ଆଜିଠୁ ଟ୍ବେଣ୍ଟି-୨୦ ଟକ୍କର:ନ୍ୟୁଜିଲାଣ୍ଡରେ ପୁଣି ନୂଆ କୀର୍ତ୍ତିମାନ ସୁଯୋଗ

ନ୍ୟୁଜିଲାଣ୍ଡରେ ‌େଗ‌ାଟିଏ ବି ଟ୍ବେଣ୍ଟି-୨୦ ଜିତିନି ଭାରତ

ୱେଲିଂଟନ୍: ଭାରତୀୟ କ୍ରିକେଟ୍ ଦଳ ଗତ ତିନି ମାସ ହେବ ସଫଳତାର ନୂଆ ଫର୍ଦ ଯୋଡ଼ି ଚାଲିଛି। ଏହି ଧାରାକୁ ଆହୁରି ଆଗେଇ ନେବା ଲାଗି ଟିମ୍ ଇଣ୍ଡିଆକୁ ଆଉ ଏକ ଭଲ ମଞ୍ଚ ବି ମିଳି ଯାଇଛି। ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ ୪-୧ରେ ଧରାଶାୟୀ କରିଥିବା ଭାରତ ସେଠାରେ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଯାଉଛି। ଏହି ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଅପରାହ୍ନରେ ୱେଲିଂଟନର ୱେଷ୍ଟପାକ୍ ଷ୍ଟାଡିୟମରେ ହେବ। ନ୍ୟୁଜିଲାଣ୍ଡରେ ଭାରତ ପୂର୍ବରୁ କେବେ ବି କୌଣସି ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତି ନଥିବାରୁ ସଂପୂର୍ଣ୍ଣ ଶୃଙ୍ଖଳା ହେ‌ଉକି, ଗୋଟିଏ ମ୍ୟାଚ୍, ଯାହାକୁ ଜିତିବ ଭାରତ ନୂଆ କୀର୍ତ୍ତିମାନର ଅଧିକାରୀ ହେବ। ସଂଯୋଗ ବଶତଃ ୱେଷ୍ଟପାକ୍ ଷ୍ଟାଡିୟମରେ ହିଁ ଭାରତ ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ‌ଶେଷ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏଣୁ ଏହି ଷ୍ଟାଡିୟମରେ ହିଁ ଭାରତ ନୂଆ ଟ୍ବେଣ୍ଟି-୨୦ କୀର୍ତ୍ତିମାନ କରିବାର ମୂଳଦୁଆ ପକାଇବ ବୋଲି ଆଶା କରାଯାଉଛି। ବିରାଟ କୋହଲି ବିଶ୍ବକପ୍ ପୂର୍ବରୁ ବିଶ୍ରାମ ନେଉଥିବାରୁ ରୋହିତ ଶର୍ମା‌ ଏହି ଶୃଙ୍ଖଳାରେ ଭାରତର ନେତୃତ୍ବ ନେବେ। ସେହିଭଳି ଋଷବ ପନ୍ତ, କ୍ରୁନାଲ ପାଣ୍ଡ୍ୟାଙ୍କ ଭଳି ଖେଳାଳି ନ୍ୟୁଜିଲାଣ୍ଡରେ ପ୍ରଥମ ଥର ଖେଳିବାର ସୁଯୋଗ ପାଇବେ। ଟ୍ବେଣ୍ଟି-୨୦ରେ କିନ୍ତୁ ଭାରତ ନ୍ୟୁଜିଲାଣ୍ଡ ମାଟିରେ ଆଦୌ ଭଲ କରିନାହିଁ। ୨୦୦୯ରେ ଏଠାରେ ଖେଳିଥିବା ଏକମାତ୍ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୦-୨ରେ ହାରି ଯାଇଥିଲା। ‌ସେପଟେ ଦିନିକିଆରେ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରିଥିବା ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ରେ ନିଜ ଭାଗ୍ୟ ବଦଳାଇବା ଆଶାରେ ପଡ଼ିଆକୁ ଓହ୍ଲାଇବ। ଅବଶ୍ୟ ସେମାନେ ନିଜ ଶେଷ ୭ ଟ୍ବେଣ୍ଟି-୨୦ରୁ ମାତ୍ର ଦୁଇଟିରେ ବିଜୟୀ ହୋଇଛନ୍ତି। ନ୍ୟୁଜିଲାଣ୍ଡକୁ ନିକଟରେ ପାକିସ୍ତାନ ୟୁଏଇରେ ମୂଳପୋଛ କରିଥିଲା। କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍‌ ମଧ୍ୟରୁ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ରେ ସର୍ବନିମ୍ନ ଷଷ୍ଠ ସ୍ଥାନରେ ରହିଛି। ଏହି ଶୃଙ୍ଖଳାରେ ମଧ୍ୟ ନ୍ୟୁଜିଲାଣ୍ଡ ଦକ୍ଷ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ଫଳରେ ଅଧିନାୟକ ‌କେନ୍ ୱିଲିୟମସନ୍ ପାଳି ଆରମ୍ଭ କରିପାରନ୍ତି। ଦିନିକିଆ ଶୃଙ୍ଖଳାରେ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ରେ ବିଫଳ ହୋଇଥିବା ଶୁବମନ ଗିଲ୍ ଟ୍ବେଣ୍ଟି-୨୦ରେ କୋହଲିଙ୍କ ତୃତୀୟ ସ୍ଥାନ ନେଇପାରନ୍ତି। ୱେଷ୍ଟପାକ୍ ପିଚ୍‌କୁ ନେଇ ପୂର୍ବାନୁମାନ ଲଗାଇବା ଅତ୍ୟନ୍ତ କଷ୍ଟକର। ଏଠାରେ କେତେ ବେଳେ କମ୍‌ ତ ଆଉ କେତେ ବେଳେ ଅଧିକ ରନ୍ ହୋଇଥାଏ। ତେବେ ଏଠାରେ ଖେଳା ଯାଇଥିବା ଶେଷ ଟ୍ବେଣ୍ଟି-୨୦ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ ୧୯୬ ରନ୍‌ର ବଡ଼ ସ୍କୋର କରି ୧୨ ରନ୍‌ରେ ବିଜୟୀ ହୋଇଥିଲା। ରାତି ମ୍ୟାଚ୍ ହୋଇଥିବାରୁ ବୁଧବାର କାକର ବି ଏଠାରେ ପ୍ରଭାବ ପକାଇପାରେ। ଦିନିକିଆରେ ବିପର୍ଯ୍ୟୟ ପରେ ଟ୍ବେଣ୍ଟି-୨୦ରେ ନିଜ ପୂର୍ବ ପ୍ରଦର୍ଶନ ଅତୁଟ ରଖିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ରହିବ। ସେପଟେ ନ୍ୟୁଜିଲାଣ୍ଡରେ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ହାସଲ କରିବା ଲାଗି ଭାରତ ନିଶ୍ଚିତ ଭାବେ ଆପ୍ରଣ ଉଦ୍ୟମ କରିବ।
ପନ୍ତ୍‌ଙ୍କ ଉପରେ ନଜର
ଟେଷ୍ଟ୍‌ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ କରିବା ସତ୍ତ୍ବେ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସୁଯୋଗ ମିଳି ନଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମଧ୍ୟ ତାଙ୍କୁ ବିଚାରକୁ ନିଆଯାଇ ନଥିଲା। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସେ ଜାତୀୟ ଦଳକୁ ଫେରିଛନ୍ତି। ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଲେ ସବୁ ନଜର ସମ୍ଭବତଃ ତାଙ୍କ ଉପରେ ରହିବ। ଏହି ଶୃଙ୍ଖଳାରେ ଭଲ କରି ସେ ମଧ୍ୟ ବିଶ୍ବକପ୍ ଦଳ ପାଇଁ ନିଜ ଦାବିଦାରୀ ଉପସ୍ଥାପନ କରିପାରିବେ। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତନ ପରେ କିନ୍ତୁ ତାଙ୍କୁ କେବଳ ବ୍ୟାଟ୍ସମ୍ୟାନ୍ ଭାବେ ସୁଯୋଗ ମିଳିପାରେ। ଏହି କ୍ଷେତ୍ରରେ ପନ୍ତଙ୍କୁ ଦୀନେଶ କାର୍ତିକଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ‌ନ୍ୟୁଜିଲାଣ୍ଡ ମଧ୍ୟ ତା ପ୍ରମୁଖ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ସେବାରୁ ବଞ୍ଚିତ ହେବ। ଅଲରାଉଣ୍ଡର ଜିମି ନିସାମ କିନ୍ତୁ ଗପ୍ଟିଲଙ୍କ ସ୍ଥାନ ନେବେ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍, ଋଷବ ପନ୍ତ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା/କେଦାର ଯାଦବ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲୟମସନ୍ (ଅଧିନାୟକ), କଲିନ୍ ମୁନ୍‌ରୋ, ଟିମ୍ ସିଫର୍ଟ, ରସ୍ ‌ଟେଲର, ଜେମ୍ସ ନିସାମ, କଲିନ୍ ଡି ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ସ୍କଟ୍ କୁଗେଲିନ୍, ଡଗ୍ ବ୍ରାସୱେଲ୍, ଲୋକି ଫର୍ଗୁସନ/ଟିମ୍ ସାଉଦି, ଈଶ୍ ସୋଢ଼ୀ।

ଭାରତ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ଗୋଟିଏ ହେଲେ ବି ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିନାହିଁ। ଏଠାରେ ପ୍ରଥମ ଥର ପାଇଁ ଭାରତ ୨୦୦୯ରେ ଦୁଇଟି ମ୍ୟାଚ୍ ଖେଳିଥିଲା, ଆଉ ଦୁଇଟି ଯାକରେ ପରାଜିତ ହୋଇଥିଲା। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଲଢ଼େଇ କିନ୍ତୁ ଦକ୍ଷିଣ ଆଫ୍ରିକାରେ ୨୦୦୭ ବିଶ୍ବକପ୍ ଅବସରରେ ହୋଇଥିଲା। ଜୋହା‌ନେସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳା ଯାଇଥିବା ସେହି ମ୍ୟାଚ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ ୧୦ ରନ୍‌ରେ ପରାସ୍ତ କରି ଦେଇଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ମାତ୍ର ଦୁଇଟିରେ ବିଜୟୀ ହୋଇଥିଲା ବେଳେ ନ୍ୟୁଜିଲାଣ୍ଡ ୬ଟିରେ ବିଜୟୀ ହୋଇଛି। ଭାରତ ତା’ର ଦୁଇଟି ଯାକ ବିଜୟ (ଫିରୋଜ ସାହା କୋଟଲା ୫୩ ରନ୍, ଗ୍ରିନ୍ ଫିଲ୍ଡ ‌ଷ୍ଟାଡିୟମ୍ ତ୍ରିଭେନ୍ଦ୍ରମ୍ ୬ ରନ୍) ଘରୋଇ ମାଟିରେ ହାସଲ କରିଛି। ଅନ୍ୟ ସବୁଥର ନ୍ୟୁଜିଲାଣ୍ଡ ବିଜୟର ସ୍ବାଦ ଚାଖିଛି। ଏପରିକି ଘରୋଇ ମାଟିରେ ଖେଳିଥିବା ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଭାରତ ତିନିଟିରେ ପରାଜିତ ହୋଇଛି।

ପ୍ରଥମ ଥର ଏକାଠି ଖେଳିବେ ପାଣ୍ଡ୍ୟା ଭାଇ
ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ବୁଧବାର ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇଲେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏକାଠି ଖେଳିବେ। ହାର୍ଦିକ ଆସନ୍ତାକାଲି ଖେଳିବା ଏକ ପ୍ରକାର ନିଶ୍ଚିତ ଥିଲା ବେଳେ କ୍ରୁନାଲ ମଧ୍ୟ ପଡ଼ିଆକୁ ଓହ୍ଲାଇବେ ବୋଲି ଭାରତୀୟ ଦଳୀୟ ଅଧିକାରୀ ସଙ୍କେତ ଦେଇଛନ୍ତି। ଏଭଳି ହେଲେ ଦୁଇ ଭାଇ ଗୋଟିଏ ମ୍ୟାଚ୍‌ରେ ଭାରତ ପକ୍ଷରୁ ଖେଳିବା‌ରେ ହାର୍ଦିକ ଓ କ୍ରୁନାଲ ତୃତୀୟ ଯୋଡି ହେବେ। ଏମାନଙ୍କ ପୂର୍ବରୁ ମହିନ୍ଦର ଓ ସୁରିନ୍ଦର ଅମରନାଥ ଏବଂ ୟୁସୁଫ ଓ ଇର୍ଫାନ୍ ପଠାନ୍ ଏଭଳି କୀର୍ତ୍ତିମାନ କରି ସାରିଛନ୍ତି। ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିବା ଲାଲା ଅମରନାଥଙ୍କ ଦୁଇ ପୁଅ ମହିନ୍ଦର ଓ ସୁରିନ୍ଦର ଏକାଧିକ ମ୍ୟାଚ୍‌ରେ ଭାରତ ପକ୍ଷରୁ ଏକାଠି ଖେଳିଛନ୍ତି। ଇର୍ଫାନ୍ ଓ ୟୁସୁଫ ମଧ୍ୟ ଏହି ସଫଳତା ଦୋହରାଇ ସାରିଛନ୍ତି। ହାର୍ଦିକ ଓ କ୍ରୁନାଲ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକାଠି ଖେଳୁଥି‌ଲେ ମଧ୍ୟ ପ୍ରଥମ ଥର ସାଙ୍ଗ ହୋଇ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ।

ସମ୍ବନ୍ଧିତ ଖବର