌ କଲେ ମୁମ୍ବାଇ ଜିତିଛି। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର