ଭୁବନେଶ୍ବର: ଆସନ୍ତା ୧୫ ତାରିଖରୁ ସୁପର୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ ପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ପୂରା ପ୍ରସ୍ତୁତ ହୋଇସାରିଛି। ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଯୋଗ୍ୟତାପର୍ଯ୍ୟାୟ ଖେଳାଯିବା ପରେ ୨୯ ତାରିଖରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ଏପ୍ରିଲ ୧୩ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ସୁପର କପ୍ ଶେଷ ହେବ। ହେଲେ ଯୋଗ୍ୟତାପର୍ଯ୍ୟାୟ ଖେଳିବାକୁ ଥିବା ପୂର୍ବତନ ଆଇ ଲିଗ୍ ବିଜେତା ମୀନର୍ଭା ପଞ୍ଜାବ ସାଙ୍ଗକୁ କୋଲ୍କାତା ଦଳ ମୋହନ ବାଗାନ୍ ସୁପର୍ କପ୍ରୁ ଓହରି ଯାଇଥିବା କହିଛନ୍ତି। କେବଳ ସେତିକି ନୁହେଁ ଆଇଲିଗ୍ର ଅନ୍ୟ ୬ ଦଳ ମଧ୍ୟ ସୁପର କପ୍ରେ ଭାଗ ନେବେନି ବୋଲି ମୀନର୍ଭା ପଞ୍ଜାବ ଦଳର ମାଲିକ ଦାବି କରିଛନ୍ତି। ଯଦି ଏହା ବାସ୍ତବ ରୂପ ନିଏ, ତେବେ କଳିଙ୍ଗରେ ଆୟୋଜିତ ହେବାକୁ ଯାଉଥିବା ସୁପର କପ୍ ଫିକା ପଡ଼ିବା ଆଶଙ୍କା ରହିଛି। ହେଲେ ଏଭଳି ଆଶଙ୍କାକୁ ଫାଓ ତରଫରୁ ଖଣ୍ଡନ କରାଯାଇଛି। ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିି ଯେ ଆମ ପାଖରେ ଏଭଳି କୌଣସି ସୂଚନା ନାହିଁ। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ ଆମକୁ ଏଥିନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ। ସେହିଭଳି ମିନର୍ଭା ସହ ପ୍ରଥମ ଦିନ ମ୍ୟାଚ୍ ଖେଳିବାକୁ ଥିବା ଅନ୍ୟ ଦଳ ଏଠାରେ ପହଞ୍ଚି ସାରିଛନ୍ତି। ମଙ୍ଗଳବାର ସେମାନେ ଅଭ୍ୟାସ କରିଛନ୍ତି। ଶୁକ୍ରବାରର ଦୁଇଟି ମ୍ୟାଚ୍ ପାଇଁ ଆସନ୍ତାକାଲି ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଇ ଲିଗ୍ ଦଳମାନଙ୍କୁ ଖରାପ ଆଚରଣ ଦେଖାଯାଇଥିବାରୁ ଆମେ ସୁପର କପ୍ରୁ ଓହରିଯିବା ନିଷ୍ପତ୍ତି ନେଇଛୁ ବୋଲି ମଙ୍ଗଳବାର ଏକ ବୈଠକ ପରେ ମୀନର୍ଭା ପଞ୍ଜାବ ମାଲିକ ରଂଜିତ୍ ବାଜାଜ୍ କହିଛନ୍ତି। ଆମେ ଆଇ ଲିଗ୍ରେ ଖରାପ ଆଚରଣ ପାଇଁ ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍) ସଂପାଦକ କୁସାଲ ଦାସଙ୍କ ନିକଟକୁ ଚିଠି ଲେଖିଥିଲୁ। ସଂପାଦକଙ୍କୁ ମଧ୍ୟ ଚିଠିରେ ଆମର ସୁପର୍ କପ୍ରୁ ଓହରିଯିବା ନିଷ୍ପତ୍ତି ସଂପର୍କରେ ଅବଗତ କରାଇଥିଲୁ। ହେଲେ ଏଆଇଏଫ୍ଏଫ୍ କୌଣସି ପ୍ରତିକ୍ରିୟା ରଖିନାହିଁ। ତେଣୁ ମଙ୍ଗଳବାର ଇଷ୍ଟ୍ ବେଙ୍ଗଲ, ମୋହନ ବାଗାନ୍ ସହ ଆଇଲିଗ୍ କ୍ଲବ୍ମାନଙ୍କୁ ନେଇ ସ୍କାଇପେ ଜରିଆରେ ଆମର ଯୁଗ୍ମ ବୈଠକ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ସୁପର୍ କପ୍ରୁ ଓହରି ଯିବାକୁ ଆମେ ସ୍ଥିର କରିଛୁ ବୋଲି ରଂଜିତ୍ ବଜାଜ ଦାବି କରିଛନ୍ତି। ଆମ ଚିଠି ନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଓହରିବା ବ୍ୟତୀତ ଆମ ପାଖରେ ବିକଳ୍ପ ନଥିଲା ବୋଲି ସେ କହିଛନ୍ତି। ତଥାପି ଏଆଇଏଫ୍ଏଫ୍ ସଭାପତି ପ୍ରଫୁଲ୍ଲ ପଟେଲ ଆମ ପ୍ରସଙ୍ଗ ଉପରେ ତାଙ୍କ ମତାମତ ନଜଣାଇବା ପର୍ଯ୍ୟନ୍ତ କିମ୍ବା ଆମ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆମେ ସୁପର୍ କପ୍ରେ ଭାଗ ନନେବା ନିଷ୍ପତ୍ତିରୁ ଓହରିବୁ ନାହିଁ ବୋଲି ଏହି ଦଳଗୁଡ଼ିକ ପକ୍ଷରୁ ବଜାଜ୍ କହିଛନ୍ତି। ଆମେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଚିଠି ପଠାଇଥିଲେ ମଧ୍ୟ ଏଆଇଏଫ୍ଏଫ୍ ଏପର୍ଯ୍ୟନ୍ତ ଚୁପ୍ ହୋଇ ବସିବା ଆମକୁ କ୍ଷୁବ୍ଧ କରିଛି। ତେଣୁ ଏଭଳି ସ୍ଥିତିରେ ଆମେ ସୁପର୍ କପ୍ରେ ଅଂଶ ଗ୍ରହଣ କରିବା ଉଚିତ ନୁହଁ ବୋଲି ମୀନର୍ଭା ମାଲିକ କହିଛନ୍ତି। ସେହିପରି ଏଆଇଏଫ୍ଏଫ୍ ସଂପାଦକ କୁସାଲ ଦାସଙ୍କୁ ଲେଖିଥିବା ଚିଠିରେ ମୋହନ ବାଗାନ୍ ଉଲ୍ଲେଖ କରିଥିଲା, ଆଇ ଲିଗ୍ କ୍ଲବ୍ମାନଙ୍କୁ ଏଆଇଏଫ୍ଏଫ୍ ଉପେକ୍ଷା କରୁଛି। ଆଇ ଲିଗ୍ ଓ ଆଇଏସ୍ଏଲ୍ର ମିଶ୍ରଣ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ପୁଣି ଆଇ ଲିଗ୍ କ୍ଲବ୍ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଏଆଇଏଫ୍ଏଫ୍କୁ ଦାବି କରିଥିଲୁ। ହେଲେ କୌଣସି ଦାବିକୁ ସର୍ବଭାରତୀୟ ସଂଘ ଗ୍ରହଣ କରିନାହିଁ। ଏପରିକି ଆମ ପ୍ରସଙ୍ଗ ଓ ଦାବି ଉପରେ ସଂଘ କୌଣସି ମନ୍ତବ୍ୟ ରଖୁନାହିଁ। ଇଷ୍ଟ୍ ବେଙ୍ଗଲ ଓ ମୋହନ ବାଗାନ୍ ସହିତ ୮ ଆଇ ଲିଗ୍ କ୍ଲବ୍ ମିଳିତ ଭାବେ ସେମାନଙ୍କ ଦାବି ଉପରେ ଆଲୋଚନା ପାଇଁ ଏଆଇଏଫ୍ଏଫ୍ ସଭାପତି ପଟେଲଙ୍କ ନିକଟକୁ ଚିଠି ଲେଖିଥିଲେ। ହେଲେ ତାଙ୍କଠୁ କ୍ଲବ୍ଗୁଡ଼ିକ ଏବେ ବି କୌଣସି ପ୍ରତିକ୍ରିୟା ପାଇନାହାନ୍ତି। ଆମ ସହ ଆଲୋଚନା କରିବେ ନା ନାହିଁ ସେ ନେଇ ମଧ୍ୟ ପଟେଲ କୌଣସି ନିର୍ଭର ପ୍ରତିଶୃତି ଦେଇନାହାନ୍ତି। ତେଣୁ ସୁପର କପ୍ରୁ ଓହରିଯିବା ପାଇଁ ଆମେ ମଙ୍ଗଳବାର ନିଷ୍ପତ୍ତି ନେଲୁ ବୋଲି ମୋହନ ବାଗାନ୍ ସଂପାଦକ ଶ୍ରୀଞ୍ଜୟ ବୋଷ କହିଛନ୍ତି। ମୀନର୍ଭା ଓ ମୋହନ ବାଗାନ୍ ବ୍ୟତୀତ ଇଷ୍ଟ୍ ବେଙ୍ଗଲ, ଗୋକୁଳମ୍ କେରଳ, ଆଇଜଲ୍, ସିଲଂ ଲାଜୋଙ୍ଗ୍ ଓ ଆଇଲିଗ୍ ବିଜେତା ଚେନ୍ନାଇ ସିଟି ମଧ୍ୟ ସୁପର କପ୍ରୁ ଓହରିବାର ନିଷ୍ପତ୍ତି ନେଇଥିବା ବଜାଜ୍ ଦାବି କରିଛନ୍ତି। କେବଳ ସେତିକି ନୁହେଁ ନେରୋକା ମଧ୍ୟ ଓହରିଯିବାକୁ ମଙ୍ଗଳବାର ତା’ର ଆଗ୍ରହ ଦେଖାଇଛି। ତେବେ ଚଚ୍ଚିଲ୍ ବ୍ରଦର୍ସ ନକ୍ ଆଉଟ୍ ଖେଳିବ ବୋଲି କହିଛି।