ରାଜ୍ୟ ଟିଟି: ତ୍ରିମୁକୁଟ ହାସଲ କଲେ ଶ୍ବେତପଦ୍ମା

ଭୁବନେଶ୍ବର: ଖୋର୍ଧା ଜିଲ୍ଲା ଟେବୁଲ ଟେନିସ ସଂଘ (କେଡିଟିଟିଏ) ଆନୁକୂଲ୍ୟରେ ସହିଦନଗର ଟିଟି ହଲ୍‌ରେ ଆୟୋଜିତ ଚତୁର୍ଦଶ ରାଜ୍ୟ ମାନ୍ୟତା ଟେବୁଲ ଟେନିସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଜିଏନ୍‌ ପବ୍ଲିକ୍‌ ସ୍କୁଲ୍‌ର ଶ୍ବେତପଦ୍ମା ଦଳାଇ ମହିଳା, କନିଷ୍ଠ ବାଳିକା, ଉପକନିଷ୍ଠ ବାଳିକାରେ ବିଜେତା ହୋଇ ତ୍ରିମୁକୁଟ ହାସଲ କରିଛନ୍ତି। ମହିଳାରେ ସେ ୪-୨ରେ ଭଦ୍ରକର ମୟୂରୀ ଚାଟାର୍ଜୀଙ୍କୁ, କନିଷ୍ଠରେ ୪-୧ରେ ଖୋର୍ଧାର ୟୋଶିତା ଜାମୁଲାଙ୍କୁ ଏବଂ ଉପକନି‌ଷ୍ଠରେ ୪-୦ରେ ଭୁବନେଶ୍ବରର ସୁଶ୍ରୀ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ପୁରୁଷ ବର୍ଗରେ ଆର୍‌ବିଆଇର ଅସିଫ ହକ୍‌ ୪-୦ରେ ଏଜିର ସ୍ନେହମୟ ମଲ୍ଲିକଙ୍କୁ ହରାଇ ଟ୍ରଫି ଜିତିଥିଲେ। କ୍ୟାଡେଟ୍‌ ବାଳକରେ ଭୁବନେଶ୍ବରର ଅନିନ୍ଦ୍ୟ ଅନୁପମ ଦାସ ୩-୧ରେ ନିଜ ସହରର ଅର୍ଚିତ କୁମାର ବେହେରାଙ୍କୁ ଏବଂ ବାଳିକାରେ ସାଦିକା ସୋଦବର୍ମା ୩-୦ରେ କଟକର ଊର୍ଜା ବର୍ମାଙ୍କୁ ପରାସ୍ତ କରି ଟ୍ରଫି ଜିତିଥିଲେ। ଉପକନି‌ଷ୍ଠ ବାଳକରେ ଖୋର୍ଧାର ଅଙ୍କୁର ବିଶ୍ବାଳ ୪-୧ରେ ନିଜ ସହରର ଦ୍ବାରିକା ଏନ୍‌ ସ୍ବାଇଁଙ୍କୁ, କନିଷ୍ଠ ବାଳକରେ ଖୋର୍ଧାର ଅବିନାଶ ତ୍ରିପାଠୀ ୪-୩ରେ କଟକର ମୋହିତ ବେହୁରାୟଙ୍କୁ ଏବଂ ଯୁବ ବାଳକରେ କଟକର ଏମ୍‌ ଇଶ୍ବର ରାଓ ୪-୧ରେ ନିଜ ସହରର ଆର୍ଯ୍ୟ ଶଙ୍କର ମହାପ୍ରସସ୍ଥଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ।

ରବିବାର ଅନୁ‌‌ଷ୍ଠିତ ଉଦ୍‌ଯାପନୀ ଉତ୍ସବରେ କେଡିଟିଏ ସମ୍ପାଦକ ସ୍ମୃତି ରଂଜନ ଦାସ , ଉପସଭାପତି ପିକେ ସାମନ୍ତରାୟ, ବୈଷୟିକ ନିର୍ଦେଶକ ବିଜନ ଦାସ ମହାପାତ୍ର, ଆୟୋଜକ ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ନିରଞ୍ଜନ ସେଠୀ, ଏନ୍‌କେ ପାଲ, ଆର୍‌କେ ସାହୁ, ଏସ୍‌କେ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ୍‌ଗୁଡ଼ିକୁ ବିଜନ ଦାସ ମହାପାତ୍ର, ତପନ ଖା, ଜୀବନ ବଲ୍ଲଭ ସାମଲ ଓ ସୁଜିତ ରାୟ ପରିଚାଳନା କରିଥି‌ଲେ।

ସମ୍ବନ୍ଧିତ ଖବର