ପ୍ରଥମ ଟି-୨୦: ୱେଷ୍ଟଇଣ୍ଡିଜକୁ ୪ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ, ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ

ଫ୍ଲୋରିଡ଼ା: ୱେଷ୍ଟଇଣ୍ଡିଜକୁ ଭାରତ ଶନିବାର ପ୍ରଥମ ଟି-୨୦ ମ୍ୟାଚରେ ୪ ଓ୍ଵିକେଟରେ ପରାସ୍ତ କରିଛି। ଫ୍ଲାରିଡାର ଲୌଡ଼ରହିଲସ୍ଥିତ ସେଣ୍ଟ୍ରାଲ ବ୍ରୋଓ୍ଵାଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ୯୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ୧୭.୨ ଓଭରରେ ୬ ଓ୍ଵିକେଟ ହରାଇ ୯୮ ରନ୍‌ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି।

ସହଜ ଲକ୍ଷ୍ୟ ଥିବାରୁ ମ୍ୟାଚ୍‌କୁ ଅତି ହାଲୁକା ଭାବରେ ନେଇଥିଲା। ସ୍କୋର ୪ ରନ୍‌ରେ ଶିଖର ଧାଓ୍ଵନ (୧ ରନ୍‌) ଆଉଟ୍‌ ହୋଇଥିଲେ। ଟିମ୍‌ ଇଣ୍ଡିଆର ୨ୟ (ରୋହିତ ଶର୍ମା ୨୪ ରନ୍‌) ଓ ୩ୟ ଓ୍ଵକେଟ (ଋଷଭ ପନ୍ତ ୦ ରନ୍‌)ବେଳକୁ ସ୍କୋର ୩୨ ରନ ହୋଇଥିଲା। ସେହିଭଳି ୬୪ ରନ୍‌ରେ ଭାରତ ମନୀଷ ପାଣ୍ଡେଙ୍କୁ ହରାଇଥିଲା। ସେହିପରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୨୯ଟି ବଲ ଖେଳି ୧୯ ରନ କରିଥିଲେ। ସେ ୱେଷ୍ଟଇଣ୍ଡିଜର ୫ମ ଶିକାର ହୋଇଥିଲେ। ଭାରତ ୬ଷ୍ଠ ଓ୍ଵିକେଟ ଭାବେ ୮୮ ରନ୍‌ରେ କ୍ରୁଣାଳ ପାଣ୍ଡ୍ୟାଙ୍କୁ ହରାଇଥିଲା।

Image courtesy: Hindustan Times

ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜକୁ ୯୫ ରନ୍‌ରେ ଅଟକାଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍‌ ସଂଗ୍ରହ କରିଥିଲା। ଟିମ୍‌ ଇଣ୍ଡିଆର ଯୁବ ବୋଲର ନଭଦୀପ ସାଇନି ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨ଟି ଓ୍ଵିକେଟ ନେଇଥିବା ବେଳେ ଓ୍ଵାସିଙ୍ଗଟନ୍‌ ସୁନ୍ଦର, ଖଲିଲ ଅହମଦ, କ୍ରୁଣାଲ ପାଣ୍ୟା ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

କିରନ ପୋଲାର୍ଡ ଟିମ୍‌ ପାଇଁ ସର୍ବାଧିକ ୪୯ ରନ୍‌ କରିଥିଲେ। ସେ ୪୯ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ଏହି ରନ୍‌ ହାସଲ କରିଥିଲେ। ନଭଦିପ ସାଇନିଙ୍କ ବଲରେ ଏଲବିଡବ୍ଲୁ ହୋଇ ସେ ପାଭଲିଅନ ଫେରିଥିଲେ। ଓ୍ଵିକେଟ୍‌କିପର ନିକୋଲାସ ପୂରନଙ୍କ ବ୍ୟାଟରୁ ୨୦ ରନ୍‌ ସଂଗ୍ରହ ହୋଇଥିଲା। ପୂରନ ୧୬ଟି ବଲ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ କାର୍ଲୋସ ବ୍ରାଥେଓ୍ଵଟ୍‌ ୨୪ଟି ବଲ ଖେଳି ୯ ରନ୍‌ ସଂଗ୍ରହ କରିଥିବା ବେଳେ ରାମବନ ପାେଓ୍ଵଲ ୪ ରନ୍‌, କୀମା ପଲ ୩ ରନ୍‌ କରିଥିଲେ। ଉଭୟ ଓପନର ଜନ କାମ୍ପେଓ୍ଵଲ ଓ ଇଭିନ୍‌ ଲୁଇସଙ୍କ ସମେତ ୫ ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ନଥିଲେ।

ସମ୍ବନ୍ଧିତ ଖବର