ବ୍ରାଜିଲ ପାଇଁ ସର୍ବିୟା ସହଜ ହେବନି:ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

ଦୁଇ ଦକ୍ଷିଣ ଆମେରିକୀୟ ମହାଶକ୍ତି ବ୍ରାଜିଲ ଓ ଆର୍ଜେଣ୍ଟିନା ଏକା ଭଳିଆ ଆରମ୍ଭ କଲେ। ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବା ପରେ ନିଜ ନିଜ ପ୍ରଥମ ମୁକାବିଲାକୁ ଅମୀମାଂସିତ ରଖିଲେ। ଉଭୟ ୟୁରୋପୀୟ ପ୍ରତିପକ୍ଷଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରଥମେ ଗୋଲ୍‌ ଦେଇ ଡ୍ର’ରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲେ। ଯେତେଚେଷ୍ଟା କଲେ ମଧ୍ୟ ବିପକ୍ଷ ଦଳ ସେମାନଙ୍କୁ ଆଉ ଗୋଲ୍‌ କରିବାର ସୁଯୋଗ ଦେଇ ନଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ ପରେ କିନ୍ତୁ ଆର୍ଜେଣ୍ଟିନା ତୁଳନାରେ ବ୍ରାଜିଲ ଆପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ସେମାନେ ନକ୍‌ଆଉଟ୍‌ ପର୍ଯ୍ୟାୟର ଦ୍ୱାର ଦେଶରେ ରହିଛନ୍ତି। କୋଷ୍ଟାରିକା ବିପକ୍ଷରେ ବ୍ରାଜିଲକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ରେ ଅବଶ୍ୟ ବିଶ୍ୱକପ୍‌ର ସଫଳତମ ଦଳ ଶେଷ ଆଡ଼କୁ ବିଜୟ ଛଡ଼ାଇ ନେଲା। ଏଥିରୁ ପ୍ରମାଣିତ ହେଲା ଯେ ବ୍ରାଜିଲୀୟମାନେ ଏବେ ବିଜୟ ପାଇଁ ପୂରା ଭୋକିଲା।

ଅବଶ୍ୟ ସେମାନଙ୍କ କାମ ସେତେଟା ସହଜ ନୁହେଁ। ସର୍ବିୟା ବିପକ୍ଷ ଶେଷ ମ୍ୟାଚ୍‌ ସେମାନଙ୍କ ପାଇଁ ସହଜ ହେବ ନି। ସ୍ୱିଜରଲାଣ୍ଡ ବିପକ୍ଷରେ ସର୍ବିୟା ଦୁର୍ଭାଗ୍ୟଜନକ ପରାଜୟ ବରଣ କରିଥିଲା। ସର୍ବିୟାକୁ ଏବେ ପୂରା ୩ ପଏଣ୍ଟ ଦରକାର ଏଥିପାଇଁ ସେମାନଙ୍କୁ ସବୁ ଶକ୍ତି ଖଟାଇବାକୁ ହେବ। ସେମାନଙ୍କ ପାଖରେ ଗୋଟିଏ ବିଜୟ ଅଛି। ସ୍ୱିଜରଲାଣ୍ଡ ସପକ୍ଷରେ ଜର୍ମାନି ରେଫରି ଏକ ପେନାଲ୍ଟି ନାକଚ କରି ନଥିଲେ ହୁଏତ ସର୍ବିୟା ଏକ ଡ୍ର’ ହାସଲ କରି ନେଇଥାଆନ୍ତା। ସେଥିିରେ ଏହି ଦଳର ସ୍ଥିତି ଆହୁରି ଭଲ ଥାଆନ୍ତା। ବ୍ରାଜିଲ ମଧ୍ୟ ପୂରା ୩ ପଏଣ୍ଟ ପାଇଁ ପଡ଼ିଆକୁ ଓହ୍ଲାଇବ। ହେଲେ ପ୍ରଥମ ଥର ସେମାନେ ଏମିତି ଏକ ପ୍ରତିପକ୍ଷକୁ ଭେଟିବେ ଯିଏ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆକ୍ରମଣ କରିବା ପାଇଁ ପରିଚିତ। ବ୍ରାଜିଲ ପାଇଁ ସ୍ଥାନ ପାଇବା ବେଶୀ କଷ୍ଟକର ହେବନି। ନେମାର, କୁଟିନୋ ଓ ଜେସସ୍‌ ଏଥିନେଇ ଉତ୍ସାହିତ ଥିବେ। ଗତ ମ୍ୟାଚ୍‌ରେ ନେମାର ଗୋଲ୍‌ କରିବା ପରେ ତାଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥିବ। ବ୍ରାଜିଲ ରକ୍ଷଣଭାଗକୁ କିନ୍ତୁ ସତର୍କ ରହିବାକୁ ହେବ। ଆଲେକଜାଣ୍ଡାର ମିତ୍ରୋଭିକ ସେମାନଙ୍କୁ ସହଜରେ ଛାଡ଼ିବେନି। ୪-୨-୩-୧ରେ ବ୍ରାଜିଲ ଭଲ କରୁଛି। ଏହି ଶୈଳୀ ଜାରି ରଖିଲେ ଭଲ। ସର୍ବିୟା ସମ୍ଭବତଃ ସେହି ୪-୨-୩-୧ ରଣନୀତିରେ ଖେଳିବ।

ସମ୍ବନ୍ଧିତ ଖବର