ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ

ମୁମ୍ବାଇ : ବିସିସିଆଇ ପକ୍ଷରୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଉପରୁ ନିଲମ୍ବନ ଉଠାଇ ନିଆଯାଇଛି । ବିସିସିଆଇର ପ୍ରଶାସକ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଫଳରେ ଉଭୟ ଖେଳାଳି ନ୍ୟୁଜିଲାଣ୍ଡ ସହ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଅବଶିଷ୍ଟ ମ୍ୟାଚ ଖେଳିପାରିବେ । ଗତ କାଲି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଗତ ଶନିବାରଦିନ ବିସିସିଆଇର କାମଚଳା ସଭାପତି ସିକେ ଖାନ୍ନା ଏହି ନିଲମ୍ବନ ଉଠାଇବାକୁ ପ୍ରଶାସକ କମିଟିକୁ ଅନୁରୋଧ କରିଥିଲେ ।

ଗତ ୧୦ ତାରିଖ ଦିନ ଏକ ଟେଲିଭିଜନ ସୋ’ରେ ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ରଖିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ଖେଳାଳି ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ବିସିସିଆଇ ନିଳମ୍ବିତ କରିଥିଲା । ଏହା ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ସେମାନେ ବାଦ ପଡିଥିଲେ। ‘କଫି ୱିଥ୍ କରଣ’ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଦୁଇ ଖେଳାଳି ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇଥିଲେ। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ନିଲମ୍ବିତ କରାଗଲା ବୋଲି ବିସିସିଆଇ ଦାୟିତ୍ବରେ ଥିବା ସିଓଏ (ପ୍ରଶାସନିକ ସମିତି)ର ଅଧ୍ୟକ୍ଷ ବିନୋଦ ରାଏ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର