ସନ୍ତରଣରେ ଚେସ ଚମକ: ସବିତାଙ୍କୁ ୪ ପଦକ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଆଗଧାଡ଼ିର ଭେଟେରାନ ମହିଳା ଚେସ୍ ଖେଳାଳିଙ୍କ ସନ୍ତରଣ ପ୍ରତିଭା ଏବେ ପଦାକୁ ଆସିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲଠାରେ ସମ୍ପ୍ରତି ଶେଷ ହୋଇଥିବା ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗିରିଗାଁର ସବିତା ତ୍ରିପାଠୀ ଗୋଟିଏ ଦୁଇଟି ନୁହେଁ ଏକକାଳୀନ ୪ ପଦକ ଜିତିଛନ୍ତି। ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଓ ଫ୍ରିଷ୍ଟାଇଲରେ ୨ ସ୍ବର୍ଣ୍ଣ ପଦକ ଏବଂ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଓ ଫ୍ରିଷ୍ଟାଇଲରେ ୨ ରୌପ୍ୟ ପଦକ ହାସଲ କରି ନିଜ ଚକମ ଛାଡ଼ିଛନ୍ତି। ସୂଚନାଯୋଗ୍ୟ, ଶ୍ରୀମତି ତ୍ରିପାଠୀ ରାଜ୍ୟର ଚେସ୍ ବ୍ୟକ୍ତିତ୍ବଭାବେ ବେଶ ଜଣାଶୁଣା। ବହୁ ରାଜ୍ୟ ଓ ଜାତୀୟ ଚେସ୍ ପ୍ରତିଯୋଗିତାରେ ଖେଳିବା ସହିତ ପୁରସ୍କୃତ ‌ହୋଇଛନ୍ତି। ଏଥି ସହିତ ଚେସ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ସିଓଏ)ର ସମ୍ପାଦିକା ଏବଂ ଚେସ୍ ଆସୋସିଏସନ୍ ଅଫ୍ ଭାରତର ଉପସଭାନେତ୍ରୀ ପଦରେ ମଧ୍ୟ ରହିଛନ୍ତି। ଫରେଷ୍ଟର ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ପତ୍ନୀ ଶ୍ରୀମିତି ସବିତା ତ୍ରିପାଠୀଙ୍କୁ ଓଡ଼ିଶା ରାଜ୍ୟ ଚେସ୍ ସଂଘ (ଓସ୍କା)ର ଉପ ସଭାପତି ଅରାତି ବିଜୟ ମହାନ୍ତି ଏବଂ ଯୁଗ୍ମ ସମ୍ପାଦକ ବଂଶୀଧର ଭୋଇ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର