ତାମିଲନାଡୁରେ ଓଡ଼ିଆ ଝିଅ ସୁସ୍ମିତାଙ୍କ କମାଲ

ଭୁବନେଶ୍ୱର: ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଆ ଝିଅ ସୁସ୍ମିତା ସାହୁ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଅଦ୍ଭୁତପୂର୍ଣ୍ଣ ସଫଳତା ପାଇବା ପରେ ସୁସ୍ମିତା ଆସନ୍ତା ଫେବ୍ରୁଆରିରେ ଚଣ୍ଡିଗଡ଼ରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବା ଉପରେ ନଜର ପକାଇଛନ୍ତି। ଏଥିଲାଗି ସେ କଠିନ ଅଭ୍ୟାସ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ତିର୍ଚି ଇଞ୍ଜିନିୟରିଂ କଲେଜ ପରିସରରେ ଅନୁଷ୍ଠିତ ଆଞ୍ଚଳିକ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁସ୍ମିତା ଗତ ବର୍ଷ ଡିସେମ୍ବର ୨ ତାରିଖରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିଭଳି ସାଲେମ ଠାରେ ଅନୁଷ୍ଠିତ ତାମିଲନାଡୁ ରାଜ୍ୟ ବରିଷ୍ଠ ଶକ୍ତିଉତ୍ତୋଳନରେ ମଧ୍ୟ ସେ କାଂସ୍ୟ ପଦକ ହାସଲ କରିଥିଲେ। ଏବେ ସୁନ୍ଦରସ୍ବାସ୍ଥ୍ୟରେ ନିଜ ଯାଦୁ ଦେଖାଇଛନ୍ତି। ସୁସ୍ମିତାଙ୍କୁ ତାଙ୍କ ସ୍ବର୍ଣ୍ଣିମ ସଫଳତା ଲାଭି ସମାରୋହର ମୁଖ୍ୟ ଅତିଥି ଜେ.ପି ସାମୁଏଲ ଟ୍ରଫି ସହିତ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ଭୁବନେଶ୍ୱରର ଭରତପୁର ଗ୍ରାମରେ ୧୯୯୯ ମାର୍ଚ୍ଚ ୧୬ରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ହେଉଛନ୍ତି ସିଆରପିଏଫ୍‌ (ଚେନ୍ନାଇ)ରେ କାର୍ଯ୍ୟରତ ସୁକାନ୍ତ କୁମାର ସାହୁ ଓ ମିତା ରାଣୀ ସାହୁଙ୍କ ଝିଅ। ପିତାଙ୍କ ଚାକିରି ତାମିଲନାଡୁରେ ଥିବା କାରଣରୁ ସେଠାରେ ପିଲାଟି ଦିନରୁ ରହିଆସୁଛନ୍ତି। କମ୍ପ୍ୟୁଟର ଇଞ୍ଜିନିୟରିଂ (୩ୟ ବର୍ଷ)ରେ ଅଧ୍ୟୟନରତ ସୁସ୍ମିତା ଆଗକୁ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୁସ୍ମିତାଙ୍କ ଭାଇ ସୁମିତ କୁମାର ସାହୁ ମଧ୍ୟ ଜଣେ ଅନ୍ତର୍ଜାତୀୟ ସ୍ତରର ଟାଏକୋଣ୍ଡୋ ଖେଳାଳି।

ସମ୍ବନ୍ଧିତ ଖବର