ଟି-୨୦ ଶୃଙ୍ଖଳା ୧-୧, ବିଶ୍ବକପ୍‌ ପରେ କୋହଲି ସେନାର ପ୍ରଥମ ପରାଜୟ

ବେଙ୍ଗାଲୁରୁ: ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ଭ୍ରମଣକାରୀ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ୯ ୱିକେଟ୍‌ରେ ହରାଇ ଦେଇଛି। ୫୦ ଓଭର ବିଶ୍ବକପ୍‌ ସେମିଫାଇନାଲ୍ ପରେ ବିରାଟ କୋହଲିଙ୍କ ଦଳ ମଧ୍ୟ ପ୍ରଥମ ଥର ଏକ ମ୍ୟାଚ୍‌ ହାରିଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ମଧ୍ୟ ୧-୧ରେ ଅମୀମାଂସିତ ରହିଛି। ପ୍ରଥମ ଟି-୨୦ ବର୍ଷା ଧୋଇ ନେଇଥିଲା। ରବିବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କୃନାଲ ପାଣ୍ଡ୍ୟାଙ୍କ ବିଫଳତା କାରଣରୁ ଲଢ଼ୁଆ ସ୍କୋର୍ କରି ପାରିନଥିଲା। ଶିଖର ଧାୱନ (୩୬, ୨୫ ବଲ, ୪ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ମଧ୍ୟକ୍ରମରେ ଋଷବ ପନ୍ତ୍ (୧୯, ୨୦ ବଲ) ଏବଂ ନିମ୍ନକ୍ରମରେ ହାର୍ଦିକ ପାଣ୍ଡ୍ୟା (୧୪, ୧୮ ବଲ) ଓ ରବୀନ୍ଦ୍ର ଜାଦେଜା (୧୯, ୧୭ ବଲ) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଭାରତ ୧୩୪/୯ରେ ସୀମିତ ରହିଥିଲା। କାଗିସୋ ରବାଦା ମ୍ୟାଚ୍‌ର ଦ୍ବିତୀୟ ଓଭରରେ ହ୍ୟାଟ୍ରିକ୍ ୱାଇଡ୍ ସହ ୨୨ ରନ୍ ବ୍ୟୟ କରିଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ସଫଳତମ ବୋଲର (୪-୦-୩୯-୩) ସାବ୍ୟସ୍ତ ହୋଇଥିଲେ। ବାମହାତୀ ସ୍ପିନର୍‌ ବିୟନ ଫର୍ଟୁନ୍‌ ଏବଂ ବାମହାତୀ ଦ୍ରୁତ ବୋଲର ବିଉନ୍‌ ହେଣ୍ଡ୍ରିକ୍ସ ମଧ୍ୟ ୨-୨ ୱିକେଟ୍ ନେଇଥିଲେ।

ଜବାବରେ ରିଜା ହେଣ୍ଡ୍ରିକ୍ସ (୨୮, ୨୬ ବଲ)ଙ୍କୁ ହାର୍ଦିକ ପାଣ୍ଡ୍ୟା ଆଉଟ୍ କରିଥିଲେ ମଧ୍ୟ ଅଧିନାୟକ କ୍ବିଣ୍ଟନ୍ ଡି’କକ୍‌ (୭୯*, ୫୯ ବଲ, ୭ ଚୌକା, ୬ ଛକା) ଏବଂ ତେମ୍ବା ବାଭୁମା (୨୭*, ୨୩ ବଲ, ୨‌‌ ଚୌକା, ୧ ଛକା) ଦକ୍ଷିଣ ଆଫ୍ରିକାକୁ ୧୯ ବଲ୍ ପୂର୍ବରୁ ୯ ୱିକେଟ୍‌ରେ ବିଜୟୀ କରାଇଥି‌ଲେ। କୃନାଲ ପାଣ୍ଡ୍ୟାଙ୍କୁ ଛକା ମାରି ବାଭୁମା ମ୍ୟାଚ୍‌ ଶେଷ କରିଥିଲେ। ଏହା ପରେ ଅକ୍ଟୋବର ୨ରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ।

ସମ୍ବନ୍ଧିତ ଖବର