ଟେ୍ଵଣ୍ଟି-୨୦ ପ୍ରତିଶୋଧ ଦିନିକିଆରେ

ତୃତୀୟ ଦିନିକିଆକୁ ୮ ଓ୍ଵିକେଟ୍‌ରେ ହାରିଲା ଭାରତ, ଇଂଲଣ୍ଡ ୨-୧ରେ ଶୃଙ୍ଖଳା ବିଜୟୀ

ଲିଡ୍ସ,: ଟେ୍ଵଣ୍ଟି-୨୦ ଶୃଙ୍ଖଳା ପରାଜୟର ପ୍ରତିଶୋଧ ଇଂଲଣ୍ଡ ଦିନିକିଆରେ ନେଇଛି। ମଙ୍ଗଳବାରର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଦିନିକିଆକୁ ୮ ଓ୍ଵିକେଟ୍‌ରେ ଜିତି ସେହି ୨-୧ରେ ଦିନିକିଆ ଶୃଙ୍ଖଳା ବିଜୟୀ ହୋଇଛି। ଏହା ପୂର୍ବରୁ ଖେଳା ଯାଇଥିବା ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ହେଲେ ଦିନିକିଆ ଶୃଙ୍ଖଳା ଜିତି ଇଂଲଣ୍ଡ ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଟେଷ୍ଟ ଶୃଙ୍ଖଳା ପୂର୍ବରୁ ନିଜ ମନୋବଳ ବଢ଼ାଇ ପାରିଛି। ଆସନ୍ତାବର୍ଷ ଘରୋଇ ମାଟିରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପାଇଁ ମଧ୍ୟ ଇଂଲଣ୍ଡ ଦାବିଦାର ପ୍ରକ୍ରିୟା ଆରମ୍ଭ କରିଛି।
ମଙ୍ଗଳବାରର ଶେଷ ଦିନିକିଆ ଲଢ଼େଇରେ ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଦକ୍ଷତା ମୂଳକ ବ୍ୟାଟିଂ କରି ନପାରି ୨୫୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଇଂଲଣ୍ଡ ୭୪ ରନ୍‌ରେ ୨ ଓ୍ଵିକେଟ୍‌ ହରାଇବା ସତ୍ତ୍ୱେ ଅଧିନାୟକ ଇଅନ ମୋର୍ଗାନ (୮୮*) ଏବଂ ଜୋ ରୁଟ (୧୦୦*)ଙ୍କ ୧୮୬ ରନ୍‌ର ଅବିଭାଜିତ ତୃତୀୟ ଓ୍ଵିକେଟ୍‌ ଭାଗୀଦାରି ପାଇଁ ଶେଷରେ ୩୩ ବଲ୍‌ ପୂର୍ବରୁ ସହଜ ବିଜୟ ହାସଲ କରିଥିଲା। ୪୪.୩ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ୨୬୦ ରନ୍‌ କରିବା ସହ ମ୍ୟାଚ୍‌ ଏବଂ ଶୃଙ୍ଖଳାକୁ କବଜା କରି ନେଇଥିଲା। ହାର୍ଦିକ ପାଣ୍ଡ୍ୟାଙ୍କୁ ଚୌକା ମାରି ରୁଟ୍‌ ନିଜ ତ୍ରୟୋଦଶ ଶତକ ପୂରଣ କରିବା ସହ ଇଂଲଣ୍ଡ ବିଜୟରେ ମୁଣ୍ଡି ମାରିଥିଲେ। ଆଦିଲ ରସିଦ ମ୍ୟାଚ୍‌ର ଏବଂ ରୁଟ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଲିଡ୍ସର ହେଡିଂଲେ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଇଅନ ମୋର୍ଗାନଙ୍କ ନିଷ୍ପତ୍ତିକୁ ସାର୍ଥକ କରି ଘରୋଇ ଦଳର ନୂଆ ବଲ୍‌ ବୋଲର ଏବଂ ସ୍ପିନରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆରମ୍ଭରୁ ହାତଖୋଲା ସଟ୍‌ ଖେଳିବାର ସୁଯୋଗ ଦେଇ ନଥିଲେ। ଟେ୍ଵଣ୍ଟି-୨୦ ଶୃଙ୍ଖଳାର ନାୟକ ରୋହିତ ଶର୍ମା (୨) ମାତ୍ର ୧୩ ରନ୍‌ରେ ପ୍ୟାଭିଲିୟନ ଫେରିବା ପରେ ଶିଖର ଧାଓ୍ଵନ (୪୪) ଓ ଅଧିନାୟକ ବିରାଟ କୋହଲି (୭୧) ଦାୟିତ୍ୱବାନ ବ୍ୟାଟିଂ କରି ପାଳି ଗଢ଼ିବା ଆରମ୍ଭ କରିଥିଲେ। ଉଭୟ ମନ୍ଥର ବ୍ୟାଟିଂ କରିବାରୁ ଭାରତ ପ୍ରଥମ ୧୦ ଓଭରରେ ମାତ୍ର ୩୨ ରନ୍‌ କରିଥିଲା। ୮୨ ରନ୍‌ର ଭାଗୀଦାରି ପରେ ଧାଓ୍ଵନ ରନ୍‌ ଆଉଟ୍‌ ହୋଇ ଯାଇଥିଲେ। ଲୋକେଶ ରାହୁଲଙ୍କ ସ୍ଥାନ ନେଇଥିବା ଦୀନେଶ କାର୍ତିକ (୨୧) କେତେକ ଭଲ ସଟ୍‌ ଖେଳିଥିଲେ। ହେଲେ ଆଦିଲ ରସିଦଙ୍କ ବଲ୍‌କୁ ବୁଝି ନପାରି ବୋଲ୍ଡ ହୋଇଥିଲେ। ଅନୁରୂପ ଭାବେ ଭଲ ବ୍ୟାଟିଂ କରୁଥିବା କୋହଲି ରସିଦଙ୍କ ବଲ୍‌ରେ ନିଜ ଅଫ୍‌ ଷ୍ଟମ୍ପ ହରାଇ ବସିଥିଲେ। ରସିଦ ତାଙ୍କୁ ଏବଂ ସୁରେଶ ରାଇନା (୧)ଙ୍କୁ ଗୋଟିଏ ଓଭରରେ ଆଉଟ୍‌ କରି ଭାରତ ପାଳିକୁ ପୁଣି ଥରେ ସଙ୍କଟ ଘେରକୁ ଠେଲି ଦେଇଥିଲେ। ପିଚ୍‌ ଧିମା ପଡ଼ି ଆସୁଥିଲା ବେଳେ ମହେନ୍ଦ୍ର ସିଂହ ଧୋନି (୪୨, ୬୬ ବଲ୍‌)ଙ୍କ ଦାୟିତ୍ୱବାନ ବ୍ୟାଟିଂ ଏବଂ ଶେଷ ଆଡ଼କୁ ସାର୍ଦୁଲ ଠାକୁର (୨୨ ରନ୍‌, ୧୩ ବଲ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ଅଢ଼େଇ ଶହ ରନ୍‌ ଟପି ଥିଲା। ହାର୍ଦିକ ପାଣ୍ଡ୍ୟା (୨୧)ଙ୍କ ବିଫଳତା ଧାରା ଜାରି ରହିଥିଲା। ଅନ୍ୟ ପକ୍ଷରେ ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ୨୧ ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ୫୦ ଓଭରରେ ୨୫୬/୮ (ବିରାଟ କୋହଲି ୭୧, ଶିଖର ଧାଓ୍ଵନ ୪୪, ମହେନ୍ଦ୍ର ସିଂହ ଧୋନି ୪୨, ହାର୍ଦିକ ପାଣ୍ଡ୍ୟା ୨୧, ଡେଭିଡ୍‌ ଓ୍ଵିଲି ୩/୪୦, ଆଦିଲ ରସିଦ ୩/୪୯)। ଇଂଲଣ୍ଡ ୪୪.୩ ଓଭରରେ ୨୬୦/୨ (ଜୋ ରୁଟ୍‌ ୧୦୦*, ଇଅନ ମୋର୍ଗାନ ୮୮*, ସାର୍ଦୁଲ ଠାକୁର ୧/୫୧)

ସମ୍ବନ୍ଧିତ ଖବର