କଟକରେ ଆଜି ଟି-୨୦ ଟକ୍କର : ସମ୍ମାନ ଫେରି ପାଇବା ଲକ୍ଷ୍ୟରେ ବାରବାଟୀ

କଟକ: ବାରବାଟୀ ଷ୍ଟାଡିୟମରେ ବୋତଲ ଫିଙ୍ଗା ଘଟଣା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯାଇଛି। ୨୦୧୫ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚରେ ଏହି ଦାଗ ଲାଗିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନର ବିଫଳତା ଯୋଗୁଁ ଦର୍ଶକମାନେ ଉତ୍ତେଜିତ ହେବା ସହ ପାଣି ବୋତଲ ପଡ଼ିଆ ଭିତରକୁ ଫୋପାଡ଼ିଥିଲେ। ଏହାପରଠୁ ବାରବାଟୀକୁ ମ୍ୟାଚ ମିଳିବା ନେଇ ଆଶଙ୍କା ଲାଗିରହିଥିଲାବେଳେ ଚଳିତ ବର୍ଷ ଜାନୁଆରିରେ ଭାରତ-ଇଂଲଣ୍ଡ ଦିନିକିଆକୁ ସଫଳତାର ସହ ଆୟୋଜନ କରାଯାଇପାରିଥିଲା। ବାରବାଟୀରେ ସର୍ବୋଚ୍ଚ ରନ୍‌ ସଂଗ୍ରହ ହେବା ସହ ଏକାଧିକ କୀର୍ତ୍ତିମାନ ମଧ୍ୟ ଭାଙ୍ଗିଥିଲା। ତେଣୁ ଏହା କଟା ଘା’ରେ ମଲମ ଲଗାଇବା ସଦୃଶ ହୋଇଥିଲା। କିନ୍ତୁ ଟି-୨୦ରେ ଭାରତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନ ଦେଖିବା ପାଇଁ ଦର୍ଶକଙ୍କୁ ୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ଶେଷରେ ଏହି ସୁଯୋଗ ପୁଣି ମିଳିଥିବାରୁ ପୁରୁଣା ସମ୍ମାନ ଫେରି ପାଇବା ପାଇଁ ଓସିଏ କର୍ତ୍ତୃପକ୍ଷ ଆପ୍ରାଣ ଉଦ୍ୟମ କରିଛନ୍ତି।

ଏଥର ଗ୍ୟାଲେରୀ ନେଟ୍‌କୁ ଅଧିକ ଉଚ୍ଚରେ ବନ୍ଧାଯାଇଥିଲା ବେଳେ ଗ୍ୟାଲେରୀ ଭିତରକୁ ପାଣି ବୋତଲ, ଫଳ, ପାଣି ପାଉଚ ଇତ୍ୟାଦି ଆଣିବାକୁ ବାରଣ କରାଯାଇଛି। ଗ୍ୟାଲେରୀ ଭିତରେ ଦର୍ଶକଙ୍କ ଆଚରଣକୁ ନିୟନ୍ତ୍ରଣରେ ରଖିବାକୁ ପୁଲିସ୍‌ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯିବ। ଏଥିସହିତ ମ୍ୟାଚରେ ରୋମାଞ୍ଚ ବଢାଇବା ପାଇଁ ପିଚ୍‌କୁ ମଧ୍ୟ ବାଉନ୍ସ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଛି। ଗତ କିଛି ମାସ ଧରି ପିଚ୍‌ରେ ଫୁଟବଲ୍‌ ଖେଳାଯାଇଥିଲା। ନଷ୍ଟ ହୋଇଯାଇଥିବା ପିଚ୍‌ ଉପରେ ଅଧିକ ଓଜନର ରୋଲିଂ କରାଯିବାରୁ ଘାସ ମରିଯାଇଥିଲା ଓ ପିଚ୍‌ ଉପର ଅଂଶ ଶୁଖିଯାଇଥିଲା। ଫଳରେ ପିଚ୍‌ରେ ଫାଟ ସୃଷ୍ଟି ହେବା ସହ କମ୍‌ ରନ୍‌ ବିଶିଷ୍ଟ ମ୍ୟାଚ ହେବା ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପିଚ୍‌କୁ ଘୋଡାଇ ରଖାଯିବା ସହ ଛିଞ୍ଚା ପାଣି ଦିଆଯାଇ ପୂର୍ବ ଆର୍ଦ୍ରତା ଫେରାଇ ଅଣାଯାଇଛି। ଏବେ ପିଚ୍‌ରେ ଭଲ ବାଉନ୍ସ ହେଉଛି। ତେଣୁ ୧୮୦ ପାଖାପାଖି ରନ୍‌ ସଂଗ୍ରହ ହେବା ନେଇ ପୂର୍ବାନୁମାନ କରାଯାଇଛି। ତଥାପି କାକର ସମସ୍ୟା ରନ୍‌ ସଂଗ୍ରହ ଉପରେ ଫରକ ଆଣିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର