ବ୍ଲାଷ୍ଟର୍ସକୁ ବିଦା କଲା ଆରୋଜ୍‌

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଆଇଲିଗ୍‌ ଦଳ ଇଣ୍ଡିଆନ୍‌ ଆରୋଜ୍‌ ବିଜୟୀ ହୋଇ ମୁଖ୍ୟ ପର୍ଯ୍ୟାୟରେ ସାମିଲ ହୋଇଛି। ଭାରତୀୟ ‌ଯୁବ ତାରକାଙ୍କୁ ନେଇ ଗଠିତ ଆରୋଜ ଦଳ ୨-୦ ଗୋଲ୍‌ରେ ଆଇଏସ୍‌ଏଲ୍‌ ଦଳ କେରଳା ବ୍ଲାଷ୍ଟର୍ସକୁ ପରାସ୍ତ କରି ଦେଇଛି। ମ୍ୟାଚ୍‌ର ‌ପଞ୍ଚମ ମିନିଟ୍‌ରେ ହିଁ ଆଇଲିଗ୍‌ ବେଳେ କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ କରିଥିବା ଆରୋଜ ଆକ୍ରମଣ ଆରମ୍ଭ କରି ଦେଇଥିଲା। ପ୍ରଥମାର୍ଧରେ ବହୁ ସହଜ ସୁଯୋଗ ହାତଛଡ଼ା କରିଥିଲା। ତେବେ ୩୯ତମ ମିନିଟ୍‌ରେ ଅଧିନାୟକ ବୋରିସ ସିଂହ ଥାଙ୍ଗଜାମଙ୍କ ସୁନ୍ଦର ପାସ୍‌କୁ ମଧ୍ୟଭାଗ ଖେଳାଳି ଅମରଜିତ କିୟାମ୍‌ ଗୋଲ୍‌ରେ ପରିଣତ କରିଦେଇଥିଲେ। ପରେ ବ୍ଲାଷ୍ଟର୍ସ ଗୋଲ୍‌ ଶୁଝାଇବାକୁ ଅପ୍ର‌ାଣ ଉଦ୍ୟମ କରିଥିଲେ ମଧ୍ୟ ଆରୋଜର ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା। ଆରୋଜ ଦଳ ଦ୍ବିତୀୟାର୍ଧରେ ମଧ୍ୟ ଚମତ୍କାର ଖେଳ ଜାରି ରଖିଥିଲା। ମ୍ୟାଚ୍‌ର ୭୬ ମିନିଟ୍‌ରେ ବ୍ଲାଷ୍ଟର୍ସ ଗୋଲ୍‌ ପୋଷ୍ଟ୍‌ ନିକଟରେ ଅନସ ଏଡାଥୋଡିକା ହାତରେ ବଲ୍‌କୁ ବାହାରକୁ ପଠାଇ ଦେଇଥିଲେ। ଏହା ଖେଳ ନିୟମ ବିରୋଧୀ ହୋଇଥିବାରୁ ଆରୋଜକୁ ପେନାଲ୍‌ଟି କିକ୍‌ ମିଳିଥିଲା ବେଳେ ଅନସ୍‌ଙ୍କୁ ରେଡ୍‌ କାର୍ଡ ଦେଇ ବାହାରକୁ ପଠାଇ ଦିଆଯାଇଥିଲା। ଏହି ପେନାଲ୍‌ଟିକୁ ସଫଳତାର ସହ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଅମରଜିତ ଯୁଗଳ ଗୋଲ୍‌ ସହ ଦଳକୁ ୨-୦ରେ ଅଗୁଆ‌ କରିଥିଲେ। ୮୩ତମ ମିନିଟ୍‌ରେ ଫାଉଲ୍‌ ପାଇଁ ଆରୋଜର ଜିତେନ୍ଦ୍ରଙ୍କୁ ରେଡ୍‌ କାର୍ଡ ମିଳିବାରୁ ଉଭୟ ଦଳ ୧୦ ଜଣଙ୍କୁ ନେଇ ଶେଷ ପର୍ଯ୍ୟନ୍ତ ଖେଳିଥିଲେ। ହେଲେ ଆଉ କୌଣସି ଗୋଲ୍‌ ହୋଇନଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆରୋଜର ଗୋଲ୍‌ ରକ୍ଷକ ପ୍ରଭସୁଖନ ସିଂହ ଗିଲ୍‌ଙ୍କୁ ମିଳିଥିଲା। ଆରୋଜ ୩୦ ତାରିଖ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଗୋଆ ଏଫ୍‌ସିକୁ ଭେଟିବ।

ସମ୍ବନ୍ଧିତ ଖବର