ଆଉ ଏକ ସୁବର୍ଣ୍ଣ ସୁଯୋଗ

ଦ୍ୱିତୀୟ ଟେ୍ଵଣ୍ଟି-୨୦

ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବ। ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ମଙ୍ଗଳବାର ଲଢ଼େଇରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିବାର ସୁଯୋଗ ରହିବ। ମ୍ୟାଚ୍‌ ଖେଳା ଯିବାକୁ ଥିବା ଆସାମ କ୍ରିକେଟ୍‌ ସଂଘର ବର୍ଷାପାରା ଷ୍ଟାଡିୟମ୍‌ର ମଧ୍ୟ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ। ଭାରତ-ଅଷ୍ଟ୍ରେଲିଆ ସୀମିତ ଓଭର ଶୃଙ୍ଖଳା ଏ ପର୍ଯ୍ୟନ୍ତ ଏକତରଫା ବ୍ୟାପାର ହୋଇଛି। କୋହଲି ବାହିନୀ ୪-୧ରେ ଦିନିକିଆ ଶୃଙ୍ଖଳା ଜିତିବା ପରେ ଟେ୍ଵଣ୍ଟି-୨୦ରେ ମଧ୍ୟ ଟାଣୁଆ ପ୍ରଦର୍ଶନ କରିଛି। ବର୍ଷା ପ୍ରଭାବିତ ରାଞ୍ଚି ଟେ୍ଵଣ୍ଟି-୨୦କୁ ୯ ଓ୍ଵିକେଟ୍‌ରେ ଜିତି ନେଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟ ଅଷ୍ଟ୍ରେଲିଆ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ଅତୀତ ପରିସଂଖ୍ୟାନ ମଧ୍ୟ ଭାରତ ସପକ୍ଷରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ୧୪ ଟେ୍ଵଣ୍ଟି-୨୦ରୁ ଭାରତ ୧୦ଟିରେ ବିଜୟୀ ହୋଇଛି। ଏପରିକି କଙ୍ଗାରୁ ଦଳ ବିପକ୍ଷରେ ଲଗାତାର ୭ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଜିତି ସାରିଛି। ହାଇଦ୍ରାବାଦରେ ଆସନ୍ତା ୧୩ ତାରିଖରେ ଖେଳା ଯିବାକୁ ଥିବା ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ବେଳକୁ ଶୃଙ୍ଖଳା ଜୀବୀତ ରଖିବା ପାଇଁ ଅଷ୍ଟ୍ରେଲିଆକୁ ଆସନ୍ତାକାଲି ବିଜୟୀ ହେବାକୁ ପଡ଼ିବ।

ଏହି କ୍ଷେତ୍ରରେ ଭାରତର ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ନିଶ୍ଚିତ ଭାବେ ବଡ଼ ପ୍ରତିବନ୍ଧକ ହେବେ। ପୂର୍ବରୁ କେତେକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଆୟୋଜନ କରିଥିବା ବର୍ଷାପାରା ଷ୍ଟାଡିୟମରେ ଗତ ଋତୁରେ ହିମାଚଳପ୍ରଦେଶକୁ ହାଇଦ୍ରାବାଦ ମାତ୍ର ୩୬ ରନ୍‌ରେ ଅଟକାଇ ଦେଇଥିଲା। ଏଣୁ ଏହି ଷ୍ଟାଡିୟମ୍‌ ତୁଳନାତ୍ମକ ଭାବେ ବୋଲରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି। ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତନ କରିବାରେ ସମ୍ଭାବନା ଏକବାର କମ୍‌। ସେପଟେ ଅସ୍ଥିର ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲଙ୍କୁ ଦଳରୁ ବାଦ ଦେଇପାରେ। ତେବେ ନିୟମିତ ଅଧିନାୟକ ଷ୍ଟିଭେନ୍‌ ସ୍ମିଥଙ୍କ ଅନୁପସ୍ଥିିତି ପାଇଁ ଅଷ୍ଟ୍ରେଲିଆ ଏଭଳି କରି ବି ନପାରେ।

ସମ୍ବନ୍ଧିତ ଖବର