ଟେ୍ଵଣ୍ଟି-୨୦ ଶୀର୍ଷକୁ ଫେରିଲେ ବୁମ୍‌ରା

ଦୁବାଇ: ସୋମବାର ନିଜ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନର ସର୍ବଶ୍ରେଷ୍ଠ ଦିନିକିଆ ମାନ୍ୟତା ହାସଲ କରିଥିବା ଭାରତୀୟ ଦ୍ରୁତ ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରା ମଙ୍ଗଳବାର ଆଇସିସି ଟେ୍ଵଣ୍ଟି-୨୦ ବୋଲରଙ୍କ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ବୁଧବାରଠୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ପୂର୍ବରୁ ବୁମ୍‌ରାଙ୍କ ପାଇଁ ଏହା ଦୁଇଗୁଣା ଖୁସୀ ଦେଇଛି। ପାକିସ୍ତାନର ସ୍ପିନର ଇମଦ୍‌ ଓ୍ଵାସିମ୍‌ଙ୍କୁ ହଟାଇ ବୁମ୍‌ରା ପୁନର୍ବାର ଶୀର୍ଷକୁ ଫେରିଛନ୍ତି। ଇମଦ୍‌ ଗୋଟିଏ ସ୍ଥାନ ଖସି ଦ୍ୱିତୀୟରେ ପହଞ୍ଚିଛନ୍ତି। ସେହିପରି ସୋମବାର ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କୁ ଗାଦିଚ୍ୟୁତ କରି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ପ୍ରକାଶିତ ଟେ୍ଵଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ବୁମ୍‌ରାଙ୍କ ଭଳି କୋହଲି ମଧ୍ୟ ଶୀର୍ଷ ମାନ୍ୟତା ସହ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ଓହ୍ଲାଇବେ।

ଦଳଗତ ମାନ୍ୟତାରେ ଭାରତ ଏବେ ବି ପଞ୍ଚମ ସ୍ଥାନରେ ରହିଛି। ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିପାରିଲେ ଭାରତ ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେବ। ନ୍ୟୁଜିଲାଣ୍ଡ୍‌ ଏବେ ସର୍ବାଧିକ ୧୨୫ ପଏଣ୍ଟ୍‌ ସହ ଶୀର୍ଷ ମାନ୍ୟତା ମାଡ଼ିବସିଛି। ଭାରତ ନିକଟରୁ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ହାରିଗଲେ ଏହାର ଫାଇଦା ବିଶେଷକରି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଉଠାଇବ। ପାକିସ୍ତାନ ଶୀର୍ଷରେ ପହଞ୍ଚିଯିବ। ଶ୍ରୀଲଙ୍କା ବିପକ୍ଷ ୩-୦ ଶୃଙ୍ଖଳା ବିଜୟ ବଳରେ ପାକିସ୍ତାନ ଏବେ ନ୍ୟୁଜିଲାଣ୍ଡ୍‌ଠାରୁ ମାତ୍ର ଗୋଟିଏ ପଏଣ୍ଟ୍‌ ପଛରେ ରହିଛି। ଆଉ ଏବେ ୧୧୬ ପଏଣ୍ଟ୍‌ରେ ଥିବା ଭାରତ ୩-୦ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କଲେ ତା’ର ପଏଣ୍ଟ୍‌ ସଂଖ୍ୟା ୧୨୨କୁ ବୃଦ୍ଧି ପାଇବ। ତେଣୁ ପାକିସ୍ତାନ ପଛକୁ ଭାରତ ଦ୍ୱିତୀୟରେ ପହଞ୍ଚିଯିବାକୁ ଥିଲା ବେଳେ ନ୍ୟୁଜିଲାଣ୍ଡ୍‌ (୧୧୪) ୧୧ ପଏଣ୍ଟ୍‌ ହରାଇ ପଞ୍ଚମକୁ ଖସିଯିବ। ଭାରତ ୨-୧ରେ ନ୍ୟୁଜିଲାଣ୍ଡ୍‌ ପରାସ୍ତ କଲେ ବି ପାକିସ୍ତାନ ଶୀର୍ଷକୁ ଲମ୍ଫ ଦେବ। ୧-୨ରେ ଭାରତଠୁ ହାରିଲେ ନ୍ୟୁଜିଲାଣ୍ଡ୍‌ ପଏଣ୍ଟ୍‌ ୧୨୧କୁ ଖସିଯିବ।

ସମ୍ବନ୍ଧିତ ଖବର