ସନ୍‌ରାଇଜର୍ସ ଏବେ ଗର୍ଜିଲା ଦଳ

ସୁନୀଲ ଗାଭାସ୍କର

ସନ୍‌ ରାଇଜର୍ସ ହାଇଦ୍ରାବାଦ ଏବେ ଏକ ଶାନ୍ତ ଶୀତଳ କିନ୍ତୁ ଗର୍ଜିଲା ଦଳ। ଛୋଟ ସ୍କୋର୍‌କୁ ବାରମ୍ବାର ବଞ୍ଚାଇବା ପରେ ଦିଲ୍ଲୀ ବିପକ୍ଷରେ ପଶ୍ଚାତଧାବନ କରି ଜିିତିବାର ଦକ୍ଷତା ଦେଖାଇଛି। ଦିଲ୍ଲୀ ବିପକ୍ଷରେ ବଡ଼ ଲକ୍ଷ୍ୟ ନଥିଲା, ଓଭର ପ୍ରତି ୮ରୁ ସାମାନ୍ୟ ଅଧିକ ଥିଲା। କିନ୍ତୁ ଆବଶ୍ୟକ ରନ୍‌ ହାର ବଢ଼ିଯିବା ପରେ ଏହାକୁ ଧରିପାରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଦଳକୁ ଶେଷ ପର୍ଯ୍ୟନ୍ତ ଏକାଠି ରଖିଥିଲେ। ଗତ ଋତୁରେ ସେ ଅଧିକାଂଶ ମ୍ୟାଚ୍‌ ଖେଳିପାରି ନଥିଲେ କାରଣ ବିଦେଶୀ ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ନ ଥିଲା। ଅଧିନାୟକ ଡେଭିଡ୍‌ ଓ୍ଵାର୍ନର ପ୍ରଥମ ପସନ୍ଦ ଥିଲେ। ଏ ବର୍ଷ ଓ୍ଵାର୍ନର ନ ଥିବାରୁ ହାଇଦ୍ରାବାଦର ନେତୃତ୍ୱ ନେବା ଏହି ନ୍ୟୁଜିଲାଣ୍ଡ୍‌ ଅଧିନାୟକଙ୍କ ଉପରେ ଅତିରିକ୍ତ ଦାୟିତ୍ୱ। କେବଳ ବିସ୍ଫୋରକ ବ୍ୟାଟିଂ ନୁହେଁ, ସ୍ଥିର ପ୍ରଦର୍ଶନ ଦେବା ବି ଜରୁରୀ ବୋଲି ଓ୍ଵିଲିୟମ୍‌ସନ୍‌ ପ୍ରମାଣିତ କରିଛନ୍ତି। ଦଳ ବିଚଳିତ ସ୍ଥିତିରେ ଥିଲେ ମଧ୍ୟ ସେ ଅବିଚଳିତ ରହିଥାନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଶାନ୍ତ ସ୍ୱଭାବରେ ଦଳକୁ ଆଗକୁ ନେଇଚାଲିଛନ୍ତି।

ସନ୍‌ରାଇଜର୍ସ ପ୍ଲେ ଅଫ୍‌ ଯୋଗ୍ୟତା ନେଇ ନିଶ୍ଚିତ ଥିବାବେଳେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ଏଣିକି ପ୍ରତିଟି ମ୍ୟାଚ୍‌ ଜିତିବାର ଆବଶ୍ୟକତା ରହିଛି। ଚେନ୍ନାଇ ବିପକ୍ଷରେ ଦଳର ଛୋଟିଆ ସ୍କୋର୍‌ ସହାୟକ ହୋଇନଥିଲା। ଯଦି ନେଟ୍‌ ରନ୍‌ ରେଟ୍‌ କଥା ଆସିବ ସେତେବେଳେ ବାଙ୍ଗାଲୋର୍‌ ପାଇଁ ଏହା ଅଡ଼ୁଆ ସୃଷ୍ଟି କରିବ। ଛୋଟ ସ୍କୋର୍‌ କରିବା ପରେ କ୍ୟାଚ୍‌ ଛାଡ଼ିବା ମଧ୍ୟ ବାଙ୍ଗାଲୋର୍‌ ପରାଜୟର କାରଣର ଅନ୍ୟତମ ଥିଲା। ଦଳର ଯେଭଳି ବ୍ୟାଟିଂ ଲାଇନ୍‌ ରହିଛି ସେମାନେ ପ୍ରତି ମ୍ୟାଚ୍‌ରେ ଅନ୍ୟୁନ ୧୮୦ ରନ୍‌ କରିବା କଥା। ଗତ ଋତୁରେ ସେମାନଙ୍କ ବୋଲିଂ ଭଲ ନ ଥିଲା। ଏ ଋତୁରେ ଉମେଶ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ୍‌ ଭଲ ପ୍ରଦର୍ଶନ କରୁଛନ୍ତି, କିନ୍ତୁ ସେମାନଙ୍କୁ ଏଭଳି ମୋଟ ରନ୍‌ ମିଳୁନାହିଁ ଯେ ଗୋଟିଏ ଖରାପ ଓଭର ଦଳକୁ ବଞ୍ଚାଇରଖିବ। ସୋମବାର ମ୍ୟାଚ୍‌ରେ ସନ୍‌ରାଇଜର୍ସ ବିଜୟଧାରାକୁ ଜାରି ରଖିବାକୁ ଚାହିଁବ। ବାଙ୍ଗାଲୋର୍‌ ଖେଳାଳିମାନେ ଏବେ ଅନ୍ୟ ଦଳ ପାଇଁ ଗତିରୋଧକ ହେବେକି ନା ଦେଖିବାର ଅଛି। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର