ସୁପର କପ୍ ସଙ୍କଟ, ଗୋକୁଳମ୍ ଓ ଆଇଜଲ୍‌ ବି ଆସିଲେନି

ଭୁବନେଶ୍ବର: ଆଇଲିଗ୍‌ ଓ ଆଇଏସ୍‌ଏଲ୍‌ର ୧୦ଟି ଲେଖାଏଁ ଦଳକୁ ନେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା ଏବେ ସୁପର ଫ୍ଲପ୍ ହେବାରେ ଲାଗିଛି। ପ୍ରତିଯୋଗିତାର ଦୁଇ ଦିନିଆ ଯୋଗ୍ୟତା ପର୍ଯ୍ୟାୟରୁ ଶୁକ୍ରବାର ମୀନର୍ଭା ପଞ୍ଜାବ ଓଭରି ଯାଇଥିଲା। ଶନିବାର ଆଉ ଦୁଇଟି ଆଇଲିଗ୍ ଦଳ ଗୋକୁଳମ୍ କେରଳ ଓ ଆଇଜଲ୍ ଏଫ୍‌ସି ଏହି ଧାରାରେ ସାମିଲ ହୋଇଛନ୍ତି। ଆଜି ଖେଳାଯିବାକୁ ଥିବା ଦିଲ୍ଲୀ ଡା‌ଇନାମସ୍ ଓ ଚେନ୍ନାଇନ୍ ଏଫ୍‌ସି ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌କୁ ଉଭୟ ଦଳ ବର୍ଜନ କରିଛନ୍ତି। ଫଳରେ ପ୍ରତିପକ୍ଷ ଦିଲ୍ଲୀ ଓ ଚେନ୍ନାଇନ୍ ୱାକ୍‌ଓଭର ପାଇ ବିନା ପରିଶ୍ରମରେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ହେଲେ ଆଇଲିଗ୍‌ର ମୋଟ ୮ ଦଳ ସର୍ବଭାରତୀୟ ଫୁଟବଲ୍ ମହାସଂଘ ବିରୋଧରେ ଭେଦଭାବ ଅଭିଯୋଗ ଆଣି ସୁପର କପ୍‌କୁ ବର୍ଜନ କରିଥିବାରୁ ମୁଖ୍ୟ ପର୍ଯ୍ୟାୟ ପୂର୍ବସୂଚୀ ଅନୁସାରେ ଖେଳାଯିବା ନେଇ ବି ଆଶଙ୍କା ଦେଖା ‌ଦେଇଛି। ଶୁକ୍ରବାରର ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଗୋକୁଳମ୍ କେରଳ ଓ ଆଇଜଲ୍‌ ଦଳର ଅଧିନାୟକ ଓ ପ୍ରଶିକ୍ଷକ ଯୋଗ ନଦେବା ପରେ ଏହି ଦୁଇ ଦଳ ଶନିବାରର ମ୍ୟାଚ୍ ବର୍ଜନ କରିବାର ଆଶଙ୍କା ବଢ଼ିଥିଲା। ଶନିବାର ଏହା ହିଁ ହୋଇଥିଲା। ଦିଲ୍ଲୀ ଓ ଚେନ୍ନାଇ ଖେଳାଳିଙ୍କ ସହ ପ୍ରଶଂସକ, ସୁରକ୍ଷାକର୍ମୀ ଓ ଷ୍ଟାଡିୟମ୍ ଗୋକୁଳମ୍ ଓ ଆଇଜଲ୍ ଖେଳାଳିଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ଭୁବନେଶ୍ବରରେ ଥାଇ ମଧ୍ୟ ସେମାନେ ଖେଳିବାକୁ ଆସି ନଥିଲେ। ଫଳରେ ମ୍ୟାଚ୍ ଖେଳା ଯାଇ ପାରି ନଥିଲା। ଏଆଇଏଫ୍ଏଫ୍ ଏହି ଦିଗରେ କୌଣସି ପଦକ୍ଷେପ ନନେଲେ ଆମେ ପଡ଼ିଆକୁ ଓହ୍ଲାଇବୁ ନାହିଁ। ଆଇଲିଗ୍‌ର ୮ ଦଳ ଏବେ ଏକାଠି ଅଛନ୍ତି। ଆମ କଥା ନ ଶୁଣିଲେ ଆଉ ୫ ଦଳ ମୁଖ୍ୟ ପର୍ଯ୍ୟାୟ ବର୍ଜନ କରିବେ ବୋଲି ଆଇଜଲ୍‌ର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଥିଲେ। ଯୋଗ୍ୟତା ପର୍ଯ୍ରାୟରେ ତିନିଟି ଦଳ ଓରିବା ପରେ ମଧ୍ୟ ଏଆଇଏଫ୍ଏଫ୍ ଏହି ମାମଲାରେ ନିରବ ରହିବା କିନ୍ତ ଫୁଟ୍‌ବଲ୍ ପ୍ରେମୀଙ୍କୁ ନିରାଶ କରିଛି। ସେପଟେ ଏସିଆ ମହାଦେଶର ଅନ୍ୟତମ ପୂରାତନ ଦଳ ଇଷ୍ଟ ବେଙ୍ଗଲ ନିଜ ଅଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ। ଏଣୁ ତୁରନ୍ତ ସ୍ଥିତି ସ୍ପଷ୍ଟ କରିବାକୁ ଏଆଇଏଫ୍‌ଏଫ୍ ଏହି ଦଳକୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର