ପଡୋଶୀ ରାଜ୍ୟର ସୁନା ଝିଅ ‘ସ୍ୱପ୍ନା’ଙ୍କ ଗାଁରେ ଭିଆଇପିଙ୍କ ଭିଡ଼, ରାତାରାତି ନିର୍ମାଣ ହେଲା ପକ୍କା ସଡ଼କ

କୋଲକାତା: ଭାରତର ସୁନା ଝିଅ ସ୍ପପ୍ନାଙ୍କ ଗାଁରେ ଆଜିକାଲି ଭିଆଇପିଙ୍କ ଭିଡ଼ ଲାଗି ରହିଛି। ପଡୋଶୀ ରାଜ୍ୟ ‘ପଶ୍ଚିମବଙ୍ଗ’ର ଝିଅ ସ୍ୱପ୍ନା ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଶେଷ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ହେପ୍ଟାଥଲନ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣି ଇତିହାସ ରଚିବା ପରେ ଭିଆଇପିମାନେ ଭିଡ ଲଗାଉଛନ୍ତି। ସ୍ୱପ୍ନାଙ୍କ ସ୍ୱାଗତ ପାଇଁ ପଶ୍ଚିମବଙ୍ଗ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥି ପାଇଁ ତୃଣମୂଳ ସରକାର ରାତାରାତି ସଡ଼କ ନିର୍ମାଣ ମଧ୍ୟ କରିଛି।

ଜଳପାଇଗୁଡ଼ି ଜିଲ୍ଲାରେ ଜନ୍ମ ନେଇଥିବା ସ୍ୱପ୍ନାଙ୍କ ଅଖ୍ୟାତ ଗାଁକୁ ପୂର୍ବରୁରେ ପକ୍କା ସଡ଼କ ନଥିଲା। ଘୋଷପାଡା ଗାଁକୁ ଯିବା ପାଇଁ ଧାନ କ୍ଷେତ ମଝିରେ ଯାଇଥିବା ଏକ ସଂକୀର୍ଣ୍ଣ ସଡ଼କ ପଥରେ ଯିବାକୁ ପଡୁଥିଲା। ସେହି ସଡ଼କ ହିଁ ଥିଲା ସ୍ୱପ୍ନାଙ୍କ ପାଇଁ ପ୍ରଥମ ଟ୍ରାକ୍‌। ଦୟନୀୟ ସଡ଼କରେ ସ୍ୱପ୍ନା ଅଭ୍ୟାସ କରୁଥିଲେ।

ଏହି ଦୟନୀୟ ସଡ଼କକୁ ଭଲ କରିବା ପାଇଁ ଶହ ଶହ ଶ୍ରମିକ ଲାଗି ପଡ଼ିଛନ୍ତି। ଖୁବ୍‌ ଶୀଘ୍ର ଏହା ପକ୍କା ରାସ୍ତା ହୋଇଯିବ। ସୁନାର ଝିଅ ସ୍ୱପ୍ନାଙ୍କ ଆଗମନକୁ ଗାଁ ଲୋକେ ଅପେକ୍ଷା କରିଥିବା ବେଳେ ଜିଲ୍ଲା ପ୍ରଶାସନ ସଡ଼କ ନିର୍ମାଣରେ ବ୍ୟସ୍ତ। କାରଣ ହେଲା ଯେ ଗରିବ ରିକ୍ସା ଚାଳକ ପଞ୍ଚନ ବର୍ମନଙ୍କ ଘରକୁ ଭିଆଇପିଙ୍କ ସୁଅ ଛୁଟୁଛି।

ସ୍ୱପ୍ନାଙ୍କ ଗାଁରେ ଲାଇଟ୍‌ ଲାଗୁଛି। ତାଙ୍କ ସ୍ୱାଗତ ପାଇଁ ଏକ ବଡ଼ ତୋରଣ ନିର୍ମାଣ ହୋଇଛି। ସ୍ୱପ୍ନା ଯେତେବେଳେ ଗାଁକୁ ଫେରିବେ ଡିଜେ, ବାଣ-ଫୋଟକା ଫୁଟିବ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସ୍ୱପ୍ନାଙ୍କୁ ନେଇ ଗର୍ବ କରୁଛନ୍ତି। ଗାଁ ଲୋକଙ୍କର ଆଶା ଯେ, ପାଣି ସମସ୍ୟା ଦୂର ହେବ।

ସମ୍ବନ୍ଧିତ ଖବର