କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠୁ ସୁପର କପ୍

ଭୁବନେଶ୍ବର: ଆଇଲିଗ୍ ଏବଂ ଆଇଏସ୍‌ଏଲ୍‌ର ୨୦ ଦଳକୁ ନେଇ ଆୟୋଜିତ ହେଉଥିବା ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଶୁକ୍ରବାର ଓ ଶନିବାର ଦୁଇ ଦିନ ଚାରିଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବା ୨୯ ତାରିଖରୁ ମୁଖ୍ୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଗତ ଋତୁରେ କରିଥିବା ପ୍ରଦର୍ଶନ ବଳରେ ଆଇ-ଲିଗ୍‌ ଓ ଆଇଏସ୍‌ଏଲ୍‌ର ୬ଟି ଲେଖାଏଁ ଶ୍ରେଷ୍ଠ ଦଳ (ମୋଟ ୧୨) ସିଧାସଳଖ ନକଆଉଟ୍ ପର୍ଯ୍ୟାୟ ଖେଳିବାକୁ ‌ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ବଳକା ୮ ଦଳ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବା ପରେ ସେଥିରୁ ଶ୍ରେଷ୍ଠ ଚାରିଟି ଦଳ ମୁଖ୍ୟ ପର୍ଯ୍ୟାୟ ଖେଳିବାର ସୁଯୋଗ ପାଇବେ। ୧୬ ଦଳକୁ ନେଇ ମୁଖ୍ୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ତେବେ ଆଇଲିଗ୍‌ର ୧୦ ଦଳ ମଧ୍ୟରୁ ୮ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଆଶଙ୍କା ଦେଖା ଦେଇଛି। ବିଜେତା ଚେନ୍ନାଇ-ସିଟି, ନେରୋକା ଏଫ୍‌ସି, ଆଇଜଲ ଏଫ୍‌ସି, ଗୋକୁଳମ୍ କେରଳା, ମୀନର୍ଭା ପଞ୍ଜାବ, ମୋହନ ବାଗାନ, ଇଷ୍ଟ ବେଙ୍ଗଲ ବୁଧବାର ପ୍ରତିଯୋଗିତାରୁ ଓହରିଯିବାକୁ ଧମକ ଦେଇଥିଲେ। ଶୁକ୍ରବାର ଏଥିରେ ଚର୍ଚିଲ ବ୍ରଦର୍ସ ସାମିଲ ହୋଇଛି। ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍‌ଏଫ୍)‌ ସେମାନଙ୍କ ଦାବି ପୂରଣ ନକଲେ କିମ୍ବା ଏଥିନେଇ ଆଲୋଚନା ଆରମ୍ଭ ନକଲେ ସେମାନେ ପଡ଼ିଆକୁ ଓହ୍ଲାଇବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଫଳରେ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ମ୍ୟାଚ୍ ପୁନେ ସିଟି ଓ ମୀନର୍ଭା ପଞ୍ଜାବ ମଧ୍ୟରେ ଖେଳାଯିବାର ଅଛି। ମୀନର୍ଭା ଗତ କିଛି ଦିନ ହେବ ଭୁବନେଶ୍ବରରେ ଅଛି। ହେଲେ ଏହି ଦଳ ବୁଧବାର ଅପରାହ୍ନ ଓ ଗୁରୁବାର ସକାଳେ ଅଭ୍ୟାସ କରିବାକୁ ଆସି ନଥିଲା। ସେହିଭଳି ଗୁରୁବାରର ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଏହି ଦଳର ଅଧିନାୟକ କିମ୍ବା ପ୍ରଶିକ୍ଷକ ଯୋଗ ନଥିଲେ। ଯାହା ମାମଲାକୁ ଅଧିକ ଗୋଳମାଳିଆ କରିଛି। ଦ୍ବିତୀୟ ମ୍ୟାଚ୍‌ର ଦୁଇ ଦଳ କେରଳା ବ୍ଲାଷ୍ଟର୍ସ ଏବଂ ଇଣ୍ଡିଆନ୍ ଆରୋଜ୍ କିନ୍ତୁ ଏଥିରେ ଯୋଗ ଦେଇଥିଲେ। ସେଥିପାଇଁ ଏହି ମ୍ୟାଚ୍ ଉପରେ କୌଣସି ବିପଦ ନଥିବା ସ୍ପଷ୍ଟ ହୋଇ ଯାଇଛି। ଗୁରୁବାର ରାତିରେ ଅବଶ୍ୟ ଏଆଇଏଫଏଫ୍ ସଭାପତି ପ୍ରଫୁଲ ପଟେଲ ବି‌ଦ୍ରୋହୀ ଦଳଗୁଡ଼ିକ ସହ ଆଲୋଚନା କରିବାର ସୂଚନା ରହିଛି। ଏହି ଆଲୋଚନା ସଫଳ ହେଲେ ପୁନେ ସିଟି ଓ ମୀନର୍ଭା ମ୍ୟାଚ୍ ପୂର୍ବ ସୂଚୀ ମୁତାବକ ହେବ। ଅନ୍ୟଥା‌ ପୁନେ ସିଟି ୱାକ୍‌ ଓଭର ପାଇ ମୁଖ୍ୟ ପର୍ଯ୍ୟାୟକୁ ଯିବ। ଆମେମାନେ ଭେଦଭାବର ଶିକାର ହୋଇଛୁ। ଆଇଲିଗ୍‌ ଓ ଏହାର ଭବିଷ୍ୟତ ଏବେ ଅନ୍ଧାର ଘେରରେ। ପ୍ରାୟୋଜକଙ୍କ ଅଭାବ ସହ ଅଧିକାଂଶ ଦଳ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୃଣମୂଳ ସ୍ତରରେ ଫୁଟବଲ୍ ବିକାଶ ନେଇ କୌଣସି ସ୍ପଷ୍ଟ ଯୋଜନା ହେଉନି। ଏସବୁ ସମସ୍ୟା ନେଇ ଆମେମାନେ ଫେବ୍ରୁଆରି ୧୮ରେ ଏଆଇଏଫ୍‌ଏଫ୍‌କୁ ପତ୍ର ଲେଖିଥିଲୁ। ହେଲେ ଏହାର କୌଣସି ଉତ୍ତର ଆମକୁ ଏ ପର୍ଯ୍ୟନ୍ତ ମିଳିନି। ସେଥିପାଇଁ ଭାରତୀୟ ଫୁଟବଲର ସମୁହ ବିକାଶ ପାଇଁ ଆମେ ସୁପର କପ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଛୁ। ଏଆଇଏଫ୍‌ଏଫ୍‌ ଏଥିନେଇ ଆଲୋଚନା କରିବାକୁ ଚାହିଁଲେ ଆମେ ପ୍ରସ୍ତୁତ ଅଛୁ ‌ବୋଲି ବିଦ୍ରୋହୀ ଦଳଗୁଡ଼ିର ଜଣେ ପ୍ରତିନିଧି କହିଛନ୍ତି।

ଦେୟମୁକ୍ତ ପ୍ରବେଶ
ସୁପରକପ୍ ଯୋଗ୍ୟତା ପର୍ଯ୍ୟାୟକୁ ଦର୍ଶକଙ୍କ ପାଇଁ ଦେୟ ମୁକ୍ତ ରଖା ଯାଇଛି। ଦର୍ଶକଙ୍କୁ ଏହି ବହୁ ଦଳୀୟ ପ୍ରତିଯୋଗିତା ଦେଖିବା ଲାଗି ଟିକେଟ କିଣିବାକୁ ପଡ଼ିବ ନାହିଁ କିମ୍ବା ଟଙ୍କାଟିଏ ଖର୍ଚ କରିବାକୁ ପଡ଼ିବ ନାହିଁ। ପାଦରେ ଚାଲିକରି ଆସୁଥିବା ଦର୍ଶକମାନେ ୩ ନମ୍ବର ଫାଟକ ଦେଇ ଷ୍ଟାଡିୟମରେ ପ୍ରବେଶ କରି ପାରିବେ। ଗାଡ଼ି ଧରି ଆସୁଥିବା ଦର୍ଶକଙ୍କୁ ଫାଟକ ୮-ବିରେ ପ୍ରବେଶ କରି ସିପିଡିଓ ପଡ଼ିଆରେ ଗାଡ଼ି ରଖି ଚାଲିକରି ଷ୍ଟାଡିୟମ ଭିତରକୁ ଯିବାକୁ ହେବ। ଦର୍ଶକମାନେ ଷ୍ଟାଡିୟମର ବି, ସି ଓ ଡି’ ବ୍ଲକରେ ବସି ମ୍ୟାଚ୍‌ର ମଜା ନେଇ ପାରିବେ।

ଆଇ-ଲିଗ୍‌ରେ ଫିକ୍ସିଂ ସନ୍ଦେହ: ତଦନ୍ତ ନିର୍ଦେଶ
ନୂଆଦିଲ୍ଲୀ: ସୁପରକପ୍‌କୁ ନେଇ ବିବାଦ ଲାଗି ରହିଥିଲା ବେଳେ ଘରୋଇ ପେସାଦାର ଲିଗ୍ ‘ଆଇ-ଲିଗ୍‌’ରେ ଫିକ୍ସିଂ ହୋଇଥିବା ଖବର ଭାରତୀୟ ଫୁଟ୍‌ବଲ୍‌କୁ ଦୋହଲାଇ ଦେଇଛି। ଆଇ-ଲିଗ୍‌ର ଶେଷ ଦିବସର ଏକ ନିର୍ଣ୍ଣାୟକ ମ୍ୟାଚ୍ ଫିକ୍ସ ଥିଲା ବୋଲି ଇଷ୍ଟ ବେଙ୍ଗଲ ଅଧିନାୟକ ଲାଲରିଣ୍ଡିକା ରାଲଟେ ଅଭିଯୋଗ କରିଛନ୍ତି। ମ୍ୟାଚ୍ କମିସନର ବାଲସୁବ୍ରମଣ୍ୟୁମ ବାଇରାପା ମଧ୍ୟ ରାଲଟେଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି। ଫଳରେ ମାମଲାର ସତ୍ୟାସତ୍ୟ ଜାଣିବା ଲାଗି ସର୍ବଭାରତୀୟ ଫୁଟବଲ୍ ମହାସଂଘ ଗୁରୁବାର ଏହାର ତଦନ୍ତ ନିର୍ଦେଶ ଦେଇଛି। ଆଇ-ଲିଗ୍‌ର ଶେଷ ଦିବସ ଅର୍ଥାତ୍ ଗତ ୯ ତାରିଖରେ ସମାନ୍ତରାଳୟ ଭାବେ ଇଷ୍ଟବେଙ୍ଗଲ-ଗୋକୁଳମ୍ କେରଳା ଏବଂ ଚେନ୍ନାଇ ସିଟି-ମୀନର୍ଭା ପଞ୍ଜାବ ମଧ୍ୟରେ ମ୍ୟାଚ୍ ଖେଳା ଯାଉଥିଲା। ଏହି ଦୁଇ ମ୍ୟାଚ୍ ଫଳାଫଳ ଉପରେ କିଏ ବିଜେତା ହେବ ତାହା ନିଭର୍ରଶୀଳ ରହିଥିଲା। ଇଷ୍ଟ ବେଙ୍ଗଲ ନିଜ ମ୍ୟାଚ୍ ଜିତିଲେ ଏବଂ ଚେନ୍ନାଇ ସିଟି ମୀନର୍ଭାଠାରୁ ହାରିଲେ ଇଷ୍ଟବେଙ୍ଗଲ ବିଜେତା ଆଖ୍ୟା ଅର୍ଜନ କରିଥାଆନ୍ତା। ଅନ୍ୟପକ୍ଷରେ ମୀନର୍ଭାକୁ ହରାଇ ପାରିଲେ ହିଁ ଚେନ୍ନାଇ ପାଇଁ ବିଜେତା ହେବା ସୁଯୋଗ ରହିଥିଲା। ଗୋକୁଳମ୍ କେରଳାକୁ ଇଷ୍ଟବେଙ୍ଗଲ ହରାଇ ଦେଇଥିଲା। ହେ‌ଲେ ପ୍ରଥମାର୍ଧ ସୁଦ୍ଧା ୦-୧ରେ ପଛୁଆ ରହିବା ସତ୍ତ୍ବେ ଚେନ୍ନାଇ ୩-୧ ଗୋଲ୍‌ରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଶୀର୍ଷକୁ ଉଠି ଯାଇଥିଲା। ଚେନ୍ନାଇ ୪୩ ପଏଣ୍ଟ ପାଇ ବିଜେତା ହୋଇଥିଲା ବେଳେ ଇଷ୍ଟବେଙ୍ଗଲ ୪୨ ପଏଣ୍ଟରେ ରହି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲ। ତେବେ ପ୍ରଥମାର୍ଧରେ ଆଗୁଆ ରହିବା ପରେ ମୀନର୍ଭା ଅଚାନକ ନିଜ ବିଦେଶୀ ଖେଳାଳିଙ୍କୁ ବଦଳାଇ ଦେଇଥିଲା। ଦ୍ବିତୀୟାର୍ଧରେ ସେମାନେ ଜାଣିଶୁଣି ଖରାପ ଖେଳୁଥିବା ସ୍ପଷ୍ଟ ଜଣାପଡ଼ିଥିଲା। ଯାହାକୁ ନେଇ ରାଲଟେ ସ୍ବର ଉତ୍ତୋଳନ କରିଥିଲେ। ବାଇରାପା ମଧ୍ୟ ଏହି ମ୍ୟାଚ୍‌ ନେଇ ଏଆଇଏଫଏଫକୁ ପ୍ରତିକୂଳ ରିପୋଟର୍ ଦେଇଥିଲେ। ସେଥିପାଇଁ ଏଆଇଏଫଏଫ୍ ତା’ର ବରିଷ୍ଠ ଅଧିକାରୀ ଜାଭେଦ ସିରାଜଙ୍କୁ ମାମଲାର ତଦନ୍ତ ଭାର ଦେଇଛି। ଏହି ଅଭିଯୋଗ ଦୁର୍ଭାଗ୍ୟଜନକ ବୋଲି ଉଭୟ ମୀନର୍ଭା ଓ ଚେନ୍ନାଇ ସିଟିର ମାଲିକ କହିଛନ୍ତି। ଏସୀୟ ଫୁଟବଲ୍ ମହାସଂଘ ମଧ୍ୟ ମାମଲା ଉପରେ ତୀକ୍ଷ୍ଣ ନଜର ରଖିଛି।

ମୀନର୍ଭାକୁ ଏଆଇଏଫ୍‌ଏଫ୍‌ ଚେତାବନୀ
ସୁପର କପ୍‌ ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଯୋଗ୍ୟତାପର୍ଯ୍ୟାୟ ଖେଳିବାକୁ ଥିବା ଚାରିଟି ଦଳ ମଧ୍ୟରୁ ଗୁରୁବାର ତିନିଟି ଯୋଗ ଦେଇଥି‌ଲେ। ପୁନେ ସିଟି, ଇଣ୍ଡିଆନ୍ ଆରୋଜ୍, କେରଳା ବ୍ଲାଷ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଏଥିରେ ‌ଥିଲେ। ହେଲେ ମୀନର୍ଭା ପଞ୍ଜାବ ସମ୍ମିଳନୀକୁ ଆସି ନଥିଲା। କୌଣସି କାରଣ ନଦର୍ଶାଇ ମୀନର୍ଭା ଏହାକୁ ବର୍ଜନ କରିଥିଲା। ଦଳର ଖେଳାଳିମାନେ ବି ଲଗାତାର ଦ୍ବିତୀୟ ଥର ପାଇଁ ଅଭ୍ୟାସକୁ ଓହ୍ଲାଇ ନଥିଲେ। ସେଥିପାଇଁ ଏହି ଦଳ ଶୁକ୍ରବାର ପଡ଼ିଆକୁ ଓହ୍ଲାଇବା ନେଇ ଥିବା ଆଶଙ୍କା ଆହୁରି ବଢ଼ି ଯାଇଛି। ‌ମୀନର୍ଭା ଆସନ୍ତାକାଲିର ମ୍ୟାଚ୍ ଖେଳିବାକୁ ନେଇ ଆମେ ଆଶାବାଦୀ ଅଛୁ। ଯଦି ଏହି ଦଳ ମ୍ୟାଚ୍ ବର୍ଜନ କରେ, ତାହାଲେ ପ୍ରତିଯୋଗିତାର ନିୟମ ଅନୁସାରେ ପୁନେ ସିଟି ୱାକୋଭର ପାଇବ। ତେବେ ମାମଲାର ସମାଧାନ ହୋଇଯିବା ନେଇ ଆଶା ରଖିଛୁ ବୋଲି ଏଆଇଏଫ୍‌ଏଫ୍‌ର ଜଣେ ଅଧିକାରୀ କହିଛନ୍ତି। ଇଣ୍ଡିଆନ୍ ଆରୋଜ୍ ପୂରା ପ୍ରସ୍ତୁତ। କେରଳରେ କେତେକ ଭଲ ଖେଳାଳି ଅଛନ୍ତି। ଆମେ ଲମ୍ବା ଋତୁ ଖେଳି ଏଠାକୁ ଆସିଛୁ। ତଥାପି ଆମେ ଏହି ଦଳକୁ କଡ଼ା ଟକ୍କର ଦେବୁ ବୋଲି ଇଣ୍ଡିଆନ୍ ଆରୋଜ୍‌ର ମୁଖ୍ୟ ପ୍ରଶିକ୍ଷକ ଫ୍ଲଏଡ୍ ପିଣ୍ଟୋ କହିଥିଲେ। କେରଳା ବ୍ଲାଷ୍ଟର୍ସର ନୂଆ ପ୍ରଶିକ୍ଷକ ନେଲୋ ଭିଙ୍ଗାଡ଼ା ଇଣ୍ଡିଆନ୍ ଆରୋଜ୍ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ କୌଣସି ଦଳକୁ ସେ ହାଲ୍‌କା ଭାବେ ନେବେନି ବୋଲି କହିଥିଲେ। ପୁନେ ସିଟିର ଆଦିଲ ଖାନ୍ ଓ ପ୍ରଶିକ୍ଷକ ଫିଲ୍ ବ୍ରାଉନ୍ ମଧ୍ୟ ଆସନ୍ତାକାଲିର ମ୍ୟାଚ୍ ନେଇ ବେଶ୍ ଉତ୍ସାହିତ ଥିବା ମତ ରଖିଥିଲେ। ସେପଟେ ଏଆଇଏଫଏଫ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ମୀନର୍ଭାକୁ ଚେତାବନୀ ଦେଇଛି। ନଖେଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି।
ବିଦ୍ରୋହୀଙ୍କ ସହ ହାତ ମିଳାଇଲା ଚର୍ଚିଲ
ସୁପରକପ୍‌ରୁ ପୂର୍ବରୁ ୭ ଆଇଲିଗ୍ ଦଳ ଓହରି ଯାଇଥିଲେ। ଗୁରୁବାର ଚର୍ଚିଲ ବ୍ରଦର୍ସ ଏଥିରେ ସାମିଲ ହୋଇଛି। ଏହି ଦଳ ଓହରିବା ପରେ ସୁପର କପ୍‌ରେ ଭାଗ ନେବାକୁ ଥିବା ୧୦ ଆଇ-ଲିଗ୍ ଦଳ ମଧ୍ୟରୁ କେବଳ ଇଣ୍ଡିଆନ୍ ଆରୋଜ୍ ଓ ରିଅଲ କଶ୍ମୀର ଅଂଶ ଗ୍ରହଣ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର